କୃଷି ଆଇନ କାର୍ଯ୍ୟକାରୀ ହେଲେ କେବଳ ୧% ଚାଷୀ ରହିବେ
‘କେନ୍ଦ୍ର ସରକାର ଆଗକୁ ଆହୁରି ଚାଷୀ ବିରୋଧୀ ବିଲ୍‌ ଆଣିବେ’
ଦେଶର ପ୍ରତି କୋଣରେ ବାର୍ତ୍ତା ପହଞ୍ଚାଇବ ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି

Advertisment

ଭୁବନେଶ୍ବର : ତିନି କୃଷି ଆଇନ କାର୍ଯ୍ୟକାରୀ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେ ଆମେରିକା ଭଳି ଭାରତରେ ମଧ୍ୟ ଚାଷୀ କେବଳ ଏକ ପ୍ରତିଶତ ହୋଇ ରହିଯିବେ। କେବଳ ୩ଟି କୃଷି ଆଇନ ନୁହେଁ; କେନ୍ଦ୍ର ସରକାର ଆଗକୁ ଆହୁରି ଅନେକ ଚାଷୀ ବିରୋଧୀ ବିଲ୍ ଆଣିବାକୁ ଯାଉଛନ୍ତି। ବିଜୁଳି ଓ ସାର ବିଲ୍‌ ଭଳି ଏଭଳି ଆହୁରି ଅନେକ ଚାଷୀ ବିରୋଧୀ ବିଲ୍‌କୁ ଆଇନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତିର ମୁଖପାତ୍ର ବିଶିଷ୍ଟ ଚାଷୀ ନେତା ରାକେଶ ଟିକାୟତ।

ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଶ୍ରୀ ଟିକାୟତ ସଂଗଠନର ଅନ୍ୟ ନେତାମାନଙ୍କ ସହ ଆଜି ପୂର୍ବାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ଚଣ୍ଡିଖୋଲ୍ ସିମୁଳା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ପଂଜାବର କୃଷକ ସଂଗଠନର ମୁଖ୍ୟ ବଲବୀର ସିଂହ ରାଜଵାଲା, ହରିୟାଣା ସଂଗଠନର ମୁଖ୍ୟ ଗୁରୁନାମ ସିଂହ ଚଡ଼ୌନି, ଉତ୍ତରପ୍ରଦେଶର ମୁଖ୍ୟ ଯୁଦ୍ଧବୀର ସିଂହଙ୍କ ସମେତ ସଂଯୁକ୍ତ କିସାନ ମୋର୍ଚା ଓ ନବନିର୍ମାଣ କୃଷକ ସଂଗଠନର ହଜାର ହଜାର କର୍ମୀ ଯୋଗ ଦେଇଥିଲେ। ସେଠାରେ କୃଷକ ମହାପଞ୍ଚାୟତରେ ଯୋଗ ଦେଇ ଭୁବନେଶ୍ବର ଫେରିବା ପରେ ସନ୍ଧ୍ୟାରେ ହୋ‌ଟେଲ ପ୍ରେସିଡେନ୍ସିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତିର କର୍ମକତ୍ତାମାନେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପ୍ରଣୀତ ନୂତନ କୃଷି ଆଇନ ବିରୋଧରେ ଚାଲିଥିବା ଲଢ଼େଇ ହେଉଛି ପୁଞ୍ଜିବାଦ ବିରୋଧରେ ଲଢ଼େଇ। ଏହା ଚାଷୀ ଆରମ୍ଭ କରିଥିଲେ ମଧ୍ୟ ପ୍ରତ୍ୟେକ ସାଧାରଣ ଜନତାଙ୍କ ସ୍ବାର୍ଥ ଏଥିରେ ଜଡ଼ିତ ହୋଇରହିଛି। ଚାଷୀ ଖତମ୍‌ ହୋଇଗଲେ ଖାଉଟି ଖତମ୍‌ ହୋଇଯିବେ। ଯେତେ ଦିନ ପର୍ଯ୍ୟନ୍ତ ତିନି କୃଷି ଆଇନ ପ୍ରତ୍ୟାହାର ନ ହେବ ଆନ୍ଦୋଳନ ଜାରି ରହିବ। ପ୍ରତ୍ୟେକ ଜନଗଣଙ୍କ ନିକଟରେ ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇବା ପାଇଁ ଦିଲ୍ଲୀରେ କୃଷି ଆଇନ ବିରୋଧରେ ଲଢ଼େଇ କରୁଥିବା ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଦେଶର ପ୍ରତି କୋଣରେ ପହଞ୍ଚିବ।

ସେମାନେ ଆହୁରି କହିଥିଲେ ଯେ ୨୦୧୭ମସିହାରେ ଓଡ଼ିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଜେପି ସମର୍ଥନ କରିଥିଲା। ମାତ୍ର କେନ୍ଦ୍ରରେ ବିଜେପି ଏହାକୁ ବିରୋଧ କରୁଛି।

କେନ୍ଦ୍ର ସରକାରଙ୍କ ଏହି ତିନି ଆଇନ କୃଷି ଆଇନ ଦେଶରେ ଲମ୍ବା ସମୟ ଧରି ଚାଲୁଥିବା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବୋଲି ଦର୍ଶାଇ ଚାଷୀନେତାମାନେ କହିଲେ ଯେ ଏହି ଆନ୍ଦୋଳନରେ ସର୍ବାଧିକ ସଂଖ୍ୟକ ଲୋକ ସାମିଲ ହୋଇଛନ୍ତି। ଆଇନ ପ୍ରତ୍ୟାହାର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏବଂ ଆନ୍ଦୋଳନକାରୀ ଚାଷୀ ସଙ୍ଗଠନ ମଧ୍ୟରେ ୧୨ଟି ବୈଠକ ହୋଇ ସାରିଛି। ପ୍ରଥମ ୪ଟି ବୈଠକରେ ଆଇନର ପ୍ରତି ଧାରାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଜୋରଦାର ବିରୋଧ କରାଯାଇଥିଲା। କିନ୍ତୁ ସରକାର ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛନ୍ତି। ଏପରିକି ଜାନୁଆରି ୨୨ ତାରିଖ ଶେଷଥରର ଆଲୋଚନା ପରେ ଆଉ ଆଲୋଚନା ମଧ୍ୟ ହୋଇନାହିଁ। ଲକ୍‌ଡାଉନ୍‌ରେ ଯେଉଁଭଳି ସ୍ବତନ୍ତ୍ର ଅଧ୍ୟାଦେଶ ଜରିଆରେ କୃଷି ଆଇନ ପ୍ରସ୍ତୁତ କରାଯାଇଥିଲା, ଏଥିଯୋଗୁଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିଲା। ଅନେକ ପୂର୍ବରୁ ଏହାକୁ ନେଇ ସନ୍ଦେହ ରହିଥିଲା। ଆଇନ ଦେଖିଲେ ଏହାକୁ କୌଣସି ପ୍ରଶାସକ ନୁହେଁ; ବରଂ ପୁଞ୍ଜିପତି ସଂସ୍ଥା ଲେଖିଥିବା ସ୍ପଷ୍ଟ ହୋଇଯାଉଛି। ଏହି ଆଇନ ଜରିଆରେ କୃଷିକୁ କର୍ପୋରେଟ ହାତରେ ଟେକି ଦେବାର ଷଡ଼ଯନ୍ତ୍ର କରାଯାଇଛି। ଏଥିଯୋଗୁଁ ବଡ଼ ଅସମାନତା ସୃଷ୍ଟି ହେବା ସହିତ ନିର୍ଦିଷ୍ଟ ପରିବାର ହାତରେ ଦେଶର ସମ୍ପତ୍ତି କେନ୍ଦ୍ରୀଭୂତ ହୋଇ ରହିବ। ଅତ୍ୟାବଶକ ସାମଗ୍ରୀ ଆଇନ ସଂଶୋଧନ ଜରିଆରେ ସ୍ପଷ୍ଟ ରୂପରେ କେବଳ ଆଦାନି ଭଳି କମ୍ପାନି ହିଁ ଲାଭାନ୍ବିତ ହେବ। ତେଣୁ ଆଜି ଏହା ଚାଷୀ ବନାମ କର୍ପୋରେଟ୍‌ ଲଢ଼େଇରେ ପରିଣତ ହୋଇସାରିଛି। ଆର୍ଥିକ ପରାଧୀନତା ବିରୋଧରେ ମଧ୍ୟ ଏହି ଲଢ଼େଇ କରାଯାଉଛି। ଅନ୍ୟପକ୍ଷରେ କୃଷି ମାର୍କେଟିଂ ରାଜ୍ୟ ବିଷୟ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାର କିଭଳି ଆଇନ ପ୍ରସ୍ତୁତ କଲା ଏହାକୁ ନେଇ ମଧ୍ୟ ସଙ୍ଗଠନ ପ୍ରଶ୍ନ କରିଛି।