ଭଞ୍ଜନଗର: ଆଷାଢ଼ ଛୁଇଁଲା। ତଥାପି ବର୍ଷାର ଦେଖାମିଳୁନି। ଗତ ସପ୍ତାହରେ ମୌସୁମୀ ପ୍ରଭାବରେ ଦୁଇରୁ ତିନିଦିନ ଧରି ବର୍ଷା ହେବା ପରେ ଚଳିତ ସପ୍ତାହ ଆରମ୍ଭରୁ ପୁଣି ଗରମ ଫେରିଛି। ପ୍ରଚଣ୍ଡ ରୌଦ୍ରରେ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇଥିବା ବେଳେ ଚାଷୀ ମୁଣ୍ଡରେ ମଧ୍ୟ ଏବେ ଭାଳେଣି ପଡ଼ିଛି। ଚାତକ ଭଳି ଚାଷୀ ବର୍ଷାକୁ ଯେମିତି ଚାହିଁବସିଛି। କାରଣ ବର୍ଷା ହେଲେ ଜମିକୁ ଚାଷୀ କାଦୁଅ କରିବା ସହ ରୋଇବା କାମ ଆରମ୍ଭ କରିବ। କିନ୍ତୁ ବର୍ଷାଭାବ ହେତୁ ଚାଷୀର ସବୁ ଯୋଜନା ଫସର ଫାଟିଛି। ଏବେ ତଳି ପକାଇଥିବା ବେଳେ ଧାନ ନଷ୍ଟ ହୋଇଯିବା ଚିନ୍ତାରେ ଚାଷୀ ରହିଥିବା ଦେଖିବାକୁ ମିଳିଛି।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଆସିକା କୃଷି ଜିଲ୍ଲାକୁ ବିଚାରରେ ନେଲେ ବର୍ଷାଭାବରୁ ଚାଷୀଙ୍କ ସ୍ଥିତି ସଂଗିନ୍ ପାଲଟିଛି। ଜମିରେ ପାଣି ନଥିବାରୁ ମାଟି ଫାଟି ଆଁ କରିଥିବା ବେଳେ ଗଜାମରୁଡ଼ି ଆଶଙ୍କା ଦେଖାଦେଇଛି। ମୁଖ୍ୟତଃ ଜୁନ୍ ଓ ଜୁଲାଇ ମାସରେ ହିଁ ଧାନଚାଷ ଆରମ୍ଭ ହୋଇଥାଏ। ଉଭୟ କୃଷି ଜିଲ୍ଲାରେ ଚାଷୀ ବୁଣା ଓ ରୁଆ ଦୁଇ ପ୍ରକାର ଧାନଚାଷ କରିଥାନ୍ତି। ଏହାମଧ୍ୟରେ ଅନେକ ଚାଷୀ ଧାନ ନେଇ ଜମିରେ ବୁଣିଥିବା ବେଳେ ତାହା ଏବେ ଚାରା ହୋଇଗଲାଣି। କିନ୍ତୁ ବର୍ଷାଭାବରୁ ବେଉଷଣ ହୋଇପାରୁନି। ଫଳରେ ସେହି ଧାନର ଅବସ୍ଥା କଣ ହେବ ଏହା ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ସେହିପରି ରୁଆ ଧାନ ପାଇଁ ଚାଷୀ ଜମିରେ ତଳି ପକାଇ ଦେଇଛନ୍ତି।
ତାହା ଏବେ ରୋଇବା ପାଇଁ ଉପଯୁକ୍ତ ହୋଇଥିବା ବେଳେ ବର୍ଷାଭାବରୁ ଜମି କାଦୁଅ ହୋଇପାରୁନି କି ରୁଆଇ ହୋଇପାରୁନି। ଭଞ୍ଜନଗର ବ୍ଲକ୍ ଅଧୀନ ସାନକୋଦଣ୍ଡା ଯୋଗୀମାରୀ ଓ ବାହାଡ଼ାପଦର ଇଲାକାରେ କିଛି ଚାଷୀ ଗତ କିଛି ଦିନ ତଳେ ହୋଇଥିବା ବର୍ଷାକୁ ଦେଖି ଧାନରୁଆ ଆରମ୍ଭ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ପାଣି ମଡ଼ାଇ ଏହାକୁ ବଞ୍ଚାଇବାକୁ ଦିନରାତି ପ୍ରୟାସ କରୁଛନ୍ତି। ଦିନ ପରେ ଦିନ ଗଡ଼ିଯାଉଛି ହେଲେ, ପର୍ଯ୍ୟାପ୍ତ ବର୍ଷା ହେଉ ନଥିବାରୁ ଖରିଫ୍ ଧାନଚାଷ କେମିତି ହେବ ଏହି ଚିନ୍ତା ଚାଷୀକୁ ଘାରିଛି।
ଭଞ୍ଜନଗର ଉପଖଣ୍ଡକୁ ବିଚାରରେ ନେଲେ ଭଞ୍ଜନଗର ବ୍ଲକରେ ଜୁନ୍ ମାସରେ ୫୮ ମିମି ବର୍ଷା ହୋଇଥିବା ବେଳେ ବେଲଗୁଣ୍ଠାରେ ୬୧.୫୦ ମିମି, ଜଗନ୍ନାଥପ୍ରସାଦରେ ୯୮.୪୦ ମିମି, ବୁଗୁଡ଼ାରେ ୪୮ ମିମି, ଆସିକାରେ ୭୬.୬୦ ମିମି, ଧରାକୋଟରେ ୪୩.୫୦ ମିମି, ଶେରଗଡ଼ରେ ୬୩ ମିମି ଓ ସୋରଡ଼ା ବ୍ଲକ୍ରେ ୫୯ ମିମି ବର୍ଷା ହୋଇଛି। କିନ୍ତ ଏହି ବର୍ଷା ପର୍ଯ୍ୟାପ୍ତ ନୁହେଁ। ଆଗାମୀ ଦିନରେ ଭଲ ବର୍ଷା ନହେଲେ ଚାଷ କ୍ଷେତ୍ରରେ ବହୁ କ୍ଷତିଗ୍ରସ୍ତ ହେବା ନେଇ ଚାଷୀମାନେ ପ୍ରକାଶ କରିଛନ୍ତି।