ତଳି ବୁଣା ସରିଛି, ବଡ଼ ବର୍ଷା ଅପେକ୍ଷାରେ ଚାଷୀ

ଦରକାର ୧୬୮ ମିମି. ବହୁ ବ୍ଳକ୍ରେ ଡ଼େଇଁନି ୬୦ ମିମି., ଧରାକୋଟରେ ସବୁଠୁ ଅଧିକା, ବୁଗୁଡାରେ କମ୍

ଭଞ୍ଜନଗର: ମୌସୁମୀର ଆଗମନ ସହ ପାଣି ପାଗ ବିଭାଗର ଘୋଷଣା ପରେ ଚାଷ କାମ ପାଇଁ ଚାଷୀ ଅଣ୍ଟା ଭିଡିଛି। କରୋନା କାଳରେ ସମସ୍ତଙ୍କ ପେଟକୁ ଦାନା ଯୋଗାଡ କରିବା ପାଇଁ ଚାଷୀକୂଳ ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ସାମାଜିକ ଦୂରତା,ମାସ୍କ ପରିଧାନ, ସଙ୍ଗରୋଧ ଓ ଗୃହାବଦ୍ଧ ଏଭଳି କିଛି ଶଦ୍ଦ ପ୍ରତିଦିନ ସବୁଠି ପ୍ରକମ୍ପିତ ହେଉଥିବା ବେଳେ ଏଥିରୁ ଟିକେ ନିଜକୁ ଦୂରେଇ ଯାଇ ଚାଷୀ ଚାଷ କାର୍ଯ୍ୟ ଆଡ଼କୁ ମୁହାଁଇଛି। କିନ୍ତୁ ଆବଶ୍ୟକ ପରିମାଣ ବର୍ଷା ବର୍ତ୍ତମାନ ସୁଦ୍ଧା ହୋଇନଥିବାରୁ ଚାଷୀ ମାନଙ୍କୁ ଚିନ୍ତାରେ ପକାଇଛି। ବର୍ତ୍ତମାନ ଜମିରେ ବିହନ ପକାଇ ଚାଷୀମାନେ ତଳି ପକାଇଥିବା ବେଳେ ବଡ ବର୍ଷାର ଦରକାର ବୋଲି ଚାଷୀ ମାନେ  ପ୍ରକାଶ କରିଛନ୍ତି। ଚାଷ କାର୍ଯ୍ୟ ପାଇଁ ଏହି ସମୟରେ ପ୍ରତ୍ୟେକ ବ୍ଲକରେ ଜୁନ ମାସରେ ୧୬୮ ମିମି ବର୍ଷ ଆବଶ୍ୟକ ରହିଥିବା ବେଳେ ରୁଆ ବେଉଷଣ ସମୟରେ ଅର୍ଥାତ୍ ଜୁଲାଇ ମାସରେ ୨୨୦.୮ ମିମି ବର୍ଷା ଆବଶ୍ୟକତା ରହିଛି। ଭଞ୍ଜନଗର ଉପଖଣ୍ଡର ୮ ଟି ବ୍ଳକ୍ରୁ ଆଜି ସୁଦ୍ଧା କେବଳ ଦୁଇଟି ବ୍ଳକ୍ରେ ୧୫୦ ମିମିରୁ ଅଧିକା ବର୍ଷା ହୋଇଥିବା ଜଣାପଡ଼ିଛି।

ବିଗତ ବର୍ଷ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ଜୁନ ମାସାରେ ଭଞ୍ଜନଗର ବ୍ଲକରେ ୨୪୨ ମି.ମି ହୋଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୩୪ ମିମି. ସେହିପରି ବେଲଗୁଣ୍ଠା ବ୍ଲକରେ ୧୮୨ ମିମି ହୋଇଥିବା ବେଳେ ଚଳିତ ବର୍ଷ ୫୬ ମିମି,ଜଗନ୍ନାଥ ପ୍ରସାଦ ବ୍ଲକରେ ୨୪୮.୩ ମିମି ହୋଇଥିବା ବେଳେ ଚଳିତବର୍ଷ ୫୮.୧୦ ମିମି.,ବୁଗୁଡା ବ୍ଲକରେ ୧୮୯ ମିମି ହୋଇଥିବା  ବେଳେ ଚଳିତବର୍ଷ ୧୮ ମିମି., ଆସିକା ବ୍ଲକରେ ୨୮୩ ମିମି.ହୋଇଥିବା ବେଳେ ଚଳିତ ବର୍ଷ ୮୬.୬୦ ମିମି., ଧରାକୋଟ ବ୍ଲକରେ ୩୨୫ ମିମି ହୋଇଥିବା ବେଳେ ଚଳିତ ବର୍ଷ ୧୫୭ ମିମି., ଶେରଗଡ ବ୍ଲକରେ ୩୭୯ ମିମି. ହୋଇଥିବା ବେମଳେ ଚଳିତ ବର୍ଷ ୧୫୦.୨୦ ମିମି. ଓ ସୋରଡା ବ୍ଲକରେ ୨୮୯ ମିମି. ହୋଇଥିବା ବେଳେ ଚଳିତ ବର୍ଷ ୪୮.୭୦ ମିମି. ବର୍ଷା ହୋଇଛି। ବୁଗୁଡ଼ାରେ ବହୁତ କମ୍ ବର୍ଷା ହୋଇଥିବା ବେଳେ ଭଞ୍ଜନଗର ଇଲାକାରେ ମଧ୍ୟ ବିଶେଷ ବର୍ଷା ହୋଇନାର୍ହି। କେବଳ ଧରାକୋଟ ଏବଂ ଶେରଗଡ ବ୍ଳକ୍ରେ ଭଲ ବର୍ଷା ହୋଇଥିବା ଜଣାପଡିଛି।

ଉପଖଣ୍ଡର ୮ଟି ବ୍ଲକରେ ୭୪ ହଜାର ୯୭ ହେକ୍ଟର ଜମିରେ ବୁଣା ଓ ରୁଆ ଧାନ ପାଇଁ ଯୋଜନା ହୋଇଛି। ବର୍ଷା ଦିନରେ ଧାନ ଚାଷ ପାଇଁ ଚାଷୀମାନେ  ଜୁନ ମାସରୁ ବୁଣା ଆରମ୍ଭ କରୁଥିବା ତଳି ପକାଇ ଜୁଲାଇ ମାସରେ ଜମି କାଦୁଅ କରୁଥିଲେ। ଏଥିସହ ରୁଆ ଧାନ ମଧ୍ୟ ସେହିପରି ଜୁଲାଇ ମାସ ସୁଧା ଶେଷ କରିବାକୁ ପଡେ ସଠିକ୍ ସମୟରେ ଯଦି ଆବଶ୍ୟକ ପରିମାଣର ବର୍ଷା ନହୁଏ ତେସବେ ଚାଷ କାର୍ଯ୍ୟ ବିଳମ୍ବ ହେବାର ସମ୍ଭାବନା ଦେଖା ଦେଇଛି। ଅନ୍ୟପଟେ ଆସନ୍ତା ମାସ ଦ୍ବିତୀୟ ସପ୍ତାହ ଆଡ଼କୁ ରୁଆ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି। ସେଥିପାଇଁ ସାରର ପର୍ଯ୍ୟାୟ କ୍ରମେ ଆବଶ୍ୟକତା ରହିଥିବା ବେଳେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରର ଅଭାବକୁ ନେଇ ଚାଷୀକୂଳ ଚିନ୍ତାରେ ରହିଛି। ତେଣୁ ସାର ଆସିବା କ୍ଷଣି ଆଗୁଆ ନେଇ ଗଚ୍ଛିତ ରଖିବାକୁ ଯୋଜନା କରିଥିବା କିଛି ଚାଷୀ ପ୍ରକାଶ କରିଛନ୍ତି। ସାର ଅଭାବ ଏଡାଇବା ସହ କଳାବଜାର ରୋକି ସହଜରେ ଚାଷୀଙ୍କ ନିକଟରେ ସାର କିଭଳି ପହଞ୍ଚି ପାରିବ ସେଥି ନେଇ ଏବେଠାରୁ ଯୋଜନା କରିବା ଜରୁରୀ।

ସମ୍ବନ୍ଧିତ ଖବର