ରାୟଗଡା: ଜିଲ୍ଲାରେ ବର୍ଷାର ଦେଖା ନାହିଁ। ଏପଟେ କେନାଲ ଶୁଖିଲା ପଡ଼ିଛି। ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଯାଏଁ ଶହ ଶହ ହେକ୍ଟର ଚାଷ ଜମିରେ ଲଙ୍ଗଳ ବୁଲି ନଥିବା ବେଳେ କିଛି ସ୍ଥାନରେ ତଳିଘରା ପଡ଼ିଥିଲେ ମଧ୍ୟ ପାଣି ଅଭାବରୁ ରୁଆ ହୋଇପାରୁନାହିଁ। ତଳି ଗଜା ହୋଇପଡିଲାଣି। ଏପଟେ କୃଷି ବିଭାଗ କର୍ମଚାରୀମାନେ କଲମଜ ଛାଡ ଆନ୍ଦୋଳନ ଜାରି ରଖିଛନ୍ତି। ଚାଷକୁ ନେଇ ଧାର କରଜ କରିଥିବା ଚାଷୀକୁଳ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଶହଶହ ହେକ୍ଟର ଚାଷ ଜମି ପାଇଁ ପାଣି ନାହିଁ। କେଉଁଠି ଏକର ଏକର ଚାଷ ଜମିରେ ଏଯାଏଁ ଲଙ୍ଗଳ ବୁଲି ନଥିବା ବେଳେ ଆଉ କେଉଁ ସ୍ଥାନରେ ପାଣି ଅଭାବରୁ ତଳି ଘରା ଖରାରେ ପୋଡ଼ି ନଷ୍ଟ ହବାରେ ଲାଗିଛି। ଗୋଟେ ପଟେ ବର୍ଷାର ଦେଖା ନାହିଁ, ଅନ୍ୟପଟେ ପାଣି ନଥିବାରୁ ସିଲଟିଗୁଡା କେନାଲ ଶୁଖିଲା ପଡ଼ିଛି।

Advertisment

ରାୟଗଡା ଜିଲ୍ଲାରେ ଏପରି ଘୋର ସମସ୍ୟା ଦେଖା ଦେଇଛି। ଏହି କେନାଲ ଉପରେ ନିର୍ଭର କରୁଥିବା ପ୍ରାୟ ୧୦୦୦ ହେକ୍ଟର ଜମିର ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଅର୍ଥାତ ପ୍ରାୟ ୨୫୦୦ ଏକର ଜମିରେ ପାଣି ମାଡିନଥିବାରୁ ଧାନ ଓ କପା ଚାଷ ପ୍ରଭାବିତ ହୋଇଥିବା ଜଣାପଡିଛି। ଗତ ମାସର ସାମାନ୍ୟ ବର୍ଷାରେ ଜିଲ୍ଲାର ଚାଷୀମାନେ କ୍ଷେତରେ ଲଙ୍ଗଳ ବୁଲାଇବା ସହ ତଳି ପାଇଁ ଧାନ ବୁଣିଥିଲେ। ସେହିପରି କପା ଚାଷ ପାଇଁ ଜିଲ୍ଲାର ଚାଷି ଅଗ୍ରଣି ଭାବେ ପରିଚିତ ହୋଇଥିବା ବେଳେ ଏବେ କପା ଚାଷ ମଧ୍ୟ ଅନୁକୁଳ ହୋଇନାହିଁ। ପାଣି ଅଭାବରୁ କିଛି କ୍ଷେତ ଫାଟି ଆଁ କରିଥିବା ବେଳେ ଚାଷୀକୁଳ ଆତଙ୍କିତ ହୋଇପଡିଛନ୍ତି। ଚଳିତ ବର୍ଷ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଚାଷ ପାଇଁ ଏହା ଅନୁକୂଳ ନୁହେଁ ବୋଲି ଜୁରୀ କଣ୍ଡାଗରି, ମାଧବ ରାଓ ସାରକା, ଅନନ୍ଦ ରାଓ ମେନକା ପ୍ରମୁଖ ଚାଷୀ ପ୍ରକାଶକରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଚାଷୀଙ୍କ ପ୍ରଧାନ ଚାଷ ଧାନ ହୋଇଥିବା ବେଳେ ଏବେ କପା ଚାଷକୁ ମଧ୍ୟ ଚାଷୀମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ପ୍ରତି ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଭଲ ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ମାତ୍ର ୨୧୫.୭ ମିଲିମିଟର ବର୍ଷା ହୋଇଛି। କୃଷି ବିଭାଗ କହିବା ଅନୁଯାୟୀ ଅଗଷ୍ଟ ମାସରେ ୨୭୩.୭ ମିଲିମିଟର ବର୍ଷା ହେବା କଥା। ସେହିପରି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସର ବର୍ଷା ରିପୋର୍ଟ ଦେଖିବା ତେବେ ପ୍ରାୟ ୨୨ ପ୍ରତିଶତ କମ୍ ବର୍ଷା ହୋଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହେଲେ ଜିଲ୍ଲାରେ ଚାଷୀ ଅସୁବିଧାର ସମ୍ମୁଖିନ ହେବେ ବୋଲି ଜିଲ୍ଲା ମୂଖ୍ୟ କୃଷି ଅଧୀକାରୀ ପ୍ରକାଶ କରିଛନ୍ତି।

publive-image

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ୧ ଲକ୍ଷ ୮୨ ହଜାର ୬୦୪ ହେକ୍ଟର ଚାଷ ଜମି ରହିଥିବା ବେଳେ ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। ସେହିପରି ୪୮ ହଜାର ହେକ୍ଟର ଚାଷ ଜମିରେ କପା, ୨୦ ହଜାର ହେକ୍ଟର ଜମିରେ ମାଣ୍ଡିଆ, ୧୫ ହଜାର ହେକ୍ଟର ଜମିରେ ମକା ଓ ବଳକା ଜମିରେ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ପନିପରିବା ଉତ୍ପାଦନ ହୋଇଥାଏ। ଜିଲ୍ଲାରେ ୭୦ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ବଳକା ୧ ଲକ୍ଷ ୧୨ ହଜାର ୬୦୦ ହେକ୍ଟର ଚାଷ ଜମି ଅଣଜଳସେଚିତ ଅବସ୍ଥାରେ ରହିଛି। ବର୍ତ୍ତମାନ ସୁଦ୍ଧା ୨ ଶହ ହେକ୍ଟର ଚାଷ ଜମିରେ ତଳି ପକା ଶେଷ ହୋଇଥିବା ବେଳେ ପାଣି ଅଭାବରୁ ତଳି ଗୁଡିକ ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ସୋସାଇଟି ରୁଣ ଓ ଧାର କରଜ କରି ଚାଷ କାମ ଆରମ୍ଭ କରିଥିବା ଚାଷି ଚିନ୍ତାରେ ପଡିଯାଇଛି।

ଅନ୍ୟପଟେ ଚାଷ କାର୍ଯ୍ୟ ବ୍ୟାହତ ହବା କଥାକୁ ଜିଲ୍ଲା କୃଷି ଅଧିକାରୀ ସ୍ୱୀକାର କରିଥିବା ବେଳେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେବା ନେଇ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସ୍ୱୀକାର କରିଛନ୍ତି। ବର୍ଷା ଅଭାବରୁ ଜିଲ୍ଲାର ଶତାଧୀଳ ଚାଷି ଧାନ ପରିବର୍ତ୍ତେ କପା ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ବର୍ଷା ନହବା ଯୋଗୁଁ ଉକ୍ତ କପା ଚାଷ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେବେ ଆଗକୁ ବର୍ଷା ନହେଲେ ମରୁଡିର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି କୃଷି ବିଶେଷଜ୍ଞ ମତ ଦେଇଛନ୍ତି।