ସମ୍ବଲପୁର : ସରକାରଙ୍କୁ ଚରମବାଣୀ ଶୁଣାଇଲା ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି। ଡିସେମ୍ବର ୪ ତାରିଖ ସୁଦ୍ଧା ଏକର ପିଛା ଧାନ ସଂଗ୍ରହ ଏବଂ ଟୋକନ ସମସ୍ୟା ସମାଧାନ ନହେଲେ ୫ ତାରିଖରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀ ଧାନ ସହ ରାସ୍ତାକୁ ଓହ୍ଲାଇବ। ପ୍ରତି ଗାଁରୁ ଚାଷୀ ବାହାରି ଆନ୍ଦୋଳନ କରିବ। ଏହି ଆନ୍ଦୋଳନର ରୂପରେଖ କଣ ରହିବ ସେ ସଂକ୍ରାନ୍ତରେ କିଛି କୁହାଯାଇ ପାରିବ ନାହିଁ। ସମ୍ବଲପୁର ସ୍ଥିତ ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ସମିତିର ଆବାହକ ଅଶୋକ ପ୍ରଧାନ। ଏହି ଅବସରରେ ସେ କହିଛନ୍ତି, ଅତୀତରେ ବରଗଡ଼ ଜିଲ୍ଲା ବରାହଗୁଡ଼ାରେ ୭୨ ଘଣ୍ଟା ଆନ୍ଦୋଳନ ହୋଇଥିଲା। ସଚିବ ଆସିବା ପରେ ସମାଧାନ ହୋଇଥିଲା। ଚଳିତ ବର୍ଷ ଉପରୋକ୍ତ ଦୁଇ ଦାବି ନେଇ ପଶ୍ଚିମ ଓଡ଼ିଶାର ସବୁଠି ଆନ୍ଦୋଳନ ପାଇଁ ଆହ୍ବାନ ଦିଆଯାଇଛି। ତେଣୁ ଆରମ୍ଭରୁ ଏହାର ସମାଧାନ ନ ହେଲେ ଆନ୍ଦୋଳନ ଦିନ କେଉଁ ସଚିବ କେଉଁଠି ଯାଇ ସମାଧାନ କରିବେ ସରକାର ନିଷ୍ପତ୍ତି ନେବେ।
ବମ୍ପର ଫସଲ ବର୍ଷରେ ଅଣଜଳସେଚିତ ଏବଂ ଜଳସେଚିତ ଅଞ୍ଚଳରେ ଏକର ପିଛା ଧାନ ସଂଗ୍ରହ ଯଦି ୧୩ ଏବଂ ୧୯ କ୍ବିଣ୍ଟାଲ ହୋଇ ରହିବ ତେବେ ଚାଷୀ ଅବିକ୍ରିର ଶିକାର ହେବ। ରାଜ୍ୟ ସରକାର ବିକେନ୍ଦ୍ରୀକରଣ କଥା କହୁଛନ୍ତି। ଧାନ ସଂଗ୍ରହର ପ୍ରତ୍ୟେକ ନୀତି ଭୁବନେଶ୍ବର ଏବଂ ଦିଲ୍ଲୀରେ ହେଉଛି। ଡିଏଲ୍ପିସି କେବଳ ପ୍ରହସନ ପାଲଟିଯାଇଛି। ଡିଡିଏଙ୍କ ପକ୍ଷରୁ ଦିଆଯାଉଥିବା କ୍ରପ୍ କଟିଂ ରିପୋର୍ଟ ଅନୁସାରେ ଯଦି ଚାଷୀଙ୍କ ପାଇଁ ଏକର ପିଛା ଧାନ ସଂଗ୍ରହ ନିର୍ଧାରଣ ହେବ ନାହିଁ ତାହେଲେ କ୍ରପ୍ କଟିଂ ରିପୋର୍ଟର ପ୍ରହସନ କାହିଁକି ବୋଲି ସଂଗଠନ ପ୍ରଶ୍ନ କରିଛି। ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ଦେବଗଡ଼ ଜିଲ୍ଲାର କୃଷି ଉପନିର୍ଦେଶକମାନେ ଏକର ପିଛା ଧାନ ସଂଗ୍ରହ ଜଳସେଚିତ ଅଞ୍ଚଳରେ ୨୨ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ୧୭ରୁ ୧୮ କ୍ବିଣ୍ଟାଲ ପ୍ରସ୍ତାବ ଦେଇଥିଲେ। ଏହା ସତ୍ତ୍ବେ କେଉଁ ଆଧାରରେ ଏହାକୁ ୧୯ ଏବଂ ୧୩ କ୍ବିଣ୍ଟାଲ କରାଯାଇଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଜିଲ୍ଲା ସ୍ତରରେ ହେଉଥିବା ଧାନ ସଂଗ୍ରହ କମିଟିର ନିଷ୍ପତ୍ତିକୁ ଗୁରୁତ୍ବ ଦିଆଯାଇ ଜିଲ୍ଲାରେ ହେଉଥିବା ଉତ୍ପାଦନ ହାରକୁ ଆଧାର କରି କେଉଁ ଜିଲ୍ଲାରେ ଏକର ପିଛା କେତେ ଧାନ ସଂଗ୍ରହ କରାଯିବ ତାହା ସ୍ଥିର ହେଉଥିଲା। ଧାନ ଉତ୍ପାଦନ ହାର, ଉତ୍ପାଦନ ସମୟ, ଜମି ବ୍ୟବସ୍ଥା, ପଦ୍ଧତିଗତ ବ୍ୟବସ୍ଥା ସବୁଠି ସମାନ ନୁହେଁ। ବିବିଧତାକୁ ଆଖି ଆଗରେ ରଖି ଏକର ପିଛା ଧାନ ସଂଗ୍ରହର ପରିମାଣ ସ୍ଥିର ହେବା କଥା। ପ୍ରତି ଜିଲ୍ଲାର ଖରିଫ୍ କ୍ରପ୍ କଟିଂ ରିପୋର୍ଟକୁ ଆଧାର କରାଯିବା ଉଚିତ। କିନ୍ତୁ କିଛି ବର୍ଷ ହେଲା ରାଜଧାନୀରେ ଏହି ନିଷ୍ପତ୍ତି ହେଉଛି। ତା ପରଠାରୁ ସମସ୍ୟା ଆରମ୍ଭ ହୋଇଛି।
ତ୍ରୁଟିପୂର୍ଣ୍ଣ ଟୋକନ୍ ବ୍ୟବସ୍ଥା ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ହେଉଥିବା ଟୋକନ୍ ବ୍ୟବସ୍ଥାରେ ସମସ୍ୟା ସମାଧାନର କ୍ଷମତା ଜିଲ୍ଲା ସ୍ତରରେ ରହୁଥିଲା। ବର୍ତ୍ତମାନ ଆଧାର ମିସ୍ ମ୍ୟାଚ୍ ସମାଧାନ ପାଇଁ ବି ଦିଲ୍ଲୀକୁ ଅନେଇବାକୁ ପଡ଼ୁଛି। ଉପକୂଳ ଅଞ୍ଚଳର ଧାନ ବିକ୍ରିକୁ ଧ୍ୟାନ ଦେଇ ବିକ୍ରି ତାରିଖ ଫେବ୍ରୁଆରି, ମାର୍ଚ ପର୍ଯ୍ୟନ୍ତ କରାଯାଇଛି। ଏକର ପିଛା ଧାନ କ୍ରୟ ବୃଦ୍ଧି, ଟୋକନ୍ ବ୍ୟବସ୍ଥାରେ ସୁଧାର, ରାଜଧାନୀରୁ ନିୟନ୍ତ୍ରଣ ବଦଳରେ ଜିଲ୍ଲା ସ୍ତରକୁ କ୍ଷମତା ହସ୍ତାନ୍ତରଣ, ଜିଲ୍ଲା କ୍ରୟ କମିଟି, ଜିଲ୍ଲାଓ୍ବାରୀ କ୍ରପ୍ କଟିଂ ରିପୋର୍ଟକୁ ଗୁରୁତ୍ବ ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/paddy-procurement1.jpg)