ପଙ୍ଗପାଳ ମୁକାବିଲା ପାଇଁ ଅଣ୍ଟାଭିଡ଼ିଲେ ସରକାର, ଚାଷୀଙ୍କୁ ସଚେତନ କରାଯିବ, ଦମକଳ ବାହିନୀ ପ୍ରସ୍ତୁତ ରହିବେ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଲା ସମୀକ୍ଷା ବୈଠକ

ଭୁବନେଶ୍ବର: ଛତିଶଗଡ଼‌େର ପହଞ୍ଚିଥିବା ପଙ୍ଗପାଳ ଓଡ଼ିଶା ଆଡ଼କୁ ନ ଆସି ପୁଣି ମଧ୍ୟପ୍ରଦେଶ ଫେରି ଯାଇଛନ୍ତି। ପବନର ବେଗ ଅନୁସାରେ ସେମାନଙ୍କ ଗତିବିଧି ବଦଳୁଛି। ଯଦିଓ ଏବେ ସେମାନେ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି, କିନ୍ତୁ ଓଡ଼ିଶାକୁ ଯେ କୌଣସି ମୁହୂର୍ତ୍ତରେ ଆସିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତାହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତୁହାକୁ ତୁହା ବୈଠକ କରାଯାଇ ପ୍ରସ୍ତୁତି ଚାଲିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ଓୟୁଏଟିର ବିଶେଷଜ୍ଞମାନେ ବସି ରଣନୀତି ପ୍ରସ୍ତୁତ କରିଥିଲେ। ବିଶେଷଜ୍ଞମାନଙ୍କ ଆକଳନ କହୁଛି, ପଙ୍ଗପାଳ ଓଡ଼ିଶା ଆସିଲେ ବେଶି ବିପଦ ରହିବ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମା‌ଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ। ସେଥି ପାଇଁ ଏହି ସୀମାନ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି। ଆଗାମୀ ୧୦ ଦିନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ଜଣାଇ ଦେଇଛନ୍ତି। ଏହି ସମୟ‌େର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେମାନେ ପରାମର୍ଶ ‌େଦଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ୧୦ ଦିନ ପର୍ଯ୍ୟନ୍ତ ପଙ୍ଗପାଳଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଚାଷୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିସନର୍‌, ସ୍ବତନ୍ତ୍ର ରିଲିଫ୍ କମିସନର୍‌, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓୟୁଏଟି କୁଳପତି, କୃଷି ବିଭାଗର ସ୍ବତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ବିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍‌ କେ ବଶିଷ୍ଠ କହିଛନ୍ତି ‌େଯ ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ୧୫ ଲକ୍ଷ ଚାଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଅନ୍ୟ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଉଛି। କୃଷି ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର କହିଛନ୍ତି ଯେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ରାଜ୍ୟର ସାଢ଼େ ୬ ଲକ୍ଷ ଚାଷୀଙ୍କୁ ହ୍ବାଟ୍ସ୍‌ ଅପ୍ ମେସେଜ୍ ଏବଂ ୮ ଲକ୍ଷ ଚାଷୀଙ୍କୁ ଭଏସ୍‌ ମେସେଜ୍ ପଠାଯିବାର ବ୍ୟବସ୍ଥା କରାଯାଇଛି। ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କୁ ତାଲିମ ସହ ତଦାରଖ ଦାୟିତ୍ବ ଦିଆଯାଛି। ଅଗ୍ନିଶମ ବିଭାଗ ସହ ସମନ୍ବୟ ରଖି ବଡ଼ ସ୍ପ୍ରେୟର୍‌ ପ୍ରସ୍ତୁତ ରଖାଯାଉଛି।

ସମ୍ବନ୍ଧିତ ଖବର