ଭୁବନେଶ୍ୱର/ବାରଙ୍ଗ: ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ପାଇଁ ରାଜ୍ୟର ‘ଗୋ ଅର୍ଥନୀତି’କୁ ସମୃଦ୍ଧ କରାଯିବ। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କାମଧେନୁ ଯୋଜନାରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଏଥିପାଇଁ ଆଜି ନ୍ୟାସନାଲ୍ ଡାଏରି ଡେଭଲପ୍ମେଣ୍ଟ ବୋର୍ଡ(ଏନ୍ଡିଡିବି) ଓ ଓମ୍ଫେଡ୍ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ଚୁକ୍ତି ଅନୁସାରେ ଏନ୍ଡିଡିବି ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ୩ରୁ ୪ ହଜାର ଗାଈ ଯୋଗାଇଦେବ। ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ଲକ୍ଷ ଲିଟର ରହିଛି। କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଓ ୨୦୪୭ ସୁଦ୍ଧା ୨୭୪ ଲକ୍ଷ ଲିଟରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ଦିନରେ ଏନ୍ଡିଡିବି ସହାୟତାରେ ରାଜ୍ୟରେ ଗୋବର ଗ୍ୟାସ ପ୍ଲାଣ୍ଟ୍ ମଧ୍ୟ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଚାଷୀମାନେ ଗୋବର ଗ୍ୟାସ୍ ବ୍ୟବହାର କରି ପାରିବେ ଓ ବଳକା ଗ୍ୟାସ୍ ବିକ୍ରି କରିପାରିବେ। ଏହାଦ୍ବାରା ରାଜ୍ୟ ଗୋ-ଚାଷୀମାନେ ଗୋବରରୁ ଆୟ କରପାରିବେ ଓ ଗୋ-ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟର ‘ଗୋ ଅର୍ଥନୀତି’କୁ ସମୃଦ୍ଧ କରାଯିବ: ମୁଖ୍ୟମନ୍ତ୍ରୀ
ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓ ଓମ୍ଫେଡ୍ ଚୁକ୍ତିନାମା
ଓମ୍ଫେଡ୍ କର୍ମଚାରୀ କ୍ୱାର୍ଟର୍ସ, ଦୁଗ୍ଧ ଗୁଣ୍ଡ ପ୍ୟାକିଙ୍ଗ ମେସିନ୍ ଉଦ୍ଘାଟିତ
ଦୁଗ୍ଧ ଚାଷୀ ସଂଘଙ୍କୁ ୨୨ ନୂତନ ଦୁଗ୍ଧ ପରିବହନ ଟ୍ୟାଙ୍କର୍ ପ୍ରଦାନ
ଆଜି କଟକ ଅରିଲୋସ୍ଥିତ ଓମ୍ଫେଡ୍ ଦୁଗ୍ଧ କାରଖାନାଠାରେ ଆୟୋଜିତ ଉତ୍ସବରେ ଏନ୍ଡିଡିବି ଓ ଓମ୍ଫେଡ୍ ମଧ୍ୟରେ ଚୁକ୍ତିନାମା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନିଟି ଗୁଣ୍ଡ ଦୁଗ୍ଧ ପ୍ୟାକିଂ ମେସିନ୍ର ଉଦ୍ଘାଟନ କରିଥିଲେ। ୭.୫୦ କୋଟି ଟଙ୍କାର ୨ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ଦୁଗ୍ଧ ପରିବହନ ଟ୍ୟାଙ୍କର୍ ରାଜ୍ୟର ବିଭିନ୍ନ ଦୁଗ୍ଧ ଚାଷୀ ସଂଘଙ୍କୁ ପ୍ରଦାନ କରିଥିଲେ। ଓମ୍ଫେଡ୍ ଡାଏରି କାରଖାନାର କର୍ମଚାରୀଙ୍କ ପାଇଁ ନବନିର୍ମିତ ୬୨ଟି କ୍ବାର୍ଟର୍ସ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ୪୫ ବର୍ଷ ଧରି ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଓ ବିକ୍ରୟ ସହିତ ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ବିକାଶରେ ଓମ୍ଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଏବେ ଓମ୍ଫେଡ୍ ଗୁଣ୍ଡ ଦୁଗ୍ଧ, ପନିର, ବଟର, ଛେନାପୋଡ, ଆଇସ୍କ୍ରିମ୍, ସୁବାସିତ ଦୁଗ୍ଧ, ମିଠାଦହି, ପେଡ଼ା, ରାବିଡି ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି। ଯୁବବର୍ଗ ମଧ୍ୟ ଏହା ମାଧ୍ୟମରେ ଭଲ ରୋଜଗାର କରିପାରୁଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ଓ ନୀତିକାନ୍ତି ପାଇଁ ପ୍ରାୟ ୩୦ ମେଟ୍ରିକ୍ ଟନ୍ ଘିଅ ଯୋଗାଇ ଦେବାକୁ ଓମ୍ଫେଡ୍ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୫ଲକ୍ଷ ଗୋପାଳକ ଉପକୃତ ହୋଇପାରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ସହାୟତା ପାଇସାରିଲେଣି। ଗାଈଗୋରୁଙ୍କ ସୁରକ୍ଷା ସହ ଚିକିତ୍ସା ପାଇଁ ଗୋମାତା ଯୋଜନା ଲାଗୁହୋଇଛି। ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମସ୍ତ ପଦକ୍ଷେପ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଭର୍ତ୍ତୃହରି ମହତାବ, ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏନ୍ଡିଡିବି(ଡାଏରୀ ସର୍ଭିସେସ୍)ର ପରିଚାଳନା ନିର୍ଦ୍ଦେଶକ ଦେବାନନ୍ଦ, ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।