ଭୁବନେଶ୍ବର: ପ୍ରାକୃତିକ ସଂପଦର ସୁରକ୍ଷା ତଥା ନଦୀ ଓ ଜଳ ଉତ୍ସଗୁଡ଼ିକର ସଂରକ୍ଷଣ ପାଇଁ ଭୁବନେଶ୍ବର ଲୋହିଆ ଏକାଡେମି ପରିସରରେ ଆଜି ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର, ଲୋକଶକ୍ତି ଅଭିଯାନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ସମ୍ମିଳନୀର ପ୍ରଥମ ଅଧିବେଶନ ସମଦୃଷ୍ଟିର ସଂପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନଗୁଡ଼ିକର ରାଷ୍ଟ୍ରୀୟ ସମନ୍ୱୟ ପ୍ରତିଷ୍ଠାତା ସଦସ୍ୟ ମେଧା ପାଟେକର ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଜଳ, ଜମି ଓ ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦକୁ କେନ୍ଦ୍ରୀକରଣ କରି ସରକାର ଲୋକମାନଙ୍କ ଜୀବନ ଜୀବିକାକୁ ଅଣଦେଖା କରୁଛନ୍ତି ଓ ପ୍ରାକୃତିକ ସଂପଦର ଲୁଣ୍ଠନ କରି ଚାଲିଛନ୍ତି। ପିଢ଼ି ପରେ ପିଢ଼ି ଲୋକମାନେ ବଞ୍ଚାଇ ରଖିଥିବା ପ୍ରାକୃତିକ ସଂପଦକୁ ସରକାର ବଳପୂର୍ବକ କର୍ପୋରେଟ୍ ହାତରେ ଟେକି ଦେଉଛନ୍ତି। ଆଇନ କରାଯାଉଛି, କିନ୍ତୁ ସମ୍ବିଧାନର ମୂଳଭିତ୍ତିକୁ ଦୁର୍ବଳ କରି ଦିଆଯାଉଛି। ଅନୁସୂଚିତ ଅଞ୍ଚଳରେ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଗ୍ରାମସଭାର ଅଧିକାରକୁ ଅସମ୍ମାନିତ କରାଯାଉଛି। ନିୟମଗିରି ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଯୁଗାନ୍ତକାରୀ ରାୟରେ ଯେଉଁ ଗ୍ରାମସଭାକୁ ଅଧିକାର ଦେଇଥିଲେ ତାହାକୁ ସିଜିମାଳି, ଢିଙ୍କିଆ, ଗନ୍ଧମାର୍ଦ୍ଦନ, ବାଲିଆପାଳ ଆନ୍ଦୋଳନ କ୍ଷେତ୍ରରେ ମର୍ଯ୍ୟାଦା ଦିଆଯାଉ ନାହିଁ ବୋଲି ସେ କହିଥିଲେ।
ଏଥିସହ ମେଧା କହିଥିଲେ, ଆଜି ବିକାଶ ନାମରେ ବିନାଶ ଚାଲିଛି। ଯାହା ବିସ୍ଥାପନ ଓ ବିଷମତାକୁ ବଢ଼ାଇ ଚାଲିଛି। ଯେଉଁ କୃଷକ ଓ ଶ୍ରମିକ ସେମାନଙ୍କ ଲହୁ, ଲୁହ ଦେଇ ଭାରତକୁ ବଞ୍ଚାଉଛନ୍ତି, ସେମାନେ ଆଜି ଶୋଷିତ। ସେମାନଙ୍କ ଜୀବନଜୀବିକା ଅଧିକାରକୁ ଛଡ଼ାଇ ନିଆଯାଉଛି। ନଦୀ ଓ ଜଳ ଉତ୍ସଗୁଡ଼ିକୁ ମାରି ଦିଆଯାଉଛି। ବାଲି ଆଜି ବାଲି ମାଫିଆଙ୍କ କବଳରେ। ଯାହା ନଦୀକୁ ମରଣମୁହଁକୁ ଠେଲି ଦେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅବସରରେ ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ଅତିଥି ଭାବେ ଯୋଗ ଦେଇ କହିଲେ, ନିୟମଗିରି, ବାଲନ୍ଦା, ସିଜିମାଳି, କୁଟ୍ରୁମାଳି, ଖଣ୍ଡୁଆଳମାଳି, ରାଜଗାଙ୍ଗପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖଣିଖାଦାନ ଓ ଶିଳ୍ପ ନାମରେ ପ୍ରାକୃତିକ ସଂପଦର ବ୍ୟାପକ ହରିଲୁଟ୍ ଚାଲିଛି। ସେହିପରି ମହାନଦୀ, ବୈତରଣୀ, ଋଷିକୁଲ୍ୟା, ଦୟା, ନାଗାବଳୀ, ବଂଶଧାରା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ଆଦି ନଦୀଗୁଡ଼ିକୁ ତଥା ବିଭିନ୍ନ ପ୍ରାକୃତିକ ଜଳଉତ୍ସ ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁଁ ମୃତ ପ୍ରାୟ ହେବାକୁ ବସିଛି। ଏହାର ପ୍ରତିକାର ଦିଗରେ ସମ୍ମିଳିତ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ପୂର୍ବତନ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା ଅତିଥି ଭାବେ ଯୋଗ ନଦୀର ଜଳକୁ ପିଇବା ପାଣି ଓ ଜଳସେଚନ ବଦଳରେ ଶିଳ୍ପ ପ୍ରତିଷ୍ଠାନ ପାଇଁ ବ୍ୟବହାର କରାଯାଉଥିବା କହିଥିଲେ। ଯେତେବେଳେ ଆମେରିକା ଓ ୟୁରୋପରେ ବଡ଼ ବଡ଼ ନଦୀବନ୍ଧକୁ ବିଲୋପ କରାଯାଉଛି, ସେତେବେଳେ ଆମେ ବଡ଼ ବଡ଼ ନଦୀବନ୍ଧ ଯୋଜନା କରୁଛୁ, ନଦୀର ସ୍ରୋତ ତଥା ଉତ୍ସକୁ ଅବରୋଧ କରୁଛୁ, ଯାହା ନଦୀକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି ବୋଲି ମତ ରଖିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତା ତଥା ଜୟ କିଷାନ୍ ଆନ୍ଦୋଳନର ଲିଙ୍ଗରାଜ, ବାଲନ୍ଦା ଖଣି ବିରୋଧୀ ଆନ୍ଦୋଳନର ଲକ୍ଷ୍ମୀ ସିସା, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ଅନ୍ୟତମ ନେତା ଲିଙ୍ଗରାଜ ଆଜାଦ୍ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ଦ୍ୱିତୀୟ ଅଧିବେଶନ ଜନ ଆନ୍ଦୋଳନଗୁଡ଼ିକର ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏଥିରେ ସଚ୍ଚିକାନ୍ତ ପ୍ରଧାନ, ଅଶୋକ ଠାକ୍ରେ, ମୀନା କୁମାରୀ ଟହଲ୍, ଦୀନବନ୍ଧୁ ଅଧିକାରୀ, ବିଜୟ ପ୍ରଧାନ, ସୁରେନ୍ଦ୍ର ତପସୁ, ନାରାୟଣ ପ୍ରଧାନ, ଶଙ୍କର ପାଣି, ସୁଧୀର ଜେନା, ମନୋଜ ନାୟକ, ମାଗତା ବେହେରା, ଖଦାଳ ସାହୁ, ମିହିର ପ୍ରତାପ ଦାସ, ଦାସୀ ନନ୍ଦୀବାଲି, ହରିସ୍ୱାମୀ ମହାରାଜ ଓ ଅରୁଣ ଜେନା ପ୍ରମୁଖ ନଦୀଗୁଡ଼ିକର ସ୍ଥିତି, ସମସ୍ୟା ଓ ତା’ର ପ୍ରତିକାର ଦିଗରେ ମତ ଉପସ୍ଥାପନ କରିଥିଲେ।