ମିଳିନି ଗତବର୍ଷ ବୀମାରାଶି, ଚିନ୍ତାରେ ଚାଷୀ

ଯୁଯୁମୁରା : ଫସଲ ନଷ୍ଟ ହେଲେ ଚାଷୀଙ୍କ କ୍ଷତିପୂରଣ ପାଇଁ ସରକାର ଫସଲ ବୀମା ଯୋଜନା କରିଛନ୍ତି। ଚାଷୀମାନେ ପ୍ରତିବର୍ଷ ବୀମା ପାଇଁ ପ୍ରିମିୟମ୍‌ ମଧ୍ୟ ଭରୁଛନ୍ତି। କିନ୍ତୁ, ବୀମା କରିବା ସତ୍ତ୍ବେ ଗତବର୍ଷର କ୍ଷତିପୂରଣ ବାବଦକୁ ପାଇବାକୁ ଥିବା ଆର୍ଥିକ ରାଶି ଆଜି ପର୍ଯ୍ୟନ୍ତ ଚାଷୀମାନେ ପାଇପାରିଲେ ନାହିଁ। ବୀମାରାଶି ପାଇବାରୁ ବଂଚିତ ଯୁଯୁମୁରା ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଏବେ କିଭଳି ଏଥର ଖରିଫ ଚାଷ କରିବେ, ତାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯୁଯୁମୁରା ପେକ୍ସ ଅଧୀନରେ ୯ଟି ପଞ୍ଚାୟତ ରହିଛି। କିନ୍ତୁ, କେବଳ ଗୋଟିଏ ପଞ୍ଚାୟତର ଚାଷୀଙ୍କୁ ବୀମାରାଶି ମିଳିଛି। ଚଳିତ ବର୍ଷ ବୀମା ପ୍ରିମିୟମ ଭରିବା ଆରମ୍ଭ ହୋଇସାରିଥିଲେ ମଧ୍ୟ ଅନ୍ୟ ୮ଟି ପଞ୍ଚାୟତର ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ଗତ ବର୍ଷର ବୀମାରାଶି ମିଲିପାରି ନାହିଁ। ଯେଉଁ କାରଣରୁ ଚାଷୀମାନେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଚଳିତ ବର୍ଷ ସେମାନେ କେମିତି ଧାନ ବିହନ କିଣି‌ବେ ଓ ଚାଷ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଏ‌ପଟେ ପୁଣି ଖରିଫ ଫସଲ ପାଇଁ ପ୍ରିମିୟମ ଭରିବା ନିମନ୍ତେ ଅର୍ଥର ଆବଶ୍ୟକତା ରହିଛି। ଯଥାଶୀଘ୍ର ସେମାନଙ୍କୁ ବୀମାରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି। ଯୁଯୁମୁରା ସୋସାଇଟି ଅଧୀନରେ ଥିବା କେବଳ ଯୁଯୁମୁରା ପଞ୍ଚାୟତର ୬୮ ଜଣ ଚାଷୀଙ୍କୁ ୧ ଲକ୍ଷ ୪୨ ହଜାର ୭୭ ଟଙ୍କା ଗତବର୍ଷର କ୍ଷତିପୂରଣ ବାବଦକୁ ମିଳିଛି। ଏ ସମ୍ପର୍କରେ ଯୁଯୁମୁରା ବ୍ଲକ କୃଷି ଅଧିକାରୀ ଉଦିପ୍ତ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଲେ, ଆମେ ସମସ୍ତଙ୍କ ତଥ୍ୟ ପଠାଇଛୁ। ପ୍ରିମିୟମ ଭରିଥିବା ଚାଷୀଙ୍କୁ ନିଶ୍ଚିତ ଭାବେ କ୍ଷତିପୂରଣ ପାଇବେ।

ସମ୍ବନ୍ଧିତ ଖବର