ଅଦିନିଆ ବର୍ଷା: ଭିତ୍ତିଭୂମି ଶୂନ୍ୟ ମଣ୍ଡିରେ ଚାଷୀ କାନ୍ଦୁଛି

୧୫ଜିଲ୍ଲାରେ ମଣ୍ଡି ନାହିଁ, ୨୦୨୬ଟି କେନ୍ଦ୍ରରେ ଗୋଦାମ ନାହିଁ, ୨୫୮୨ରେ ପିଣ୍ଡି ନାହିଁ

ଭୁବନେଶ୍ବର : ରାଜ୍ୟରେ ମଣ୍ଡି ବ୍ୟବସ୍ଥାରେ ସରିଛି ମାତ୍ର ୩୫ ପ୍ରତିଶତ ଧାନ ସଂଗ୍ରହ। ଆହୁରି ୬୫ ପ୍ରତିଶତ ଧାନ ସଂଗ୍ରହ ହୋଇନାହିଁ। ଏଣେ ଦାଉ ସାଧିଲାଣି ଅଦିନିଆ ବର୍ଷା। ଭିତ୍ତିଭୂମି ଶୂନ୍ୟ ମଣ୍ଡି ବ୍ୟବସ୍ଥାରେ ଚାଷୀମାନେ ଦହଗଞ୍ଜ ହେଉଛନ୍ତି। ବହୁ ମଣ୍ଡିରେ ଗୋଦାମ ଘର ଓ ପିଣ୍ଡି ନଥିବାରୁ ମଣ୍ଡିରେ ମଧ୍ୟ ଧାନ ଗଜା ହେବା କିମ୍ବା ଧାନର ଗୁଣାତ୍ମକମାନ ପ୍ରଭାବିତ ହେବା ନିଶ୍ଚିତ ହୋଇଛି। ମାନ କମୁଥିବା ଦର୍ଶାଇ ଚାଷୀଠାରୁ କଟନିଛଟନି କରାଯାଉଛି। ଫଳରେ ଚାଷୀ କାନ୍ଦିବା ଛଡ଼ା ଅନ୍ୟ ବାଟ କିଛି ନାହିଁ। ଏମିତିରେ ୧୧ ତାରିଖରୁ ହେଉଥିବା ବର୍ଷା ଚାଷୀର ଚିନ୍ତା ବଢ଼ାଇ ଦେଇଛି। ମଣ୍ଡିରେ ଧାନ କ୍ଷତି ହେଲେ କିଏ ଦାୟୀ ରହିବ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ବୋଲି ଚାଷୀମାନେ ଦାବି କରିଛନ୍ତି।

ଯୋଗାଣ ବିଭାଗରୁ ମିଳିଥିବା ସୂଚନାନୁସାରେ ଚଳିତ ବର୍ଷ ଖରିଫରେ ରାଜ୍ୟରେ ୧୫ ଲକ୍ଷ ୭୪ ହଜାର ୩୧୭ ଚାଷୀଙ୍କ ଠାରୁ ୬୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୨୯ ହଜାର ୩୩୩ ଚାଷୀଙ୍କ ଠାରୁ ୨୧ ଲକ୍ଷ ୮୨ ହଜାର ୧୭୫ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇନାହିଁ। କଟକ, ଜଗତସିଂହପୁର ଓ ପୁରୀରେ ଏବେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ପଶ୍ଚିମ ଓଡ଼ିଶାରେ ଟୋକନ ସମସ୍ୟା, କରାମାଡ଼, କଟନିଛଟନି ମଧ୍ୟରେ ବେଶ୍ ମନ୍ଥର ଗତିରେ ଧାନ ସଂଗ୍ରହ ହେଉଛି। ଏଭଳି ସ୍ଥିତିରେ ଅଦିନିଆ ବର୍ଷା ଚାଷୀ ପାଇଁ ନୂଆ ଦୁଃଖ ନେଇ ଆସିଛି। ବେଶି ବାଧୁଛି ମଣ୍ଡିର ଅବ୍ୟବସ୍ଥା। ଅନୁଗୁଳ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଧା, ମୟୂରଭଞ୍ଜ. ନୟାଗଡ଼, ପୁରୀ ଏବଂ ସୁନ୍ଦରଗଡ଼ ସମେତ ୧୫ଟି ଜିଲ୍ଲାରେ ମଣ୍ଡିର ସର୍ବନିମ୍ନ ବ୍ୟବସ୍ଥା କଥା ଦୂରେ ଥାଉ, ମଣ୍ଡି ହିଁ ନାହିଁ। ରାଜ୍ୟରେ ଆର୍‌ଏମ୍‌ସି ପରିଚାଳିତ ୩୩୬୫ଟି କ୍ରୟ କେନ୍ଦ୍ର ମଧ୍ୟରୁ ୨୦୨୬ଟି କ୍ରୟ କେନ୍ଦ୍ରର ନିଜସ୍ବ ଗୋଦାମ ଘର ନାହିଁ। ୨୫୮୨ଟି କ୍ରୟ କେନ୍ଦ୍ରର ପିଣ୍ଡି ଭଳି ସର୍ବନିମ୍ନ ସୁବିଧା ନାହିଁ। ନିୟମ ଅନୁଯାୟୀ, ଟୋକନ ସହିତ ଧାନ ଧରି ମଣ୍ଡିକୁ ଆସିବା ଦିନ ହିଁ ଚାଷୀଠୁ ଧାନ ସଂଗ୍ରହ ହୋଇଯିବା ଉଚିତ। ମାତ୍ର କୌଣସି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୁଏ ନାହିଁ। ଚାଷୀ ଧାନ ଧରି ମଣ୍ଡିରେ ଅପେକ୍ଷା କରିଥିବା ବେଳେ ପ୍ୟାକ୍ସ ଧାନ କ୍ରୟ ହିଁ କରେନାହିଁ। ଫଳରେ ଅଦିନିଆ ବର୍ଷା କିମ୍ବା କରାମାଡ଼ରେ ଧାନ ଖରାପ ହୁଏ। କେବଳ ପଲିଥିନ୍‌ ବା ଜରିପାଲ ଭରସାରେ ଧାନ ଖୋଲା ଆକାଶ ତଳେ ଥାଏ। ମଣ୍ଡିରେ ଗୋଦାମ ଗୃହ ଥିଲେ, ଏଭଳି ସ୍ଥିତି ହୁଅନ୍ତା ନାହିଁ। ଏଣେ ମଣ୍ଡିରେ ଧାନର ମାନ ଖରାପ ହେଲେ ବି ମିଲ୍‌ ମାଲିକମାନେ କଟନିଛଟନି ନାଁରେ ଚାଷୀଙ୍କୁ ହଇରାଣ କରନ୍ତି।

ଭିତ୍ତିଭୂମି ନଥିଲେ ଚାଷୀ କିଭଳି କ୍ଷତିଗ୍ରସ୍ତ ହୁଏ, ତାହା ଗତ ୨୮ ଓ ୨୯ ତାରିଖ ବର୍ଷାରେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଝିଟକି କ୍ରୟ କେନ୍ଦ୍ରରେ ଜମା ହୋଇଥିବା ପ୍ରାୟ ୭୦ ହଜାର ପ୍ୟାକେଟ ଧାନ ବର୍ଷାରେ ଭିଜି ଯାଇଥିଲା। ତେଣୁ ଧାନର ମାନ ହ୍ରାସ ହୋଇଯାଇଥିବା କହି ମିଲ୍‌ ମାଲିକମାନେ ପ୍ରତି ପ୍ୟାକେଟ୍‌ରୁ ୮ରୁ ୧୦ କେଜି କାଟି ଦେଇଥିଲେ। ସେହିଭଳି ଭେଡେନ ବ୍ଲକ୍‌ ତେତେଲଟିକ୍ରାରେ ମଣ୍ଡିରେ ବର୍ଷା ଯୋଗୁଁ ୫୦୦ ପ୍ୟାକେଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଏମିତିରେ ଅଦିନିଆ ବର୍ଷା ମିଲ୍‌ ମାଲିକ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ସୁହାଉଥିବାରୁ ସେମାନେ ମଣ୍ଡି ବ୍ୟବସ୍ଥା ସୁଦୃଢ କରିବାକୁ ପଦକ୍ଷେପ ଗ୍ରହଣ କରୁନଥିବା ଚାଷୀମାନେ ଅଭିଯୋଗ କରନ୍ତି।

ସମ୍ବନ୍ଧିତ ଖବର