ବଜେଟ୍‌: ଚାଷ, ଚାଷୀଙ୍କୁ ଦେଲାନି ଲାଭ

ଚାଷୀଙ୍କ ଆୟ ଦୁଇ ଗୁଣା ନେଇ ଅର୍ଥମନ୍ତ୍ରୀ ଚୁପ୍

ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଘୋଷଣା
ଓଡ଼ିଶା ମିଲେଟ୍‌ ମିସନ ଲାଭାନ୍ବିତ ହେବା ନେଇ ଆଶା

ଭୁବନେଶ୍ବର : ଅର୍ଥନୈତିକ ସର୍ଭେ ରିପୋର୍ଟରେ କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ଦର୍ଶାଗଲା। ମାତ୍ର ଏହାର ଲାଭ ଚାଷ ଏବଂ ଚାଷୀଙ୍କୁ ମିଳିଲା ନାହିଁ। ଏପରିକି ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ହେଲେ ଚଳିତ ବର୍ଷ ଏହାର ସ୍ଥିତି କ’ଣ ବଜେଟ୍‌ରେ କୌଣସି ସୂଚନା ନଦେଇ ଅର୍ଥମନ୍ତ୍ରୀ ସମସ୍ତଙ୍କୁ ନିରାଶ କରିଥିବା ଅର୍ଥନୀତି ବିଶେଷଜ୍ଞ ଏବଂ ବିଭିନ୍ନ ଚାଷୀ ସଙ୍ଗଠନର କର୍ମକର୍ତ୍ତାମାନେ ମତ ଦେଇଛନ୍ତି। ୨୦୨୨-୨୩ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଥିବାରୁ ଓଡ଼ିଶା ମିଲେଟ୍‌ ମିସନକୁ ଏହା ଲାଭ ଦେବ ବୋଲି ଆଶା କରାଯାଉଛି।

ଅବସରପ୍ରାପ୍ତ ପ୍ରାଧ୍ୟାପକ କିଶୋର ସାମଲ କହିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ, ଅର୍ଥନୈତିକ ସର୍ଭେରେ କୃଷି, କୃଷକ ଏବଂ ଗ୍ରାମୀଣ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ବଜେଟ୍‌ରେ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଗ୍ରାମୀଣ ଜଳସେଚନ ବୃଦ୍ଧି ଯଥା କେନାଲ ଅଭିବୃଦ୍ଧି କିମ୍ବା କୃଷି ଭିତ୍ତିଭୂମି ସୁଦୃଢ଼ ନେଇ କୌଣସି ବ୍ୟବସ୍ଥା ନାହିଁ। କ୍ଷୁଦ୍ର, ନାମମାତ୍ର ଏବଂ କରୋନା ସମୟରେ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇ ନାହିଁ। ମନରେଗାରେ ଆବଶ୍ୟକତା ଅନୁସାରେ ପୁଞ୍ଜି ବୃଦ୍ଧି ନ ହେବା ତା’ର ଉଦାହରଣ। କରୋନା ସମୟରେ ଗ୍ରାମାଞ୍ଚଳରେ ଲୋକଙ୍କ ଆୟ ହ୍ରାସ, ଚାହିଦା ହ୍ରାସ ଯୋଗୁଁ ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି। ସେମାନଙ୍କ କ୍ରୟ ଶକ୍ତି ବୃଦ୍ଧି ନେଇ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ଯେମିତି ଶିଳ୍ପପତିଙ୍କୁ ଗୁରୁତ୍ବ ଦିଆଯାଇଛି। କୃଷି ଏବଂ ଗ୍ରାମୀଣ ଉଦ୍ୟୋଗୀକରଣ, ଗ୍ରାମୀଣ ଜଳଯୋଗାଣ, ଗାଁରେ ବ୍ରଡବ୍ୟାଣ୍ଡ ସେବା, ଡିଜିଟାଲ୍‌ ସେବା, କୃଷି ଜଙ୍ଗଲ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ କେଉଁଭଳି ସହାୟତା କରିବ ଜଣାପଡ଼ୁ ନାହିଁ। ଅନ୍ୟଦିଗରେ ଡାକ ଘରେ ଅତ୍ୟାଧୁନିକ ବ୍ୟାଙ୍କିଙ୍ଗ ସେବା, କୋର ବ୍ୟାଙ୍କିଂ ସେବା, ଏଟିଏମ ସୁବିଧା, ଏମଏସପିରେ ଧାନ କ୍ରୟ, ରେକର୍ଡ କୃଷି ଜଙ୍ଗଲ, ସମବାୟ ସମିତି ଆୟରୁ ଟିକସ ହାର ୧୮ ପ୍ରତିଶତରୁ ୧୫ ପ୍ରତିଶତ ହ୍ରାସ ପରୋକ୍ଷ ଭାବରେ ଚାଷ ଏବଂ ଗ୍ରାମୀଣ କ୍ଷେତ୍ରକୁ ଲାଭ ଦେବ।

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ପ୍ରବକ୍ତା ସରୋଜଙ୍କ ଅନୁସାରେ, ଏହି ବଜେଟ୍‌ରେ ଚାଷ ଏବଂ ଚାଷୀଙ୍କ ପାଇଁ କୌଣସି ବିତ୍ତୀୟ ବ୍ୟବସ୍ଥା ନଥିବା ଆଶ୍ଚର୍ଯ୍ୟଜନକ। ଗତ ବଜେଟ୍‌ରେ ଏମଏସପି ପାଇଁ ଯେତେ ଟଙ୍କା ବ୍ୟବସ୍ଥା ଥିଲା, ଚଳିତ ବର୍ଷ ତାକୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ବୀମା ଯୋଜନାର ସମ୍ପ୍ରସାରଣ, ଅଧିକ ଟଙ୍କା ନିବେଶ ଏବଂ ଅଧିକ ଫସଲ ସାମିଲ କରିବା ନେଇ କୁହାଯାଉଥିଲା ତାହା ହୋଇ ନାହିଁ। ଫସଲର ବିବିଧକରଣ ଅର୍ଥାତ ଧାନ, ଗହମ ଚାଷରୁ ଅଣଧାନ ଆଡ଼କୁ ନେବା ପାଇଁ ଯେଉଁ ଯୋଜନା ହେବା କଥା ତାହା ହୋଇ ନାହିଁ। ଜଳସେଚନରେ ପୁଞ୍ଜି ନିବେଶ ଅତି ସ୍ବଳ୍ପ। ବିକ୍ରି ପୂର୍ବ ଏବଂ ବିକ୍ରି ପର ଯଥା ଓ୍ବେରହାଉସ, ଶୀତଳ ଭଣ୍ଡାର, ମଣ୍ଡି ବ୍ୟବସ୍ଥା ନେଇ ଯେଉଁଭଳି ପୁଞ୍ଜି ବ୍ୟବସ୍ଥା ହେବା କଥା ତାହା ହୋଇ ନାହିଁ। କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ସର୍ବୋପରି ମହିଳା ଚାଷୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁ ପ୍ରସଙ୍ଗ ନେଇ ଏତେ ବଡ଼ ଚାଷୀ ଆନ୍ଦୋଳନ ହେଲା ତାକୁ ଅର୍ଥମନ୍ତ୍ରୀ ଛୁଇଁ ମଧ୍ୟ ନାହାନ୍ତି। ଡିଜିଟାଲାଇଜେସନ କଥା କୁହାଗଲା କିନ୍ତୁ ଚାଷୀ ଆୟ ବୃଦ୍ଧି କଥା କୁହାଗଲା ନାହିଁ। ଦେଶରେ ଅନେକ କୃଷି ବିଶ୍ବବିଦ୍ୟାଳୟ ରହିଛି କିନ୍ତୁ ଗବେଷଣାରେ ଟଙ୍କା ବ୍ୟବସ୍ଥା ମାମୁଲି। ଏପରିକି ସେଠାରେ ଖାଲି ପଦ ପୂରଣ କଥା ମଧ୍ୟ କୁହାଯାଇ ନାହିଁ। ନବନିର୍ମାଣ କୃଷକ ସଙ୍ଗଠନର ଶେଷଦେବ ନନ୍ଦ କହିଛନ୍ତି, ଯେଉଁ ଦେଶରେ ବିହନ ଯୋଗାଣ, ଜଳସେଚନ, ସାର ଭଳି ସର୍ବନିମ୍ନ ସମସ୍ୟାର ସମାଧାନ ହୋଇ ପାରି ନାହିଁ ସେଠାରେ କୋଲ୍ଡ ଚେନ ନେଇ ଅର୍ଥଖର୍ଚ, ଡ୍ରୋନ ମାଧ୍ୟମରେ କ୍ଷତିପୂରଣ ଆକଳନ, ରୋଗ ପୋକ ନିରୂପଣ ଆଦି କରାଯିବା ଯୋଗୁଁ ସରକାରୀ ବ୍ୟବସ୍ଥା ତୃଣମୂଳ ଠାରୁ ବିଚ୍ଛିନ୍ନ ହୋଇଯାଉଥିବା ଜଣାପଡ଼ୁଛି। ଚାଷ ଏବଂ ଚାଷୀ ନାମରେ କେବଳ କର୍ପୋରେଟକୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ଆଉ ଜଣେ ଗବେଷକଙ୍କ ଅନୁସାରେ, ମିଲେଟ୍‌ ମିସନକୁ ନୂଆ ରୂପ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ପୂର୍ବରୁ ମିଲେଟ୍‌ ମିସନ ଚାଲୁଥିବାରୁ ଓଡ଼ିଶା ଅନ୍ୟ ପାଇଁ ମଡେଲ ରାଜ୍ୟ ହୋଇପାରେ। ସବୁଜ ଗୃହ ଗ୍ୟାସ ଅର୍ଥାତ ଅଙ୍ଗାରକାମ୍ଳ କମାଇବା ପାଇଁ ବ୍ୟବସ୍ଥା ହୋଇଛି। ତାହା ଚାଷକ୍ଷେତ୍ରକୁ ଲାଭ ଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର