ଅନୁଗୁଳ: ଦୃଢ଼ ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ଉପାୟ ଆପେ ଆପେ ଆସେ। ଅନୁଗୁଳ ବ୍ଲକ୍‌ ପୋକତୁଙ୍ଗା ଗାଁର କବିତା ଦେହୁରୀ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। କଠିନ ପରିଶ୍ରମ ଏବଂ ନିଜ ଉଦ୍ୟମରେ ଚାଷ କରି ଏବେ ସେ ଲକ୍ଷପତି। ପୋକତୁଙ୍ଗା ଗାଁର କବିତା ୧୫ ବର୍ଷ ତଳୁ ଚାଷ ପାଇଁ ଉଦ୍ୟମ କରିଥିଲେ। ପ୍ରଥମେ ୩ ଏକର ଜାଗାରେ ଚାଷ ଆରମ୍ଭ କରିଥିବା ବେଳେ ଏବେ ୧୧ ଏକର ଜମିରେ ସୁନାର ଫସଲ ଫଳାଉଛନ୍ତି। ସେଥିମଧ୍ୟରୁ ୨ ଏକର ଜମିରେ କେବଳ କଦଳୀ ଚାଷ କରିଛନ୍ତି। ଏହାସହିତ ସେ ଅଦା, ହଳଦୀ, ପିଆଜ ଓ ରସୁଣ ଚାଷ କରି ବେଶ୍‌ ଲାଭବାନ ହେଉଛନ୍ତି। ଖାଲି ସେତିକି ନୁହେଁ ପୋଟଳ, ଝୁଡ଼ଙ୍ଗ, କଖାରୁ ଭଳି ପରିବା ମଧ୍ୟ ତାଙ୍କ ଜମିରୁ ବହୁଳ ଭାବେ ଉତ୍ପାଦନ ହେଉଛି। ତାଙ୍କ ପରିବା ନେବାକୁ କଟକ, ଭୁବନେଶ୍ବର ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗେ। 

Advertisment

ଅନୁଗୁଳ ଜିଲ୍ଲାର ବିଭିନ୍ନ ହାଟକୁ ମଧ୍ୟ ତାଙ୍କ ଜମିରୁ ଉତ୍ପାଦିତ ପରିବା ଯାଉଛି। ଏଥିରୁ ବାର୍ଷିକ ସେ ପ୍ରାୟ ୨୦ ଲକ୍ଷ ଟଙ୍କା ଆୟ କରୁଥିବା କବିତା କହିଛନ୍ତି। ସେହି ଟଙ୍କାରୁ ଚାଷରେ ବ୍ୟବହୃତ ହେଉଥିବା ସାର, ବିହନ ସେ କ୍ରୟ କରୁଛନ୍ତି। ସେହିପରି ଟ୍ରାକ୍ଟର, ବିଦ୍ୟୁତ୍‌ ବିଲ୍‌, ଶ୍ରମିକଙ୍କୁ ମଧ୍ୟ ସେ ପ୍ରାପ୍ୟ ଦେଉଛନ୍ତି। ଚାଷକାର୍ଯ୍ୟରେ ପ୍ରତିଦିନ ପୋକତୁଙ୍ଗା ଅଞ୍ଚଳର ୧୦ରୁ ଅଧିକ ମହିଳା ତାଙ୍କ କ୍ଷେତରେ କାମ କରି ରୋଜଗାର ପାଉଛନ୍ତି। ଚାଷରେ ସମସ୍ତ ଖର୍ଚ୍ଚ ପରେ ତାଙ୍କର ବାର୍ଷିକ ୧୦ ଲକ୍ଷ ଲାଭ ହେଉଛି। କବିତା ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ କାମ ଯୋଗାଇ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି।