ଜଳନିଧି ଯୋଜନା କେଳେଙ୍କାରୀ, ଚାଷ ଜମିରୁ ଶହଶହ ନଳକୂପ ଉଭାନ

କୃଷି ଜଳସେଚନ ଯୋଜନା ଫେଲ୍

ଯାଜପୁର: ଯାଜପୁର ଜିଲ୍ଲାର ଚା‌ଷଜମିରୁ ଶହଶହ ନଳକୂପ ଉଭାନ। ଚାଷ ଜମି ବଦଳରେ କେତେକ ନିଜ ଘର,ବାଡ଼ି, କ୍ରସରରେ ନଳକୂପ ବସାଇଛନ୍ତି। ଏମିତିକି ଗୋଟିଏ ପରିବାରରେ ବାପପୁଅଙ୍କୁ ଏକାଧିକ ନଳକୂପ ଦିଆଯାଇଥିବାବେଳେ ଜଣଙ୍କ ନାମରେ ଦୁଇ ଦୁଇଟି ନଳକୂପ ମଞ୍ଜୁର ହୋଇଛି। ଏଭଳି ସାଂଘାତିକ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ଲାଗିଛି। କୃଷିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି, ପ୍ରଗତିଶୀଳ ଯାଜପୁର ଜିଲ୍ଲାରେ ବର୍ଷା ହେଲେ ଧୋଇ ଓ ବର୍ଷା ନହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ ଓ କାଡା ମହାଦୁର୍ନୀତି ପର୍ଯ୍ୟାୟକ୍ରମେ ଲୋକଲୋଚନକୁ ଆସିଥିବା ବେଳେ ଏବେ କୃଷି ବିଭାଗର ଚଞ୍ଚକତା ପଦାକୁ ଆସିଛି। ଜିଲ୍ଲାର ୧୦ଟି ବ୍ଲକ୍ ମଧ୍ୟରୁ ଧର୍ମଶାଳାକୁ ନମୁନା ଭାବେ ଗ୍ରହଣ କଲେ ଏହି ଦୁର୍ନୀତିର ଚେର କେତେ ବାଟ ଲମ୍ବିଛି, ତାହା ସ୍ପଷ୍ଟ ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ବ୍ଲକ୍‌ରେ ଶହ ଶହ ଗଭୀର ଓ ଅଗଭୀର ନଳକୂପ ଚାଷ ଜମିରୁ ଉଭାନ ହୋଇଯାଇଛି। ଚାଷୀଙ୍କ ଅ‌ପେକ୍ଷା ସରକାରୀ କର୍ମଚାରୀ, ଶିକ୍ଷକମାନେ ‌ଅଧିକ ଏହାର ଫାଇଦା ହାତେଇଛନ୍ତି। ସରକାରୀ ଖାତାରେ ଚାଷ ଜମିକୁ ଜଳସେଚିତ ହୋଇଛି। ମାତ୍ର, ଚାଷ ଜମିରେ ନଳକୂପ ନଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ମୁତାବକ, ୨୦୦୭ମସିହାରୁ ୨୦୧୩ ମସିହା ମଧ୍ୟରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍‌ରେ ଜଳନିଧି ଯୋଜନାରେ ୧୩୫୬ ଗଭୀର ଓ ଅଗଭୀର ନଳକୂପ ଚାଷୀମାନଙ୍କୁ ଯୋଗାଣ ହୋଇଛି। ଏଥିରୁ ତାଳଜଙ୍ଗାର ତାପସ ପଣ୍ଡା ଓ ତାଙ୍କ ବାପା ମଧୁସୂଦନ ପଣ୍ଡାଙ୍କ ନାମରେ ୨ଟି ନଳକୂପ ଦିଆଯାଇଛି। ଗୋବିନ୍ଦପୁର ଗ୍ର‌ାମର ରାଜ‌କିଶୋର ମହାନ୍ତିଙ୍କ ନାମରେ ୨ଟି ନଳକୂପ ଦିଆଯାଇଛି। ବିଛାଖଣ୍ଡି ପାହାଡ଼ ଅଞ୍ଚଳରେ ଧବ‌ଳେଶ୍ବର ପ୍ରଧାନ ଓ ପ୍ରଭୁନାଥ ଶର୍ମା କ୍ରସରରେ ନଳକୂପ ବସିଛି ବୋଲି ଅଭିଯୋଗ ହୋଇଛି। ସେହିପର, ସୁନ୍ଦରିଆର ରଶ୍ମିରଞ୍ଜନ ପରିଡ଼ା ଚାଷ ପାଇଁ ନେଇଥିବା ନଳକୂପ ତାଙ୍କ ଘରେ ବସାଇଛନ୍ତି। ଚାଷୀଙ୍କ ବଦଳରେ ଶିକ୍ଷକ ଜଗବନ୍ଧୁ ପାତ୍ର, ନୃସିଂହ ସେଠୀ, ସାବିତ୍ରୀ ସେଠୀ ନଳକୂପ ହାତେଇଛନ୍ତି। ଅନ୍ୟପକ୍ଷରେ, ବିଛାଖଣ୍ଡିର ଜଗବନ୍ଧୁ ଜେନା, ବସନ୍ତ କୁମାର ସ୍ବାଇଁ, ଅନ୍ତର୍ଯ୍ୟାମୀ ମହାରଣା ପ୍ରମୁଖଙ୍କ ସମେତ ଅନେକ ଲୋକଙ୍କ ଜମିରୁ ନଳକୂପ ଉଭାନ ହୋଇଯାଇଛି।

ଏହି ଦୁର୍ନୀତି ଯୋଗୁଁ ଚାଷଜମି ଜଳସେଚିତ ହୋଇପାରୁନଥିବା ସାଧାରଣରେ ଅଭିଯୋଗ ହୋଇଛି। ଲୋକମାନଙ୍କ ଅଭିଯୋଗ ଅନୁସାରେ, ଚାଷଜମିରେ ନଳକୂପ ଖନନ ପାଇଁ ସରକାର ସବସିଡି ଦେଉଥିବା ବେଳେ କିଛି କର୍ମଚାରୀ ଓ ପ୍ରଭାବଶାଳୀ ‌ବ୍ୟକ୍ତିଙ୍କ ଅସାଧୁ ମେଣ୍ଟ ଏଥିରେ ବାଧକ ସାଜିଛନ୍ତି। କେବଳ କାଗଜପତ୍ରରେ ଜଳସେଚନ ହେଉଥିବା‌ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କେବଳ ଧର୍ମଶାଳା ବ୍ଲକ୍‌ କାହିଁକି, ଜିଲ୍ଲାର ଅନ୍ୟାନ୍ୟ ବ୍ଳକ୍‌ରେ ଏହିଭଳି ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇ ତଦନ୍ତ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର