ଖୋର୍ଦ୍ଧା ଜିଲ୍ଲାରେ କ୍ରମାଗତ ଭାବେ ହ୍ରାସ ପାଉଛି ଚାଷ ଜମି

ଖୋର୍ଦ୍ଧା : ୨୦୧୮ରୁ ୨୦୨୧ ମଧ୍ୟରେ ପ୍ରାୟ ୫ ହଜାର ହେକ୍ଟର ଚାଷ ଜମି ହ୍ରାସ ପାଇଛି। ଯଦି ଏହି ଧାରାରେ ଚାଷ ଜମିର ସଂଖ୍ୟା ହ୍ରାସପାଏ ତେବେ ଜିଲ୍ଲାରେ ଥିବା ମୋଟ୍‌ ଚାଷ ଜମି ଲୋପ୍‌ ପାଇବାକୁ ଆଉ ମାତ୍ର ଗୋଟିଏ କିମ୍ବା ଦୁଇ ଦଶନ୍ଧି ଲାଗିବ ବୋଲି ଆକଳନ କରାଯାଉଛି। ରାଜ୍ୟ ରାଜଧାନୀର ଜିଲ୍ଲାରେ ଜମିର ଦର ଆକାଶ ଛୁଆଁ। ଭୁବନେଶ୍ବର ମହାନଗର ନିଗମ ଓ ନିକଟବର୍ତ୍ତୀ ଭୁବନେଶ୍ବର ବ୍ଲକ୍‌, ଜଟଣୀ, ବାଲିଅନ୍ତା, ବାଲିପାଟଣା ଅଞ୍ଚଳରେ ଜଣେ ସାଧାରଣ ଚାକିରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାର ନିମନ୍ତେ ଘର ଖଣ୍ତିଏ ପାଇଁ ଜମି କିଣିବା ପ୍ରାୟତଃ ସାତସପନ। କିନ୍ତୁ ଖୋର୍ଦ୍ଧା ଗ୍ରାମାଞ୍ଚଳ ଏପରିକି ସୁଦୂର ଚିଲିକା, ବୋଲଗଡ଼ରେ ମଧ୍ୟ ଏହି ଧାରାରେ ଜମିର ଦାମ କମ୍ ନୁହେଁ। ରାସ୍ତାକଡ଼ରେ ଥିବା ଏକ ଗୁଣ୍ଠ ଜମିର ଦାମ୍‌ ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା। ତଥାପି ଜମିର ଚାହିଦା ଥମୁନାହିଁ। ଏହି ପରିସ୍ଥିତିରେ ଜିଲ୍ଲାର ଗ୍ରାମାଞ୍ଚଳରେ ଚାଷ ଜମିର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

Housing

୨୦୧୭-୧୮ ଜିଲ୍ଲା କୃଷି କାର୍ଯ୍ୟ ରିପୋର୍ଟ ଅନୁସାରେ ଜିଲ୍ଲାରେ ୧ଲକ୍ଷ ୨୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେଉଥିଲା। ୨୦୨୧–୨୨ରେ କୃଷି ବିଭାଗ ରିପୋର୍ଟରେ ବର୍ତ୍ତମାନ ୧ଲକ୍ଷ ୧୯ହଜାର ୩୯୨ ହେକ୍ଟର ଜମିରେ ଚାଷ ହେଉଛି। ଅର୍ଥାତ୍ ୩ ବର୍ଷ ମଧ୍ୟରେ ୫ହଜାର ୨୫୮ ହେକ୍ଟର ଚାଷ ଜମି ହ୍ରାସ ପାଇଛି। ଅର୍ଥାତ୍ ବର୍ଷକୁ ୧୭୫୩ ହେକ୍ଟର ଚାଷ ଜମି କମୁଛି। ଯଦି ଏହି ଧାରାରେ ଜମି ହ୍ରାସ ପାଇଚାଲେ ତା’ହେଲେ ୫୦/୬୦ ବର୍ଷ ଭିତରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପ୍‌ ପାଇଯିବ। ଅପରପକ୍ଷରେ, ପ୍ରତି ଦଶନ୍ଧିରେ ବର୍ଦ୍ଧିତ ଜନସଂଖ୍ୟା ଓ ଘର ପାଇଁ ଆବଶ୍ୟକ ଜମିକୁ ଅନୁଶୀଳନ କଲେ ଆଗାମୀ ୨୦/୩୦ ବର୍ଷ ମଧ୍ୟରେ ଏହି ସ୍ଥିତି ଆସି ପହଞ୍ଚିଯିବାର ସମ୍ଭାବନା ରହିଛି। ଚାଷ ଜମି ଯେଉଁଭଳି ଭାବେ ହ୍ରାସ ପାଉଛି ସେଥିରେ ପ୍ରଥମ ଚରଣରେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ଜମି ରହିଛି।

ଯଦିଓ କୃଷି ବିଭାଗ ଏନେଇ ୨୦୧୦-୧୧ର କୃଷି ପରିସଂଖ୍ୟାନ ରିପୋର୍ଟକୁ ହିଁ ଆଧାର କରୁଛି, ମାତ୍ର ଯଦି ପରିସଂଖ୍ୟାନକୁ ଅନୁଶୀଳନ କରାଯାଏ ତା’ହେଲେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କ ସଂଖ୍ୟାରେ ସାଂଘାତିକ ଭାବେ ହ୍ରାସ ପାଇଛି। ୨୦୧୦-୧୧ରେ ୦.୫ ହେକ୍ଟରୁ ୧ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବା ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଥିଲା ୯୭ହଜାର ୯୫। ୨୦୨୧–୨୨ରେ ଏହି ସଂଖ୍ୟା ହ୍ରାସ ପାଇ ୬୫୮୧୩ରେ ପହଞ୍ଚିଛି। ଅର୍ଥାତ୍ ୧୦ ବର୍ଷରେ ୩୧ହଜାର ୨୮୨ଜଣ କ୍ଷୁଦ୍ର ଚାଷୀ ନିଜର ଚାଷ କାମ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର