ଫାରୁକ୍ ହତ୍ୟାକାଣ୍ଡ: ଓ୍ୱାସିମ୍‌, ରହିମ୍‌ ପୁଣି ଫେରାର

ଗିରଫ ହୋଇଛନ୍ତି ୮; କୋର୍ଟରୁ ଛାଡ଼ ପାଇଛନ୍ତି ୪

କଟକ : ବହୁ ଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ୍‌ଙ୍କୁ ଗୁଳି କରି ମାରିଥିବା ଅନ୍ୟ ଦୁଇ ହତ୍ୟାକାରୀ ଓ୍ୱାସିମ୍‌ ଓ ରହିମ୍‌ ବାବୁ ଲାଲବାଗ ଦିଵାନ୍‌ ବଜାର ଅଞ୍ଚଳରୁ ଫେରାର ହୋଇଯାଇଛନ୍ତି। ଫାରୁକଙ୍କୁ ପ୍ରଥମେ ଶଙ୍କର ଓରଫ ଦୀପକ ଦାସ ଗୁଳି ମାଡ଼ କରିଥିବା ବେଳେ ପରେ ସେକ୍‌ ଓ୍ୱାସିମ୍‌ ଓ ରହିମ୍‌ ବାବୁ ଗୁଳି କରିଥିଲେ। ତିନି ଜଣଙ୍କ ଗୁଳି ମାଡ଼ରେ ଫାରୁକଙ୍କ ମୃତ୍ୟୁ ହୋଇଥିଲା। ଗଲା ୧ ତାରିଖରେ ପୁଲିସ ଶଙ୍କରକୁ ଗିରଫ କରିବା ପରେ ଗଣମାଧ୍ୟମରେ ଶଙ୍କରର ଗିରଫ ଖବର ଦେଖି ଓ୍ୱାସିମ୍‌ ଓ ରହିମ୍‌ ଫେରାର ହୋଇଯାଇଛନ୍ତି। ଏହି ଦୁଇ ଅପରାଧୀ ଫାରୁକ୍‌ ହତ୍ୟାକାଣ୍ତରେ ଶେଷ ଅପରାଧୀ କୁହାଯାଉଛି। କଟକ କମିସନରେଟ୍‌ ପୁଲିସ ଟାର୍ଗେଟ୍‌ରେ ଏବେ ଏହି ଦୁଇ ଅପରାଧୀ ଥିବା ବେଳେ ସେମାନଙ୍କୁ ଗିରଫ ପରେ ପୁଲିସ ଫାରୁକ୍‌ ହତ୍ୟାକାଣ୍ତର ଫାଇଲ୍‌ ବନ୍ଦ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

୨୦୧୪ ନଭେମ୍ବର ୧୧ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ବେଳେ ମାଲଗୋଦାମ ଭଳି ଗହଳି ଅଞ୍ଚଳରେ ୪୭ ବର୍ଷିୟ ଡାଲି ବ୍ୟବସାୟୀ ମହମ୍ମଦ୍‌ ଫାରୁକ୍‌ ତୟବଙ୍କୁ ଗୁଳି କରି ହତ୍ୟା ମାମଲାରେ ଧଳସାମନ୍ତ ଦୁଇ ଭାଇଙ୍କୁ ପୁଲିସ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇଥିଲା। ଧଳସାମନ୍ତଙ୍କ ସମେତ ଆରିଫ୍‌ ଖାଁ ଓ ଶଙ୍କରକୁ ଏହି ହତ୍ୟାକାଣ୍ତରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। କିନ୍ତୁ ଦୀପ ଓ ଓମ୍‌ ହତ୍ୟାକାଣ୍ତରେ ଆରିଫ୍‌ ଓ ଧଳସାମନ୍ତଙ୍କୁ ପୁଲିସ ଗିରଫ କରି ଫାରୁକ୍‌ ହତ୍ୟାକାଣ୍ତରେ ରିମାଣ୍ତ ଦେଇଥିଲା। କିନ୍ତୁ ସେମାନଙ୍କ ନିକଟରୁ ପୁଲିସ ଫାରୁକ୍‌ ହତ୍ୟାକାଣ୍ତ ସମ୍ପର୍କରେ ଅନ୍ୟ ସହଯୋଗୀ ଓ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କିତ କୌଣସି ତଥ୍ୟ ପ୍ରମାଣ ଜେରାରେ ପାଇନଥିଲା। ଆରିଫ୍‌ ବି ପୁଲିସ ସାମନାରେ ଫାରୁକ୍‌ ମାମଲାରେ ମୁହଁ ଖୋଲି ନଥିଲା।

ଅନ୍ୟପଟେ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ମହମ୍ମଦ ସକିଲ (ଏବେ ନିଜେ ଗ୍ୟାଙ୍ଗ ଗଢ଼ି ଗ୍ୟାଙ୍ଗଷ୍ଟର), ଇମାମପଡ଼ା ବସ୍ତିର ସେକ୍‌ ସୋନା, ପେନସନଲେନର‌୍‌ ସେକ୍‌ ବାବୁ, ଜଗତସି˚ହପୁରର ଅସିତ୍‌ ବାବୁ କୋର୍ଟରୁ ଦୋଷମୁକ୍ତ ହୋଇଥିଲେ। ୨୦୧୪ରେ ହତ୍ୟାକାଣ୍ତ ଘଟିଥିବା ଦିନ କଟକରୁ ଫେରାର ଶଙ୍କରକୁ ପିଛା କରୁଥିବା କମିସନରେଟ୍‌ ପୁଲିସ ତାକୁ ଗଲା ୧ ତାରିଖରେ ଗିରଫ କରିବା ପରେ ହିଁ ଫାରୁକ ହତ୍ୟାକାଣ୍ତ ପଛରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ଓ ପୁରା ଘଟଣାକ୍ରମ ଜାଣିବାକୁ ପାଇଥିଲା। ମାଛୁଆ ବଜାରର ଚନ୍ଦନ ବେହେରା, ମର୍କତନଗର ସେକ୍ଟର ୭ର ଲଲନ କୁମାର ଗୁପ୍ତା ଓରଫ ଲଲା, ଲାଲବାଗ ଅଲିଶାବଜାରର ରଞ୍ଜନ ବେହେରା ଓରଫ ରାଜା ସମେତ ଦିଵାନ ବଜାରର ଵାସିମ୍‌ ଓ ରହିମ୍‌ ବାବୁଙ୍କ ହତ୍ୟାକାଣ୍ତରେ କିଭଳି ସମ୍ପର୍କ ଥିଲା, ସେ ନେଇ ଶଙ୍କର ହିଁ ପୁଲିସକୁ ସୂଚନା ଦେଇଥିଲା। ଏବେ ଓ୍ୱାସିମ୍‌ ଓ ରହିମକୁ ଛାଡ଼ି ଅନ୍ୟ ୩ ଜଣଙ୍କୁ ଗଲା ୨ ତାରିଖରେ ପୁଲିସ ଗିରଫ କରିଛି। କିନ୍ତୁ ଓ୍ୱାସିମ୍‌ ଓ ରହିମ୍‌ ଏବେ କଟକରୁ ଫେରାର ହୋଇଯାଇଥିବାରୁ ପୁଲିସ ପାଇଁ ସେମାନେ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ହତ୍ୟାକାଣ୍ତ ପରେ କଟକରୁ ଚନ୍ଦନ ଓ ଲଲନ୍‌ ସମସ୍ତ ଅଭିଯୁକ୍ତଙ୍କୁ ଦୁଇଟି କାରରେ ଭାଇଜାଗ୍ ନେଇଥିବା ଶଙ୍କର ପୁଲିସକୁ ସୂଚନା ଦେଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉକ୍ତ କାର‌ ପୁଲିସ ଜବତ କରିପାରି ନାହିଁ। ଗୋଟିଏ କାର‌ ଚନ୍ଦନ ଓ ଅନ୍ୟ ଜଣେ ସହଯୋଗୀ କିଣି ପରେ ବିକ୍ରି କରି ଦେଇଥିଲେ। ସେହି କାର‌ ଏବେ କାହା ହେପାଜତରେ ରହିଛି, ପୁଲିସ ସେ ନେଇ ପୁନଃ ତଦନ୍ତ ଆରମ୍ଭ କରିଦେଇଛି। ୨୦୧୪ ନଭେମ୍ବର ୧୧ ତାରିଖ ରାତିରେ ଭୁବନେଶ୍ବରରେ ଯେଉଁ ହୋଟେଲରେ ୧୦ ଅପରାଧୀ ରାତି କାଟିଥିଲେ ସେହି ହୋଟେଲ୍ ପୁଲିସ ପାଇଁ ଏବେ ତଦନ୍ତର ବଡ଼ ପ୍ରମାଣ ହୋଇଛି। ଯଦିଓ ହୋଟେଲ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ହାର୍ଡ ଡିସ୍କରେ ମିଳିବା କଷ୍ଟକର, କିନ୍ତୁ ପୁଲିସ ହାର୍ଡ ଡିସ୍କରୁ ଡାଟା ରିକଭର୍ କରିବାକୁ ଫରେନସିକ ସାଇନ୍ସ ଲାବ୍ରୋଟାରିର ସହଯୋଗ ନେବା ଯୋଜନାରେ ଅଛି। ଫାରୁକ ନିଜ ଗୋଦାମକୁ ଲାଗି କରି ଥିବା ଆଉ ଏକ ଗୋଦାମ ଘର ଚାଉଳିଆଗଞ୍ଜର ଜଣେ ବ୍ୟକ୍ତିଙ୍କ ନିକଟରୁ କିଣିବାକୁ ଯୋଜନା କରିଥିବା ବେଳେ ସେହି ଗୋଦାମକୁ ହାତେଇବା ଚକ୍କରରେ ଥିବା ଜଣେ ତେଲ ବ୍ୟବସାୟୀଙ୍କ ସୁପାରିରେ ଧଳସାମନ୍ତ ଭାଇ ଫାରୁକଙ୍କୁ ହତ୍ୟା ଯୋଜନା କରିଥିଲେ ବୋଲି ଗୋଟିଏ ପଟେ କୁହାଯାଉଥିବା ବେଳେ ଡାଲି ବ୍ୟବସାୟରେ ପତିଆରା ହତ୍ୟାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ମାଲଗୋଦାମ ବ୍ୟବସାୟୀଙ୍କ ନିକଟରୁ ଆଦାୟ ବଟି ଗ୍ୟାଙ୍ଗଷ୍ଟର ଟିଟୋ ନିକଟକୁ ପୂର୍ବରୁ ଯାଉଥିବା ବେଳେ ତାହାକୁ କବଜା କରିବା ପାଇଁ ଧଳସାମନ୍ତ ଭାଇ ଫାରୁକଙ୍କୁ ହତ୍ୟା କରିଥିଲେ ବୋଲି ବି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର