ଫସଲ ବୀମା ମାର୍ଗଦର୍ଶିକା ବଦଳିଲା : ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲ କ୍ଷତି ପାଇଁ ମିଳିବ କ୍ଷତିପୂରଣ
କେନ୍ଦ୍ର ଗ୍ରହଣ କଲା ଓଡ଼ିଶାର ପ୍ରସ୍ତାବ
ଭୁବନେଶ୍ବର : ଏଣିକି ହାତୀ ଓ ବିଭିନ୍ନ ବନ୍ୟପ୍ରାଣୀଙ୍କ ଯୋଗୁଁ ଧାନ ଓ ବିଭିନ୍ନ ଫସଲ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେବଳ େସତିକି ନୁହେଁ, ସେ ନେଇ ମାର୍ଗଦର୍ଶିକା ମଧ୍ୟ ପରିବର୍ତନ କରିଛନ୍ତି। ପରିବର୍ତିତ ମାଗର୍ଦର୍ଶିକାରେ ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲର କ୍ଷୟକ୍ଷତି ପାଇଁ ବୀମା କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି। ଏହି ସୁଖବର ରାଜ୍ୟର ଚାଷୀମାନଙ୍କ ପାଇଁ ଆଣିଛି ଘୋର ଆଶ୍ବସ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଆଗାମୀ ରବି ଋତୁ(୨୦୧୮-୧୯)ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହା ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆପାତତଃ ୪ଟି ଜିଲ୍ଲାରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ। ପରେ ଅବଶିଷ୍ଟ ସବୁ ଜିଲ୍ଲା ସାମିଲ ହେବ। ବିଜ୍ଞପିତ ଫସଲ ଯଥା: ଧାନ, ତୈଳବୀଜ, ଡାଲିଜାତୀୟ, ମିଲେଟ୍ ଶସ୍ୟ ସହିତ ଉଦ୍ୟାନ କୃଷି ଫସଲ ନିମନ୍ତେ ଏହା ଲାଗୁ ହେବ। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜିଆଇସି ସହିତ ପରାମର୍ଶ କରି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଅବଶ୍ୟ ଏଥିପାଇଁ ବର୍ଧିତ ବୀମା ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ତେବେ ଏହା ସମସ୍ତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ନାହିଁ। ଇତି ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ରବି ଫସଲ ବୀମା ପଞ୍ଜୀକରଣ କରାଯିବ। ଏ ନେଇ ରାଜ୍ୟରେ ବୀମା ପଞ୍ଜୀକରଣ ଆରମ୍ଭ ହୋଇସାରିଛି।
ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମୁଖ୍ୟତଃ ହାତୀ, ବାର୍ହା, ହରିଣ ଆଦି ବନ୍ୟଜନ୍ତୁ ଫସଲ ଖାଇ ଉଜାଡ଼ି ଦେଇଥାନ୍ତି। ରାଜ୍ୟର କିଛି ଜିଲ୍ଲାରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ଏପରି କି ପ୍ରାୟ ୫୦ ପ୍ରତିଶତ ଧାନ ଶସ୍ୟ ଧ୍ବଂସ ହୋଇଥାଏ ବୋଲି ଆକଳନ ହୋଇଛି। ଜଙ୍ଗଲକୁ ଲାଗି ରହିଥିବା ଗାଁଗୁଡ଼ିକରେ ବାର୍ହାଙ୍କର ଉତ୍ପାତ କିଛି କମ୍ ନୁହେଁ। ବିଶେଷ କରି ଶୀତଦିନେ ଧାନ ପାଚିଲା ବେଳକୁ ହାତୀଗୁଡ଼ିକ ଦଳ ଦଳ ହୋଇ ଫସଲ ଖାଇ ଉଜାଡ଼ି ଦେଇଥାନ୍ତି। ଏହି ବର୍ଷ ମଧ୍ୟ ହାତୀଙ୍କ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଫସଲ କ୍ଷୟକ୍ଷତି ହେବାରେ ଲାଗିଛି। ଫସଲ ଧ୍ବଂସ ହେଲେ ବିଚରା ଚାଷୀ ଅସହାୟ ହୋଇପଡ଼େ। ଅବଶ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଯୋଗୁଁ ଫସଲ କ୍ଷୟକ୍ଷତି ନିମନ୍ତେ କିଛି ସହାୟତା ପ୍ରଦାନ କରାଯାଏ। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ।
ଚାଷୀଙ୍କ ଅସହାୟତାକୁ ବିଚାରକୁ ନେଇ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବନ୍ୟପ୍ରାଣୀ ଆକ୍ରମଣରେ ଫସଲ କ୍ଷୟକ୍ଷତି ନିମନ୍ତେ ବୀମା କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ଚଳିତ ରବି ଋତୁରୁ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ଚୂଡ଼ାନ୍ତ କରିଛନ୍ତିି। ଏ ନେଇ ମାଗର୍ଦର୍ଶିକା ପରିବର୍ତନ କରାଯାଇ ବନ୍ୟପ୍ରାଣୀ ଜନିତ ଫସଲ କ୍ଷୟକ୍ଷତିକୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଏହାର ଖର୍ଚ ଭାର ରାଜ୍ୟ ସରକାରଙ୍କ ଉପରେ ଲଦିଛନ୍ତି କେନ୍ଦ୍ର ସରକାର।
ରାଜ୍ୟ ସରକାର ଚଳିତ ରବି ଋତୁରେ ଏହା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତିି। ତେବେ ପାଇଲଟ୍ ପ୍ରକଳ୍ପ ଭାବେ ବନ୍ୟପ୍ରାଣୀଙ୍କ ଦ୍ବାରା ପ୍ରଭାବିତ ହେଉଥିବା ୪ଟି ଜିଲ୍ଲାରେ ଏହାର ଆରମ୍ଭ ହୋଇପାରେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଆଗାମୀ କିଛିଦିନ ଭିତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।