ମାର୍ଚ ଶେଷ ସୁଦ୍ଧା ମିଳିପାରେ ଫସଲ ବୀମା

କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ଗଠନ ହେବ ସବ୍‌-କମିଟି

ଭୁବନେଶ୍ୱର : ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଦେୟ ପ୍ରଦାନ ନିର୍ଧାରିତ ସମୟଠାରୁ ପାଖାପାଖି ୬ ମାସ ବିଳମ୍ବ ହୋଇଥିଲା। ଏ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥର ତା’ର ପୁନରାବୃତ୍ତି ନ ହେବା ପାଇଁ କୃଷି ବିଭାଗ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଚଳିତ ଖରିଫ ଋତୁ ନିମନ୍ତେ କ୍ଷତି ସହିଥିବା ବୀମାଭୁକ୍ତ ଚାଷୀମାନଙ୍କୁ ଆସନ୍ତା ମାର୍ଚ ମାସ ଶେଷ ସୁଦ୍ଧା ପ୍ରଦାନ କରାଯିବ। ଆସନ୍ତା ଖରିଫ ଏବଂ ରବି ଋତୁ ନିମନ୍ତେ ଫସଲ ବୀମା କାର୍ଯ୍ୟକ୍ରମ ତ୍ୱରାନ୍ଵିତ ପାଇଁ ଏକ ସବ୍‌-କମିଟି ଗଠନ କରାଯାଇଛି।

ସୋମବାର ଦିନ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ତମାନ ସୁଦ୍ଧା ୭ଟି ଜିଲ୍ଲାର ଫସଲକଟା ରିପୋର୍ଟ ଚୂଡ଼ାନ୍ତ ହୋଇସାରିଛି। ଏହି ରିପୋର୍ଟକୁ ଦିନେ ଦୁଇଦିନ ଭିତରେ ସଂପୃକ୍ତ ବୀମା କମ୍ପାନି ନିକଟକୁ ପଠାଯିବ। ସେହି କମ୍ପାନି ତରଫରୁ ଆବଶ୍ୟକ ଆକଳନ, ଅନୁଧ୍ୟାନ ପରେ ବୀମା ଦେୟ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ। ଅବଶିଷ୍ଟ ୨୩ଟି ଜିଲ୍ଲାରୁ ଫସଲକଟା ରିପୋର୍ଟ ଅଣାଯିବା ପାଇଁ ଶେଷ ତାରିଖ ରହିଛି ଫେବ୍ରୁଆରି ୧୫। ସମସ୍ତ ରିପୋର୍ଟ ପ୍ରକ୍ରିୟାକରଣ ପରେ ବୀମା କମ୍ପାନିମାନଙ୍କୁ ସେଗୁଡ଼ିକ ପ୍ରଦାନ କରାଯିବ। ମାର୍ଚ ୩୧ ତାରିଖ ସୁଦ୍ଧା ଯୋଗ୍ୟ ଚାଷୀମାନଙ୍କୁ ସେମାନଙ୍କର ବୀମା ପ୍ରାପ୍ୟ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।
ବର୍ତମାନ ଖରିଫ ଓ ରବି ଋତୁ ନିମନ୍ତେ ବିଭିନ୍ନ ଜିଲ୍ଲାଗୁଡ଼ିକୁ ନେଇ ଭିନ୍ନ ଭିନ୍ନ କ୍ଲଷ୍ଟର ରହିଛି। ବୈଠକର ନିଷ୍ପତ୍ତି ମୁତାବକ ଏଥର ସେଥିରେ ପରିବର୍ତନ ଅଣାଯାଇଛି।

ଉଭୟ ଖରିଫ ଏବଂ ରବି ଋତୁ ପାଇଁ ବୀମା କ୍ଲଷ୍ଟର ସମାନ ରହିବ। ଏପରି କି ଟେଣ୍ଡରରେ ଯୋଗ୍ୟ ବିବେଚିତ ବୀମା କମ୍ପାନିମାନେ ଉଭୟ ଖରିଫ ଓ ରବି ଋତୁ ନିମନ୍ତେ କାର୍ଯ୍ୟ କରିବେ। ଫଳରେ ବୀମା କାର୍ଯ୍ୟ ସଂପାଦନା ସହଜ ହୋଇପାରିବ। ତଦନୁଯାୟୀ କୃଷି ବିଭାଗ ହୁଅନ୍ତୁ ବା ବୀମା କମ୍ପାନି, ସେମାନେ ଉଭୟ ଋତୁ ପାଇଁ ଫସଲ ବୀମା ନିମନ୍ତେ ନିଜ ନିଜ କର୍ମଚାରୀମାନଙ୍କୁ ନିୟୋଜିତ କରିବେ। ବର୍ତମାନ, ଖରିଫ ଋତୁ ପାଇଁ ଧାନ ସହିତ ୭ ପ୍ରକାରର ଶସ୍ୟ ଏବଂ ରବି ଋତୁ ପାଇଁ ୧୦ ପ୍ରକାରର ଶସ୍ୟଗୁଡ଼ିକୁ ବୀମା ପରିସରଭୁକ୍ତ କରାଯାଇଛି। ଆସନ୍ତା ଖରିଫ ଏବଂ ରବି ଋତୁ ନିମନ୍ତେ ଶସ୍ୟ ସଂଖ୍ୟା ବୃଦ୍ଧି କରାଯିବ ନାହିଁ ବୋଲି ବୈଠକରେ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୮.୩୬ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତିି।

ସମ୍ବନ୍ଧିତ ଖବର