ଆଉ ୨୧୫ କୋଟିର ଖରିଫ ଫସଲ ବୀମା ବାକି

ଭୁବନେଶ୍ୱର : ୨୦୧୮-୧୯ ଖରିଫ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୪ ତାରିଖରେ ଶେଷ ହେବ। କିନ୍ତୁ ୨୦୧୭-୧୮ ଖରିଫ ବୀମା କ୍ଷତିପୂରଣ ରାଶି ପ୍ରଦାନ ଏବେ ବି ସରିନାହିଁ। ଏବେ ବି ଆହୁରି ୨୧୫ କୋଟିର ବୀମା ରାଶି ଦେୟ ବାକି ରହିଛି।

କୃଷି ବିଭାଗ ସୂଚନା ଅନୁଯାୟୀ ୨୦୧୭-୧୮ ଖରିଫ ଫସଲ ନିମନ୍ତେ ପ୍ରାୟ ୧.୩୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୮.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ ବୀମା ପ୍ରିମିୟମ୍‌ ବାବଦରେ ୧୪୪.୨୪ କୋଟି ଜମା କରିଛନ୍ତି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତ) ମିଶାଇ ମୋଟ ଜମା ରାଶି ହେଉଛି ୮୩୯.୬୮ କୋଟି। ୨୦୧୭-୧୮ ଖରିଫ ଋତୁରେ ଧାନ ଫସଲକଟା ରିପୋର୍ଟ ୪ଟି ବୀମା କମ୍ପାନି ଟାଟା ଏଆଇଜି, ଏଆଇସି ଅଫ୍‌ ଇଣ୍ଡିଆ, ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଚୋଲ ଏମ୍‌ଏସ୍‌ଙ୍କୁ ଦିଆଯାଇଛି। ରିପୋର୍ଟ ମୁତାବକ ଗତ ଖରିଫ ଋତୁରେ ମୋଟ ୧୬୨୫ କୋଟିର ବୀମା ରାଶି ଆକଳନ କରାଯାଇଛି। ଗତ ଜୁନ୍‌ ମାସ ୮ ତାରିଖରୁ ଏହି ୪ଟି ବୀମା କମ୍ପାନି ବୀମା ରାଶି ପ୍ରଦାନ ଆରମ୍ଭ କରିଛନ୍ତି। ବର୍ତମାନ ସୁଦ୍ଧା ମୋଟ ୧୪୧୦ କୋଟି ଦିଆଯାଇଛି।

ଏଥିମଧ୍ୟରୁ ଟାଟା ଏଆଇଜି ବୀମା କମ୍ପାନି ମୋଟ ୪୩୦ କୋଟିର ଦେୟ ମଧ୍ୟରୁ ୪୦୦ କୋଟି ପ୍ରଦାନ କରିସାରିଛି। ଏଆଇସି ଅଫ୍‌ ଇଣ୍ଡିଆ ମୋଟ ୧୫୬ କୋଟିରୁ ୧୫୩ କୋଟି ଦେଇସାରିଛି। ସେହିପରି ଚୋଳ ଏମ୍‌ଏସ୍‌ ଦେଇଛି ୨୧୭ କୋଟି। ଏହି କମ୍ପାନି ମୋଟ ୩୦୬ କୋଟିର ବୀମା ପ୍ରଦାନ କରିବ। ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ସର୍ବାଧିକ ୭୩୩ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଚୂଡ଼ାନ୍ତ ହୋଇଛି। ସେଥିମଧ୍ୟରୁ କମ୍ପାନି ଦେଇସାରିଛି ୬୪୦ କୋଟି। ବୀମା କ୍ଷତିପୂରଣ ରାଶି ପାଇବା ଯୋଗୁଁ ବର୍ତମାନ ସୁଦ୍ଧା ୬.୨୫ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିି। ଉଲ୍ଲେଖଯୋଗ୍ୟ, ଗତ ଖରିଫ ଋତୁରେ ମରୁଡ଼ି ଯୋଗୁଁ ୩ ଲକ୍ଷ ୨୧ ହଜାର ୪୨୧.୨୪ ହେକ୍ଟର ଜମି, ଚକଡ଼ା ପୋକରେ ୧ ଲକ୍ଷ ୩୮ ହଜାର ୧୬୮.୪୯ ହେକ୍ଟର ଜମି ଓ ଅଦିନିଆ ବର୍ଷାରେ ୪ ଲକ୍ଷ ୪ ହଜାର ୫୧୩.୫୦୧ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର