ଭୁବନେଶ୍ୱର: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର କେଳେଙ୍କାରୀ ପଦାକୁ ଆସିଲା ପରେ ତାହାକୁ ନେଇ ରାଜନୀତି ଜୋର୍ ଧରିଛି। ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଜୋର୍ଦାର ଆକ୍ରମଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ବିଜେପି ନେତାମାନଙ୍କ ଫଟୋ ଦେଖାଇ ସରକାର ଓ ଶାସକ ଦଳକୁ କାଠଗଡ଼ାକୁ ଟାଣିବାକୁ ଚେଷ୍ଟା କରିଛି ବିଜେଡି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କହିଛନ୍ତି। ଆଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଜୁ ଛାତ୍ର ଜନତା ସଭାନେତ୍ରୀ ଇପ୍ସିତା ସାହୁ ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଲେ, ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ପଦବିଧାରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏହି ନିଯୁକ୍ତି ଦାୟିତ୍ୱ ଓପିଆର୍ବି ଉପରେ ଥିଲା ବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟଙ୍କୁ ନିଯୁକ୍ତି ଦିଆଯାଇଥିଲା। ୯୩୩ ଜଣ ଏସ୍ଆଇ ପଦବିରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ନିମନ୍ତେ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା।
ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍ ମାଇଣ୍ଡ ଡିଜିଟାଲକୁ ନେଇଥିଲା। ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ଦାୟିତ୍ବ ଦେଇଥିଲେ। ଏହା ପରେ ଆଇଟିଆଇ ଦ୍ୱାରା ରିଚ୍ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକ୍କୁ ସହଯୋଗୀ ଭାବେ ନିଆଯାଇଥିଲା। ସିଲିକନ ଡିଜିଟେକ୍ ତାର ସହଯୋଗୀ ଭାବେ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନିକୁ ଦାୟିତ୍ୱ ଦେଇଥିଲା। ଏହି ପଞ୍ଚସଫ୍ଟ ସଂସ୍ଥା ଦ୍ୱାରା ମୁଖ୍ୟତଃ ମୋଟା ଅଙ୍କର ଉତ୍କୋଚ ଗ୍ରହଣ କରି ଜାଲିଆତି କରି ଚାକିରି ଦେବା ପାଇଁ ଉଦ୍ୟମ କରାଯାଉଥିଲା। ପଞ୍ଚସଫ୍ଟ କମ୍ପାନିର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଓ ଦଳର ସବୁ ବରିଷ୍ଠ ନେତାଙ୍କ ସହ ଭଲ ସମ୍ପର୍କ ରହିଛି। ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ। କେଉଁ ପରିସ୍ଥିତିରେ ଓ କାହା ନିର୍ଦ୍ଦେଶରେ ପଞ୍ଚସଫ୍ଟ ଭଳି ଏକ ଅନଭିଜ୍ଞ କମ୍ପାନିକୁ କିପରି ଏଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ? ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତି ଅଭିଯୋଗ ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର। ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ବିଜେଡି ଦାବି କରିଛି।
ବିଜେପି ନେତାଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଦେଖାଇଲା ବିଜେଡି
ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ
ଶାସକ ଦଳର ସଂପୃକ୍ତି ଥିଲେ ପରୀକ୍ଷା କାହିଁକି ବାତିଲ ହୋଇଥା’ନ୍ତା: ମନମୋହନ
ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶ୍ବାଳ କହିଛନ୍ତି, ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଲୋକଲୋଚନକୁ ଆସିବା ପରେ ରାଜ୍ୟର ଯୁବ ଓ ଛାତ୍ର ସମାଜ ମୋହନ ସରକାରଙ୍କ ଚାକିରି ବିକ୍ରି ଯୋଜନା ବାବଦରେ ସ୍ପଷ୍ଟ ହୋଇଛନ୍ତି। ଏହି ଷଡ଼୍ଯନ୍ତ୍ରକୁ ଲୋକଲୋଚନକୁ ଆଣିବା ପାଇଁ ସରକାର ଯେଉଁ ବ୍ୟସ୍ତତା ଦେଖାଉଛନ୍ତି ତାହା କେବଳ ଲୋକ ଦେଖାଣିଆ। ନଖର ଶିଖ ପର୍ଯ୍ୟନ୍ତ ବିଜେପିର ରାଜନେତା ଓ ସରକାରୀ ବାବୁ ଏଥିରେ ସଂପୃକ୍ତ। ଯେଉଁ ସଂସ୍ଥା ୧୧୭ଜଣ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦେବା ପାଇଁ ବସ୍ ଯୋଗେ ଆନ୍ଧ୍ର ନେଉଥିଲା, ସେଥିରେ ପୁଲିସ ନିଯୁକ୍ତି ବୋର୍ଡ ଓ ସରକାରୀ ବାବୁଙ୍କ ସଂପୃକ୍ତି ରହିଛି। ଧରା ପଡ଼ିଯିବା ପରେ ଲୋକ ଦେଖାଣିଆ ତଦନ୍ତ ଚାଲିଛି। ଏହାର ବିଚାର ବିଭାଗୀୟ ତଦନ୍ତ କଲେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ। ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍’ର ଆବାହକ ବିଭୂତି ଭୂଷଣ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାରେ ସିଧାସଳଖ ଓପିଆର୍ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି। ଗିରଫ ୧୧୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅବସରପ୍ରାପ୍ତ ଜେଲ ଡିଆଇଜିଙ୍କ ପୁଅ ରହିଛନ୍ତି। କିଛି ବଡ଼ବଡ଼ିଆ ଅଫିସର ଏଥିରେ ସମ୍ପୃକ୍ତି ଥିବାରୁ ଏହାର ତଦନ୍ତ ସିବିଆଇ କିମ୍ବା ବିଚାରପତିଙ୍କ ଦ୍ୱାରା କରାଇବାକୁ ସେ ଦାବି ରଖିଛନ୍ତି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଛନ୍ତି, ଯଦି କେଳେଙ୍କାରୀରେ ଶାସକ ଦଳର ସଂପୃକ୍ତି ଥା’ନ୍ତା, ତେବେ ଆମେ ପରୀକ୍ଷା କାହିଁକି ବନ୍ଦ କରିଥାନ୍ତୁ? ଏହା ବହୁଦିନର ରୋଗ। ଏହାକୁ ବନ୍ଦ କରିବା ପାଇଁ ଅପରେସନ୍ ଦରକାର। ମଲମ ମାରିଲେ ରୋଗ ଭଲ ହେବନି। ଆମ ସମୟରେ ଏହି ରୋଗ ହୋଇନି। ଇତିହାସ ଦେଖନ୍ତୁ, ପୂର୍ବରୁ ରୋଗ ଅଛି। ଆମେ ତାହାକୁ ଭଲ କରିବାକୁ ଉଦ୍ୟମ କରୁଛୁ।