ନିମାପଡ଼ା: ପୁରୀ ଜିଲ୍ଲାର ପ୍ରଥମ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ଏହାକୁ ନେଇ ପ୍ରଭାତୀଙ୍କ ଗାଁ ନିମାପଡ଼ା ବ୍ଲକ୍ ତେରୁଣ୍ଡିଆଠାରୁ ଆରମ୍ଭ କରି ସାରା ଜିଲ୍ଲାରେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ଜିଲ୍ଲାରେ ବିଜେପି ଏ ନେଇ ଉତ୍ସବ ମନାଇଛି। ନିମାପଡ଼ା ପୁନେଶ୍ବରୀସାହିରେ ପ୍ରଭାତୀ ସପରିବାର ରହୁଛନ୍ତି। ସେଠାରେ ଏବେ ବିଜୟର ଖୁସି ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ପ୍ରଭାତୀଙ୍କ ପ୍ରଶଂସକ ଓ ସମର୍ଥକ ପ୍ରଭାତୀଙ୍କ ଘରଠାରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି। ତେରୁଣ୍ଡିଆ ଗାଁରେ ବାଣଫୁଟାଇ ଲୋକେ ଖୁସି ମନାଇଛନ୍ତି।
ଛାତ୍ର ରାଜନୀତିରୁ ରାଜନୀତିକୁ ଆସିଥିବା ପ୍ରଭାତୀ ଜଣେ ଭଲ କ୍ରୀଡ଼ାବିତ୍ ଥିଲେ। ସେ ବ୍ୟାଡମିଣ୍ଟନ ଚାମ୍ପିଅନ ବି ଥିଲେ। ବିଜେପିରେ ୨୫ ବର୍ଷ ଧରି ସାଂଗଠନିକ କାର୍ଯ୍ୟ ସହ ସକ୍ରୀୟ ରାଜନୀତି ପରେ ସେ ପ୍ରଥମ ଥର ବିଧାୟିକା ହେବା ସହ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଭାତୀଙ୍କ ସ୍ବାମୀ ଶ୍ୟାମସୁନ୍ଦର ନାୟକ ଓସିସିର ଅବସରପ୍ରାପ୍ତ ମହାପ୍ରବନ୍ଧକ। ପ୍ରଭାତୀଙ୍କ ଦିଅର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶଶାଙ୍କ ଶେଖର ନାୟକ କହିଛନ୍ତି, ବହୁବର୍ଷରୁ ଆମ ପରିବାର ସକ୍ରୀୟ ରାଜନୀତିରେ ରହିଛନ୍ତି। ଭାଉଜ ଲୋକଙ୍କ ପାଇଁ କାମ କରୁଥିଲେ। ସୁଖଦୁଃଖରେ ଛିଡ଼ା ହେଉଥିଲେ। ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ବି ତାଙ୍କୁ ମିଳିଛି। ଆଜି ମିଳିଥିବା ଖୁସି ଅବ୍ୟକ୍ତ ବୋଲି ଶ୍ରୀ ନାୟକ କହିଛନ୍ତି। ଦିଅର ଅରୁଣ କୁମାର ନାୟକ କହିଛନ୍ତି, ବହୁତ ଖୁସି ଲାଗୁଛି, ଭାଉଜ ଆଜି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ତାଙ୍କୁ ୨୫ ବର୍ଷ ପରିଶ୍ରମର ମୂଲ୍ୟ ମିଳିଛି। ଭାଉଜଙ୍କ ଝିଅ ଆମେରିକାରେ ଅଧ୍ୟୟନ କରୁଛନ୍ତି। ଭାଉଜ ଉପମୁଖ୍ୟମନ୍ତ୍ରୀ ହେବା ପରେ ପରିବାର ସହ ଗାଁରେ ବି ଖୁସିର ମାହୋଲ ଦେଖିବାକୁ ମିଳିଛି। ଗାଁ ଲୋକେ ବି ଘରକୁ ଆସି ଶୁଭେଚ୍ଛା ଜଣାଉଛନ୍ତି। ନଗର ମହିଳାମୋର୍ଚ୍ଚା ସଭାନେତ୍ରୀ ମୀନଲତା ମହାନ୍ତି କହିଛନ୍ତି, ପୁରୀ ଜିଲ୍ଲାର ପ୍ରଥମ ଉପମୁଖ୍ୟମନ୍ତ୍ରୀ ହୋଇ ପ୍ରଭାତୀ ପରିଡ଼ା ଆମ ଗୌରବ ବଢ଼ାଇଛନ୍ତି। କାଉନ୍ସିଲର ନିରଞ୍ଜନ ନାୟକ ମଧ୍ୟ ଶ୍ରୀମତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ଖୁସି ବ୍ୟମକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhhsffhfhs.jpg)