ଅଚଳ ଓ ଅବୈଧ ଫାଷ୍ଟାଗ୍‌ ଥିବା ଗାଡ଼ିରୁ ଆଦାୟ ହେବ ୨ ଗୁଣ ପଥକର

ଭୁବନେଶ୍ବର : ଏଣିକି ଅଚଳ କିମ୍ବା ଅବୈଧ ଫାଷ୍ଟାଗ୍‌ ଗାଡ଼ିରେ ଲଗାଇ ଗଲେ ଟୋଲ୍‌ ପ୍ଲାଜା ଫାଟକରେ ଦୁଇଗୁଣ ପଥକର ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଫାଷ୍ଟାଗ୍‌ ନଥିବା ଯାନରୁ ଏହି ଦୁଇଗୁଣ ଅର୍ଥ ଆଦାୟ ହେଉଥିଲା। ଏବେ ଅଚଳ ଓ ଅବୈଧ ଫାଷ୍ଟାଗ୍‌ ପାଇଁ କେନ୍ଦ୍ର ସରକାର ସମାନ ବ୍ୟବସ୍ଥା ଲାଗୁ କରିଛନ୍ତି।

ସୂଚନା ଥାଉକି, ଟୋଲ୍‌ ପ୍ଲାଜାଗୁଡ଼ିକରେ ଭିଡ଼ କମାଇବା ପାଇଁ ରେଡିଓ ଫ୍ରିକ୍ବେନ୍ସି ଜରିଆରେ ପଥକର ଆଦାୟ କରିବାକୁ ଗତବର୍ଷ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଫାଷ୍ଟାଗ୍‌ ବ୍ୟବସ୍ଥା ଗତବର୍ଷ ଡିସେମ୍ବର ପହିଲାରୁ ସାରାଦେଶରେ କଡ଼ାକଡ଼ି ଲାଗୁ କରାଯାଇଥିଲା। କିନ୍ତୁ ଫାଷ୍ଟାଗ୍‌ କିଣିବାରେ ସମୟ ଲାଗିବାରୁ ଏହି ଅବଧିକୁ ପ୍ରଥମେ ଡିସେମ୍ବର ୧୫ ତାରିଖ ଓ ପରେ ୨୦୨୦ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସଂପ୍ରସାରିତ କରିଥିଲେ। ଜାନୁଆରି ୧୫ ପରଠାରୁ ସମସ୍ତ ଟୋଲ୍‌ ପ୍ଲାଜାରେ ଫାଷ୍ଟାଗ୍‌ ବ୍ୟବସ୍ଥା କଡ଼ାକଡ଼ି ଲାଗୁ କରାଯାଇଥିଲା। ନୂତନ ବିଜ୍ଞପ୍ତି ଅନୁଯାୟୀ, କୌଣସି ଯାନରେ ଯଦି ଫାଷ୍ଟାଗ୍‌ ନଥିବ କିମ୍ବା ଅଚଳ ବା ଅବୈଧ ହୋଇଥିବ, ତେବେ ସେଭଳି ଯାନର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ୍‌ ଫି ଆଦାୟ କରିବାକୁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର