ବନବାସୀଙ୍କ ଅନଶନ ୬ଷ୍ଠ ଦିନରେ: ପୀଡ଼ିତ ପରିବାରଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ତୀବ୍ରତର ହେବ: ପ୍ରଦୀପ ମାଝୀ

ଚନ୍ଦାହାଣ୍ଡି : କଳାହାଣ୍ଡି ଜିଲ୍ଲା ସାହାଜଖୋଲ୍ ଜଙ୍ଗଲରେ ୪୦ଟି ବନବାସୀ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପ୍ରଦାନ ସହିତ ୬ ଦଫା ଦାବି ନେଇ ଚାଲିଥିବା ଅନଶନ ଶୁକ୍ରବାର ଷଷ୍ଠ ଦିନରେ ପହଞ୍ଚିଛି। ପୀଡ଼ିତ ପରିବାରଙ୍କୁ ଅନଶନ ସ୍ଥଳରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପହଞ୍ଚି ଘଟଣାକୁ ତୀବ୍ର ନିନ୍ଦା କରିବାସହ ତୁରନ୍ତ ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ବର୍ତ୍ତମାନ ଡୁମେରପାଣି ଓ ଭତାପାଣି ବସ୍ତିର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ଆଦିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି, ଶୀଘ୍ର ଜିଲ୍ଲା ପ୍ରଶାସନ ଏମାନଙ୍କୁ ଥଇଥାନର ବ୍ୟବସ୍ଥା କରନ୍ତୁ ବୋଲି କହିବା ସହ ଯଦି ଏଥିରେ ବ୍ୟତିକ୍ରମ ସୃଷ୍ଠି ହୁଏ ତେବେ ପ୍ରଶାସନ ଏକ ବଡ଼ ଜନ ଆନ୍ଦୋଳନର ସାମନା କରିବାକୁ ପ୍ରସ୍ତୁତ ହୋଇ ରହୁ ବୋଲି ଚେତାବନୀ ଦେଇଥିଲେ।

କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ପୀଡ଼ିତ ପରିବାର କୁ ଭେଟି ଆସନ୍ତା ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ସହିତ ଏକ ପ୍ରତିନିଧି ଦଳ ଭେଟି ବିସ୍ତୃତ ଆଲୋଚନା କରିବେ ବୋଲି କହିଥିଲେ। ପୂର୍ବତନ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ପରିଚାଳନାରେ ଅନୁଷ୍ଠିତ ବନବାସୀ ପୀଡ଼ିତଙ୍କ ସହ ଏହି ଆଲୋଚନାରେ କଳାହାଣ୍ଡି ଜିଲ୍ଲା ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୂରିଆ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଳ ମଙ୍ଗରାଜ,ବରିଷ୍ଠ ନେତା କମଳ ଚରଣ ତାଣ୍ଡି, ଅବଦୁଲ ଫିରୋଜ,ଡାକେଶ୍ବର ଲହଜଳ,ସନ୍ତୋଷ ପଟ୍ଟନାୟକ ,ତମ୍ବୁ ଦାସ ପାନକା,ପ୍ରସନ୍ନ ମାଝୀ, ଚକଳା ପଦର ସରପଞ୍ଚ ଅଞ୍ଜୀତା ଦଳେଇ, କେଶବ ନାୟକ,ସରୋଜ ମାଝୀ,ଡମ୍ବରୁ ହରିନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ପୀଡ଼ିତ ପରିବାର ଚେତାବନୀ ଦେଇଛନ୍ତି।

ପ୍ରକାଶ ଥାଉକି, ଜୁନ୍‌ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଅଞ୍ଚଳର କିଛି ଯୁବକ ଡୁମେରପାଣି ଓ ଭତାପାଣି ଗ୍ରାମରେ ପହଞ୍ଚି ୪୦ଟି ବନବାସୀ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ କରି ତଡ଼ି ଦେଇଥିଲେ। କିନ୍ତୁ ଏହି ଘଟଣାକୁ ୨୧ ଦିନ ବିତିଯିବା ପରେ ମଧ୍ୟ ପୀଡ଼ିତ ପରିବାରକୁ ନ୍ୟାୟ ନ ମିଳିବାରୁ ଆଜକୁ ୬ ଦିନ ହେବ ୪୦ଟି ପୀଡ଼ିତ ପରିବାର ୬ ଦଫା ଦାବି ନେଇ ଝରିଗାଁ- ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ଭତାପାଣି ଗ୍ରାମରେ ଅନଶନରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବନବାସୀଙ୍କ ତରଫରୁ ମଧୁ ଭତ୍ରା, କୃତ୍ତିବାସ ଭତ୍ରା, ଲକ୍ଷ୍ମୀକାନ୍ତ ଭତ୍ରା, ବୁଦନ ଭତ୍ରା, ଦୀନବନ୍ଧୁ ହରିଜନ, ଭକଚନ ଭତ୍ରା ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍‌ର ସଦସ୍ୟମାନେ ପୀଡ଼ିତ ପରିବାରଙ୍କୁ ରିଲିଫ୍ ପ୍ରଦାନ କରିବେ ବୋଲି କହିଛନ୍ତି। ସଂଗଠନର ସଦସ୍ୟ କେଦାର ନାଥ ସାହୁ, ଆଦିତ୍ୟ ପ୍ରଧାନ ସେଠାରେ କ୍ୟାମ୍ପ୍ କରି ରିଲିଫ୍ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର