ସମ୍ବଲପୁର ଏସ୍‌ପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଡିଆଇଜିଙ୍କଠାରେ ଫେରାଦ୍

ସମ୍ବଲପୁର : ସମ୍ବଲପୁର ଏସ୍‌ପିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଏସ୍‌ପି ଷଡ୍‌ଯନ୍ତ୍ର କରି ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ସହିତ ତାଙ୍କ ଇଂଗିତରେ ମାଡ଼ପିଟ କରାଯାଇଥିବା ନେଇ ବିଜେପି ସଂଖ୍ୟାଲଘୁ ସେଲ୍‌ ଜିଲ୍ଲା ଉପସଭାପତି ମହମ୍ମଦ ଫାରୁକ୍ ଉତ୍ତରାଂଚଳ ଡିଆଇଜିଙ୍କଠାରେ ଅଭିଯୋଗ କରିଛନ୍ତି।

ସମ୍ବଲପୁର ମୋତିଝରଣ ନିବାସୀ ମହମ୍ମଦ ଫାରୁକ୍ ଉତ୍ତରାଂଚଳ ଡିଆଇଜିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି, ତାଙ୍କ ପାଖରେ ଗାଡ଼ିଚାଳକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଚୋରି ମାମଲାରେ ସଂପୃକ୍ତ ଥିଲେ। ତାଙ୍କ ପାଖରେ କାମ କରିବାକୁ ଆସିବାରୁ ସେ ମନା କରିଦେଇଥିଲେ। ଏଭଳି ସ୍ଥିତିରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ସେ ଜୋରଜବରଦସ୍ତ ତାଙ୍କ ବାଇକ୍ ନେଇ ପଳାଇ ଯାଇଥିଲେ। ଗତ ୨୩ ଜୁଲାଇରେ ଘଟିଥିବା ଏହି ଘଟଣା ସଂକ୍ରାନ୍ତରେ ସେ ଧନୁପାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ହେଲେ, ଜଣେ ପୁଲିସ୍‌ ଏସ୍‌ଆଇ ତାଙ୍କୁ ଏହି ମାମଲାର ଅଧିକ ପଚରାଉଚରା କରିବା ପାଇଁ ଧନୁପାଲି ଥାନାକୁ ଡକାଇଥିଲେ। ଥାନାକୁ ପହଂଚିବା ପରେ ଜଣେ ଏଏସ୍‌ଆଇ ଆସି ତାଙ୍କୁ ପୁଲିସ ଗାଡ଼ିରେ ଜବରଦସ୍ତ ବସାଇବାକୁ ଚେଷ୍ଟା କରିଥିଲେ। ପଚାରିବାରୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମାଡ଼ପିଟ କରିଥିଲେ। ଏହାର କିଛି ସମୟ ପରେ ସେଠାରେ ଏସ୍‌ପି ପହଂଚି ତାଙ୍କୁ ଗୋରୁଚାଲାଣ ଓ ଗୋହତ୍ୟା ମାମଲାରେ ସଂପୃକ୍ତ ଥିବା କହିବା ସହିତ ଗାଳିଗୁଲଜ କରିଥିଲେ। ଗୋହତ୍ୟା ମାମଲାରେ ସଂପୃକ୍ତ ନିଜ ବିରୋଧୀ ଲୋକଙ୍କ ବିଷୟରେ ଜୟ ନାରାୟଣ ମିଶ୍ର ଓ ଗିରିଶ ପଟେଲଙ୍କୁ ସୂଚନା ଦେଉଥିବା କହି ଗାଳିଗୁଲୁଜ କରିବା ସହିତ ସେମାନଙ୍କ ବିରୋଧରେ ବୟାନ ଦେବାକୁ ଏସ୍‌ପି ପ୍ରବର୍ତ୍ତାଇ ଥିଲେ ବୋଲି ଫାରୁକ୍ ଅଭିଯୋଗ କରିଛନ୍ତି। ସେ ଯେତ‌ିକି ବୁଝାଇବାକୁ ଚେଷ୍ଟା କରିଥିଲେ ବି ଏସ୍‌ପି କିଛି ବୁଝିନଥିଲେ। ‌ଶୋଷ ଲାଗିବାରୁ ପାଣି ମାଗିଥିଲେ ବି ସେମାନେ ପାଣି ଦେଇନଥିଲେ। ସେଠାରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ମାଡ଼ପିଟ କରିବା ସତ୍ତ୍ବେ ଏସ୍‌ପିଙ୍କ କଥାରେ ସେ ରାଜି ହୋଇନଥିଲେ। ଏଣୁ, ଏସ୍‌ପି ରାଗି ଯାଇ ସେଠାରୁ ଚାଲି ଯାଇଥିଲେ ବୋଲି ଫାରୁକ୍ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ଏସ୍‌ପି ଯିବା ପରେ ବି ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହିତ ମାଡ଼ପିଟ କରିଥିଲେ। ପରେ ଡାକ୍ତରଙ୍କ ପାଖକୁ ନେଇ ନିଜ ପସନ୍ଦର ଏକ ରିପୋର୍ଟ ଲେଖାଇ ଆଣିଥିଲେ। ସେଦିନ ରାତିରେ କୋର୍ଟଚାଲାଣ କରାଯାଇଥିବା ବେଳେ ମାଜିଷ୍ଟେଟଙ୍କ ପାଖରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ସେ ଜାଣିବାକୁ ପାଇଥିଲେ ବୋଲି ଫାରୁକ୍ ଅଭିଯୋଗ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଖବରକାଗଜକୁ ଏସ୍‌ପି ପ୍ରତିକ୍ରିୟା ଦେଇ ତାଙ୍କୁ ମିଛଟାରେ  ଗୋହତ୍ୟାକାରୀ, ଗୋରୁଚାଲାଣକାରୀ ସହିତ ଦୁଷ୍କର୍ମକାରୀ ଭାବେ ଚିତ୍ରଣ କରିଥିବା ଫାଇକ୍ କହିଛନ୍ତି। ସମାଜରେ ତାଙ୍କ ସମ୍ମାନ ହାନି କରିବା ପାଇଁ ଏଭଳି କରାଯାଇଛି। କେବଳ ସେତିକି ନୁହେଁ, ତାଙ୍କ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବି ବିପଦ ଥିବା ସେ କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଡିଆଇଜିଙ୍କୁ ଭେଟି ଫାରୁକ୍ ଅନୁରୋଧ କରିଛନ୍ତି।

ଏ ସଂକ୍ରାନ୍ତରେ ଏସ୍‌ପି ବି. ଗଙ୍ଗାଧରଙ୍କୁ ପଚାରିବାରୁ ଫାରୁକଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଫାରୁକଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ କରିଛନ୍ତି। ସଂପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର