ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ମହିଳା ଅଧିକାରୀଙ୍କ ସାଂଘାତିକ ଅଭିଯୋଗ

ସମ୍ବଲପୁର: ନିକଟରେ ସମ୍ବଲପୁରରୁ ବଦଳି ହୋଇଯାଇଥିବା ଜିଲ୍ଲାପାଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଅଧିକାରୀ। ଏହି ମହିଳା ଅଧକାରୀ ଜଣକ ସିଧାସଳଖ ପ୍ରଧାନମନ୍ତ୍ରୀ ଦପ୍ତର(ପିଏମ୍‌ଓ) ସହିତ କେତେକ ମନ୍ତ୍ରୀଙ୍କୁ ଟ୍ବିଟ୍ କରି ନ୍ୟାୟ ମାଗିଛନ୍ତି। ମହିଳା ଅଧିକାରୀ ଜଣକ ଏଥିରେ  ଇଂରାଜୀ ଭାଷାରେ ଲେଖିଛନ୍ତି, କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ବନ୍ଦ କରନ୍ତୁ। ପ୍ରତ୍ୟେକ କର୍ମଜୀବୀଙ୍କୁ ସମ୍ମାନ ଦିଆଯିବା ଉଚିତ। ଏହି ବ୍ୟକ୍ତିଙ୍କର ଅହଙ୍କାର ସବୁଠାରୁ ଶୀର୍ଷରେ ରହିଛି।

ସମ୍ବଲପୁରର ଏହି ଅପାରଗ ଡିଏମ୍’ଙ୍କ ବଦଳି ପରେ ଲୋକେ ଦୀପାବଳୀ ମନାଇ ‌ଲୋକେ ତାଙ୍କୁ ଉଚିତ ବ୍ୟବହାର ଦେଇଛନ୍ତି ବୋଲି ମହିଳା ଅଧିକାରୀ ଜଣକ ପିଏମ୍‌ଓ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ଦପ୍ତରର ପ୍ରଭାରୀ ତଥା ପସର୍ନଲ ଓ ପବ୍ଲିକ ଗ୍ରିଭାନସ୍‌ ଦାୟିତ୍ବରେ ଥିବା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏବଂ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର (ସମ୍ବିତ ସ୍ବରାଜ)ଙ୍କୁ ଟ୍ବିଟ୍ କରିଛନ୍ତି। ତାଙ୍କର ଦ୍ବିତୀୟ ଟ୍ବିଟ୍‌ରେ ଏହି ମହିଳା ଅଧିକାରୀ ଜଣକ ଲେଖିଛନ୍ତି, ସାଧାରଣ ଜନତା ଯାହାକୁ ନ୍ୟାୟ ମାଗ‌ିବେ, ଲୋକଙ୍କ ଅଭିଭାବକ ଭାବେ ଆପଣ ଯେଉଁ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି, ସେ ଯଦି ଦୁର୍ନୀତି, ଅନୈତିକ କାର୍ଯ୍ୟ(ଅନ୍‌ଏଥିକାଲ)ରେ ସଂପୃକ୍ତ ରହିବେ, ସେ ଅନ୍ୟକୁ ଅନ୍ୟାୟପୂର୍ଣ୍ଣ ଭାବେ ପ୍ରଭାବିତ କରି ସହଜରେ ସବୁ ସ୍ଥିତିକୁ ନିଜ ସପକ୍ଷରେ ଆଣିପାରିବେ।

ଦୟାକରି ଏଭଳି ଅଫିସରଙ୍କୁ କ୍ୟାଡରରୁ ବାହାର କରି ଏକ ଦୃଢ଼ ବାର୍ତ୍ତା ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ପିଏମ୍‌ଓ, ଧର୍ମେନ୍ଦ୍ର ପ୍ରଧାନ ଓ ଡ. ଜିତେନ୍ଦ୍ର ସିଂହଙ୍କୁ ଗତକାଲି କରିଥିବା ତାଙ୍କର ଦ୍ବିତୀୟ ଟ୍ବିଟ୍‌ରେ ସେ ଏଭଳି ନିବେଦନ କରିଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଦେଶରେ ଥିବା ଏହି ମହିଳା ଅଧିକାରୀ ଜଣକ ସମ୍ଭବତଃ ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ନମିଳିବା ପରେ କେନ୍ଦ୍ର ସରକାରଙ୍କ ଏବେ ଦ୍ବାରସ୍ଥ ହୋଇଛନ୍ତି। ସେ ତାଙ୍କର ଏହି ଟ୍ବିଟରେ ପୂର୍ବତନ ଜିଲ୍ଲାପାଳଙ୍କ ବଦଳି ପରେ ପ୍ରକାଶିତ ଏକ ଖବରକାଗଜ କ୍ଲିପ ମଧ୍ୟ ସଂଯୁକ୍ତ କରିଛନ୍ତି। ମହିଳା ଅଧିକାରୀ ଜଣକ ସଂପୃକ୍ତ ଅଧିକାରୀଙ୍କ ସମୟରେ କାର୍ଯ୍ୟାଳୟରେ ନିର୍ଯାତନା ଦିଆଯାଉଥିବା ନେଇ ଖୋଲାଖୋଲି ଉଲ୍ଲେଖ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଅଧିକାରୀ ବଦଳି ଆଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇ ତୁରନ୍ତ ନୂଆ ବଦଳି ହୋଇଥିବା ଜାଗାରେ ଯୋଗ‌ ଦେବାକୁ ଉଲ୍ଲେଖ ରହିଥିଲା। ସାଧାରଣତଃ ନୂଆ ଜିଲ୍ଲାପାଳ ଆସିବା ପରେ ଅନ୍ୟ ଜଣେ ଜିଲ୍ଲାପାଳ ବଦଳି ହୋଇଯାଇଥାନ୍ତି, କିନ୍ତୁ ଏଭଳି ତରବରିଆ ବଦଳିକୁ କିଛି ରହସ୍ୟ ରହିଥିବା ସେତେବେଳେ ଆଲୋଚନା ଚାଲିଥିଲା।

ସମ୍ବନ୍ଧିତ ଖବର