ଚାନ୍ଦା ନଦେବାରୁ ପ୍ରାଣାନ୍ତକ ଆକ୍ରମଣ, ୩ ଗୁରୁତର

ଦଶରଥପୁର  : ମଙ୍ଗଳପୁର ଥାନା ଜୟନ୍ତରା ପଞ୍ଚାୟତ ଚାନ୍ଦକୁଡ଼ା-ବଣସାହି ରାସ୍ତା ନିର୍ମାଣରେ ଚାନ୍ଦା ନମିଳିବାରୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦଶରଥପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମମତା ସାହୁଙ୍କ ସ୍ୱାମୀ ଜୁନିଦାପାଟଣା ଗ୍ରାମର ଦିଲୀପ ସାହୁ (୪୮), କାହ୍ନୁଚରଣ ନାୟକ (୪୬) ଓ କହ୍ନେଇ ନାୟକ(୪୨) ଏଥିରେ ଗୁରୁତର ହୋଇଛନ୍ତି। ଧାରୁଆ କତା ଓ ଦାଆରେ ସେମାନଙ୍କୁ ଆକ୍ରମଣ କରାଯାଇଛି। ଏକ ଆମ୍ବୁଲାନ୍ସରେ ସେମାନଙ୍କୁ ମଂଗଳପୁର ଡାକ୍ତରଖାନାକୁ ପଠାଯାଇଥିଲା।

ଚାନ୍ଦକୁଡ଼ା-ବଣସାହି ଗ୍ରାମକୁ ରାସ୍ତା ନଥିଲା। ୩ ବର୍ଷ ହେବ ରାସ୍ତା ପାଇଁ ଜମି ଚିହ୍ନଟ ପରେ ସ୍ୱତନ୍ତ୍ର ପାଣ୍ଠିରୁ (ନଗଡା ପାଣ୍ଠି) ଅର୍ଥ ମଞ୍ଜୁର କରାଯାଇଥିଲା। ଏହି କାର୍ଯ୍ୟକୁ ଜୁନିଦା ଗ୍ରାମର ଦିଲୀପ ସାହୁ ବୁଝାସୁଝା କରୁଥିଲେ। ଏହାକୁ ବିରୋଧ କରି ଚାନ୍ଦକୁଡ଼ାର କିଛି ଲୋକ କାର୍ଯ୍ୟବନ୍ଦ କରିଥିଲେ। ସେମାନେ ୫ ଲକ୍ଷ ଟଙ୍କା ଚାନ୍ଦା ଦେବାକୁ ଦାବି କରିଥିଲେ। ଏନେଇ ଗତ ଫେବ୍ରୁଆରି ୧୭ରେ ଦିଲୀପ ମଂଗଳପୁର ଥାନାରେ ଏତଲା ଦେଇଥିଲେ। ଆଜି ସନ୍ଧ୍ୟାରେ ଦିଲୀପଙ୍କୁ ହଠାତ ଚାନ୍ଦକୁଡ଼ା ଗ୍ରାମର ଅନିଲ ଜେନା, ହେମନ୍ତ ଜେନା, ବାବୁଲା ଜେନା, ବସନ୍ତ ଜେନା, ଜାଡୁ ଜେନା ମିଳିତ ଭାବେ ଆକ୍ରମଣ କରିଥିଲେ। ନିକଟରେ ଥିବା କାହ୍ନୁ ଓ କହ୍ନେଇ ଧାଇଁଆସି ଦିଲୀପଙ୍କୁ ଉଦ୍ଧାର କରିବା ଚେଷ୍ଟା କରି ଆକ୍ରମଣର ଶିକାର ହୋଇଥିଲେ। ଏନେଇ ଆଜି ଦିଲୀପ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ପାଲଟା ଅଭିଯୋଗ ମଧ୍ୟ ହୋଇଛି। ଏ ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରଛି।

ସମ୍ବନ୍ଧିତ ଖବର