ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳର କହ୍ନେଇପୁରଠାରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏନେଇ ପୀଡ଼ିତ ଯୁବକଙ୍କ ବଡ଼ଭାଇ ଯାଜପୁରରୋଡ୍‌ ଜେଏମ୍ଏଫସି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।

କହ୍ନେଇପୁରଠାରେ ଥିବା ନିଶା ନିବାରଣ କେନ୍ଦ୍ରର ମାଲିକ ଉପେନ୍ଦ୍ର କୁମାର ସାହୁ ଓରଫ କାଠିଆ କୁଆଖିଆ ଥାନା ବ୍ରହ୍ମପୁର ଗ୍ରାମର ଅସିତ ପାଲଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ହାତଗୋଡ଼ ବାନ୍ଧି ଏକ ବନ୍ଦ କୋଠରି ଭିତରେ ପକାଇ ଦେଇଥିଲେ। ଅସିତଙ୍କୁ ତାଙ୍କ ପରିବାର ଲୋକେ ନିଶା ଛଡ଼ାଇବାକୁ ଗତ ମେ ମାସ ୨୦ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଉପଯୁକ୍ତ ଚିକିତ୍ସା ଓ ତାଲିମ ନଦେଇ ରହୁଥିବା ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ ଅସିତଙ୍କ ବଡ଼ଭାଇ ଅଜିତାବ୍ ଖବର ପାଇଥିଲେ। ସେ ନିଶା ନିବାରଣ କେନ୍ଦ୍ରରେ ପହଞ୍ଚି ସାନଭାଇ ଅସିତଙ୍କୁ ଦେଖା କରିବାକୁ ଚାହିଁଥିଲେ। କେନ୍ଦ୍ରର ମାଲିକ ଉପେନ୍ଦ୍ର ଦେଖା କରାଯାଇ ପାରିବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ। ତେଣୁ ବାଧ୍ୟହୋଇ ଅଜିତାବ୍ ଫେରି ଯାଇଥିଲେ। ଏହାପରେ ପରିବାର ଲୋକ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଅଜିତାବ୍ ଦ୍ଵିତୀୟବାର ଆସି ସିଧାସଳଖ ନହେଲେ ସିସିଟିଭି ମାଧ୍ୟମରେ ଦେଖା କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ରର ଜନୈକ କର୍ମଚାରୀ ସିସିଟିଭିରେ ଦେଖାଇବାବେଳେ ଅସିତ୍ ଦେହରେ ବହୁ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ସାନଭାଇ ଠିକ୍ ଭାବେ ଚାଲି ପାରୁନଥିବା ଦେଖି ସେ ଭେଟିବାକୁ ଜିଦ୍ ଧରିଥିଲେ। ପରେ କର୍ମଚାରୀଜଣଙ୍କ ଅସିତଙ୍କୁ ବାହାରକୁ ଆଣିବାରୁ ସେ ବଡ଼ଭାଇଙ୍କ ଆଗରେ ନିର୍ଯାତନାର କାହାଣୀ ବଖାଣିଥିଲେ।

ପ୍ରକାଶ ଯେ ଅସିତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେବାବେଳେ ତାଙ୍କ ଖାଦ୍ୟପେୟ ଓ ଔଷଧ ବାବଦକୁ ୮ ହଜାର ଟଙ୍କା ସଂସ୍ଥାର ମାଲିକ ଉପେନ୍ଦ୍ର ନେଇଥିଲେ। କିନ୍ତୁ ତାଙ୍କୁ ଔଷଧ ଦେବା ଦୂରର କଥା, ଠିକ୍ ଭାବେ ଖାଇବାକୁ ଦିଆଯାଉ ନଥିଲା। ଏହାର ପ୍ରତିବାଦ କରିବାରୁ ଉପେନ୍ଦ୍ର ତାଙ୍କ ହାତଗୋଡ଼ ବାନ୍ଧି ଦୁଇଦିନ ଧରି ଭୋକଉପାସରେ ପକାଇ ଦେଇଥିଲେ। ନିସ୍ତୁକ ମାଡ଼ମାରି ଖଣ୍ଡିଆଖାବରା କରିବାକୁ ବି ପଛାଇ ନଥିଲେ। ଅସିତ୍ ଏକଥା ବାହାରେ କହିଦେବ ବୋଲି କହିବାରୁ ତାଙ୍କ ସମ୍ବେଦନଶୀଳ ଜାଗାକୁ ଏକ ପାଇପ୍‌ରେ ପିଟି ମାରିଦେବାକୁ ଉପେନ୍ଦ୍ର ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଅଜିତାବ୍ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ସେଠାକୁ ଡାକି ନେଇଥିଲେ। ଶେଷରେ ଉପେନ୍ଦ୍ର ବାଧ୍ୟହୋଇ ଅସିତଙ୍କୁ ଛାଡ଼ିଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଗାଡ଼ି ଚଢ଼ାଇ ମାରିଦେବେ ବୋଲି ଅଭିଯୁକ୍ତ ଉପେନ୍ଦ୍ର ଧମକ ଦେଇଥିଲେ। ତେଣୁ ଅସିତଙ୍କ ବଡ଼ଭାଇ ଅଜିତାବ୍ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର