ବାମରା : ଆର୍‌ଟିଆଇରେ ତଥ୍ୟ ମଗାକୁ କେନ୍ଦ୍ର କରି ବାମରା ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ୨ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଗୋଷ୍ଠୀର ୬ ଯୁବକ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ବୁର୍ଲା ଓ ଅନ୍ୟ ଜଣଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଘଟଣା ଅନୁସାରେ, ବାମରା ଡିଏଫଓ କଲୋନି (ହାତୀପଡ଼ା)ର ଜିତେନ୍ଦ୍ର ଦାଶ ଓରଫ ଜିତୁ(୩୯) ଓ ଷ୍ଟେସନ୍‌ବସ୍ତିର ଅସୀମ ନାୟକ(୩୨) ପ୍ରତିଦିନ ଭଳି ସନ୍ଧ୍ୟାରେ ଭ୍ରମଣରେ ବାମରା-ସାଧପଡ଼ା ରାସ୍ତା ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ପୁଲିଆରେ ବସିଥିଲେ। ଏହି ସମୟରେ ସେଠାକୁ ବାମରାର ପ୍ରାୟ ୬/୭ ଜଣ ବ୍ୟକ୍ତି ଆସି ପାଟିତୁଣ୍ଡ ଓ ଗଣ୍ଡଗୋଳ କରିଥିଲେ। ଏଥିରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଏଭଳି ପରିସ୍ଥିତି ହୋଇଥିଲା ଯେ ଜିତୁ ଓ ଅସୀମଙ୍କୁ ଲୁହା ରଡ୍‌ରେ ଅତର୍କିତ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ସଂଘ ବଦ୍ଧ ଭାବରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏଥିରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିଥବା ବେଳେ, ସେମାନଙ୍କୁ ୧୦୮ ଯୋଗେ ବାମରା ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ୨ଟି ଅଲଗା ଅଲଗା ୧୦୮ ଆମ୍ବୁଲାନ୍‌ସରେ ବୁର୍ଲା ଓ ସୁନ୍ଦରଗଡ଼ ସଦର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି। ଘଟଣା ପରେ ବାମରାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗୋବିନ୍ଦପୁର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଜାରି ରଖିଛନ୍ତି ।

ଖବରପାଇ କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋବିନ୍ଦପୁର ଥାନାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଗୁରୁତର ଆହତ ହୋଇଥିବା ଅସୀମ ନାୟକ ଥାନା ଅଧିକାରୀ ପ୍ରତାପ ରଣାଙ୍କ ସମ୍ମୁଖରେ ଉକ୍ତ ଘଟଣାରେ ସମ୍ପୃକ୍ତ ବିଜୟ କୁମାର ନାଏକ ଓରଫ ବାବୁଲୁ, ମୋଲୁ ସାହୁ, ସରୋଜ କଉଡ଼ି, ବୁଟୁ ମହାରଣା, ଶ୍ରୀକାନ୍ତ ମହାପାତ୍ର ଓରଫ ଏଣ୍ଡକୋ ଏବଂ ବିପିନ ସାହୁକୁ ମିଶାଇ ମୋଟ ୬ ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ବାମରା ପଂଚାୟତ ସମିତି ପକ୍ଷରୁ ଉକ୍ତ ଗୋଷ୍ଠୀକୁ ଏକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ କରାଯାଇଥିଲା। ସେଥିରେ ଦୁର୍ନୀତିର ହୋଇଥିବା ଆଶଙ୍କା କରି ଜିତୁ ଓ ଅସୀମ ବ୍ଲକ ଅଫିସରେ ଆର୍‌ଟିଆଇରେ ତଥ୍ୟ ମାଗିଥିବା ସୂଚନା ରହିଛି। ଘଟଣାଟି ବାମରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।।