ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ମହିଳା କଲେଜର ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧ଟାରେ ଛାତ୍ରୀ ଜଣକ କଲେଜରୁ ତାଙ୍କ ଗାଁ ସାନଭାଲୁପାଲିକୁ ଫେରୁଥିଲେ। ବାଟରେ ଏକୁଟିଆ ପାଇ ଜଣେ ଯୁବକ ପ୍ରଥମେ ଅଶ୍ଳୀଳ ବ୍ୟବହାର କରିବା ସହ ଟଣାଓଟରା କରିଥିଲା। ଛାତ୍ରୀ ବିରୋଧ କରିବାରୁ ଯୁବକ ଜଣକ ଧାନକଟା ଦା’ରେ ଛାତ୍ରୀଙ୍କ ବେକକୁ ହାଣିବାକୁ ଉଦ୍ୟମ କରିଥିଲା। ଛାତ୍ରୀ ନିଜର ହାତରେ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ଆଙ୍ଗୁଠି କଟିଯିବା ସହ ବେକରେ ଗଭୀର ଆଘାତ ଲାଗିଛି। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରୁ କୌଣସି ମତେ ଦୌଡି ଟାଙ୍ଗରକର୍ଲେ ସ୍ଥିତ କେନାଲ ନିକଟକୁ ଆସିଥିଲେ।ସେଠାରେ ଉପସ୍ଥିତ ଲୋକେ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ରାମପୁର ପ୍ରାଥମିକ ସ୍ବସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଭିଯୁକ୍ତ ଯୁବକଙ୍କ ପରିଚୟ ଜାଣିନଥିଲେ ବି ଦେଖିଲେ ଚିହ୍ନିପାରିବେ ବୋଲି ଆହତ ଛାତ୍ରୀ କହିଛନ୍ତି।

ଛାତ୍ରୀଙ୍କ ମାମୁଁଙ୍କ ଏତଲା ଆଧାରରେ ରାମପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ, ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିନାହିଁ। ଛାତ୍ରୀ ଜଣକ ସୁସ୍ଥ ହୋଇ ଫେରିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ରାମପୁର ଥାନା ଅଧିକାରୀ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି।