ଅତାବିରା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅତାବିରା ଥାନା ଗୋଡ଼ଭଗା ବେଲମୁଡ଼ାଟିକ୍ରାର ଦଳିତ ମହିଳା ବଲମତି କଲତା ଓ ତାଙ୍କ ପରିବାର ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ଅତାବିରା ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବେଲମୁଡ଼ାଟିକ୍ରାର ଘନଶ୍ୟାମ ମହାପାତ୍ର(୩୯), ପିକୁଲ ମହାପାତ୍ର(୨୫), କପିଲ ମହାପାତ୍ର(୧୯), ଦୁେର୍ଯ୍ୟାଧନ ରଣା(୧୯)।
ଅଭିଯୋଗ ଅନୁଯାୟୀ, ଗୁରୁବାର ବିଳମ୍ବିତ ସଂଧ୍ୟା ସମୟରେ ସୁରେଶ କଲତାଙ୍କ ପତ୍ନୀ ବଲମତି ତାଙ୍କ ପରିବାର ସହ ଟିଭି ଦେଖୁଥିଲେ। ଏହି ସମୟରେ କେହି ତାଙ୍କ କବାଟକୁ ଅନେକଥର ପଥର ମାରିଥିଲେ। କବାଟ ଖୋଲି ବାହାରକୁ ଆସିବାରୁ ତାଙ୍କ ପଡୋଶୀ ଘନଶ୍ୟାମ, ପିକୁଲ, କପିଲ, ଦୁେର୍ଯ୍ୟାଧନ ଜବରଦସ୍ତି ଘର ଭିତରକୁ ପସି ଜାତି ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ତାଙ୍କ ପୁଅ ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ବାଡ଼ିରେ ପିଟିଥିଲେ। ପୁଅକୁ ବଂଚାଇବାକୁ ବଲମତି ଯିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିବା ସହ ତାଙ୍କ ଶାଢ଼ୀ ଟଣାଓଟରା କରିଥିଲେ। ଫଳରେ ବଲମତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅଭିଯୁକ୍ତ ଘନଶ୍ୟାମ ବଲମତି ନାତୁଣୀଙ୍କ ବାଳ ଟାଣି ଘୋଷାଡ଼ି ଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଏସ୍ଡିପିଓ ଅମ୍ରିତ ପଣ୍ଡା ଘଟଣାସ୍ଥଳ ଯାଇ ତଦନ୍ତ କରିଥିଲେ। ଶୁକ୍ରବାର ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/8-19.jpg)