ସମ୍ବଲପୁର: ସମ୍ବଲପୁରରେ ଅପରାଧୀଙ୍କ ପ୍ରାଦୁର୍ଭାବ ଏତେ ପରିମାଣରେ ବଢ଼ିଗଲାଣି ଯେ ଏବେ ପୁଲିସକୁ ବି ସୁରକ୍ଷା ଆବଶ୍ୟକ ପଡ଼ିଲାଣି। ରେଙ୍ଗାଲିରେ ଘଟିଥିବା ଏକ ଘଟଣା ଅପରାଧୀଙ୍କ ଦୌରାତ୍ମ୍ୟକୁ ପ୍ରକାଶ କରିବା ସହ ପୁଲିସର ଭୟ ନଥିବା ଦର୍ଶାଇଛି। ରେଙ୍ଗାଲି ଅଞ୍ଚଳରେ ମନୋରଞ୍ଜନ ସାହୁ ଓ ତାଙ୍କ ପୁଅ ଅଙ୍କିତ ସାହୁ ମିଶି ଶୁକ୍ରବାର ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ରେଙ୍ଗାଲି ପୁଲିସ ବାପ ପୁଅଙ୍କୁ ଗିରଫ କରିଛି।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ରାତି ୮ଟା ସମୟରେ କାର୍ଯ୍ୟରତ ପୁଲିସ କର୍ମଚାରୀ ବଂଶୀ ସବରଙ୍କୁ ବାପ ପୁଅ ମିଶି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ହୋଟେଲ୍‌ କ୍ୟାମେରାରେ ମଧ୍ୟ ଏହି ଆକ୍ରମଣର ଛବି କଏଦ ହୋଇଥିବା ପୁଲିସ କହିଛି। ଏ ନେଇ ସୂଚନା ପାଇବା ପରେ ପୁଲିସ ଗୁରୁତର ଅବସ୍ଥାରେ ବଂଶୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଅଭିଯୁକ୍ତ ବାପପୁଅ ମନୋଜ ଓ ଅଙ୍କିତକୁ ଗିରଫ କରିଥିଲା। ଶନିବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ପୁଲିସ ପକ୍ଷରୁ କହାଯାଇଛି। ଅନ୍ୟପଟେ ଉଭୟଙ୍କ ନାଁରେ ପୂର୍ବରୁ ରେଙ୍ଗାଲି ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ୩ଟି ମାମଲାରେ ଉଭୟେ ଜେଲ୍‌ ମଧ୍ୟ ଯାଇସାରିଛନ୍ତି।

୫ ଶହ ଦିଅ, ରୁମ୍‌ରେ ମଦ ପିଅ

୫ ଶହ ଟଙ୍କା ଦିଅ ଆଉ ରୁମ୍‌ରେ ବେଫିକର୍‌ ମଦ ପିଅ। ବାପାପୁଅ ଏଭଳି ସେବା ଯୋଗାଇ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମନୋରଞ୍ଜନ ତାଙ୍କ ଘର ମଦ ଦୋକାନକୁ ଭଡ଼ା ଦେଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୋଟେଲ୍‌ରେ ଚାଖଣା ପାଇଁ ସୁବନ୍ଦୋବସ୍ତ କରାଯାଇଥାଏ। ପାଖରେ ଥିବା ମଦ କାଉଣ୍ଟରରୁ ମଦ କିଣ, ମନୋଜଙ୍କ ହୋଟେଲ୍‌ରେ ୫ ଶହ ଟଙ୍କା ଦିଅ ଆଉ, ବେଫିକର୍‌ ମଦ ପିଅ। ଏହି ସୁବିଧା ପାଇଁ ମଦୁଆ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା। କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ବାପ ପୁଅ ମଦ କାରବାର ମଧ୍ୟ କରନ୍ତି। ସରକାରୀ ଛୁଦି ଦିନ ଯେମିତିକି ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଗାନ୍ଧୀ ଜୟନ୍ତୀ ଆଦିରେ ମଦ କାଉଣ୍ଟର ବନ୍ଦ ରହିଥାଏ। ଏହି ସମୟରେ ଚୋରାରେ ଉଭୟ ମଦ ଓ ଚାଖଣା କାରବାର ସେମାନେ କରୁଥିବା ଚର୍ଚ୍ଚା ହେଉଛି। ଲକ୍‌ଡାଉନ୍‌ରେ ବି ପ୍ରେସ୍‌ ବୋଲି କହି ମଦ ଦୋକାନ ବନ୍ଦ ଥିବା ବେଳେ ସେମାନେ କାରବାର କରୁଥିବା କହାଯାଉଛି।

ଯାଞ୍ଚ ବେଳେ ପୁଲିସ କର୍ମଚାରୀଙ୍କୁ ମାଡ଼!

ହୋଟେଲ୍‌ରେ ଅସାମାଜିକ କାର୍ଯ୍ୟ ସାଙ୍ଗକୁ ବେଆଇନ କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ପୁଲିସ କର୍ମଚାରୀ ଜଣକ ଯାଞ୍ଚ ପାଇଁ ସେଠାକୁ ଯାଇଥିବା କହାଯାଉଛି। ତେବେ ଯାଞ୍ଚ ସମୟରେ ବାପପୁଅ ମିଶି ତାଙ୍କୁ ମାଡ଼ ମାରିଥିବା ଲୋକେ କହୁଛନ୍ତି। ତେବେ ପୁଲିସ ପକ୍ଷରୁ ଏ ନେଇ କିଛି କହାଯାଇ ନାହି।