ସମ୍ବଲପୁର: ଧମା ଥାନା ଗୁଲୁଣ୍ଡାର ଅମିତ ବର୍ମା ଶୁକ୍ରବାର ଅପରାହ୍ଣ ୪ଟା ସମୟରେ ମାନେଶ୍ବର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ଦୋକାନରେ ବସିଥିଲେ। ଜଣେ ବ୍ୟକ୍ତି ତାଙ୍କ ପାଖକୁ ଏକ କଇଁଚି ଧରି ଆସିଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲା। କଇଁଚି ଆକ୍ରମଣରେ ତାଙ୍କ ମୁହଁରେ ଆଘାତ ଲାଗିଥିଲା।
କିଛି ଲୋକ ତାଙ୍କୁ ବଞ୍ଚାଇବାକୁ ଆସିବାରୁ ଦୁର୍ବୃତ୍ତ ଜଣକ ସେମାନଙ୍କୁ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇ ଆକ୍ରମଣ କରିଥିଲା। ସେମାନେ ପାଟି କରିବାରୁ ଦୁର୍ବୃତ୍ତ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମାନେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ଅମିତ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।