ରାଉରକେଲା: ଭଡ଼ାଟିଆଙ୍କୁ ଘର ମାଲିକଙ୍କ ମରଣାନ୍ତକ ଆକ୍ରମଣ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏସିଜେଏମ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତ ଦମ୍ପତିଙ୍କୁ ୪ ବର୍ଷ ଜେଲ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ନିର୍ଦ୍ଦେଶ ଦେଇଛନ୍ତି। ୬ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ବିଚାରପତି ଶ୍ରୀ ଜେନା ଏହି ରାୟ ଶୁଣାଛନ୍ତି।

Advertisment

ଅଭିଯୁକ୍ତ ଦମ୍ପତି ହେଲେ ଛେଣ୍ଡକଲୋନି ଇସିଆର୍‌ ବ୍ଲକର ହରେକୃଷ୍ଣ ସାହୁ ଓ ମିନତୀ ସାହୁ। ଛେଣ୍ଡକଲୋନି ଇସିଆର୍‌ ବ୍ଲକରେ ରହନ୍ତି ହରେକୃଷ୍ଣ ସାହୁ ଓ ତାଙ୍କ ପତ୍ନୀ ମିନତୀ। ଦୁହେଁ ପ୍ରକାଶ କୁମାର ବାରିକଙ୍କୁ ତାଙ୍କ ଘର ଭଡାସୂତ୍ରରେ ଦେଇଥିଲେ। ଗତ ୨୦୧୯ ଜାନୁଆରି ୧୫ରେ ଘରଭଡାକୁ କେନ୍ଦ୍ରକରି ପ୍ରକାଶ ଓ ଘର ମାଲିକ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ରାତି ପ୍ରାୟ ୧୦ଟାରେ ହରେକୃଷ୍ଣ ପ୍ରକାଶକୁ ଗ୍ୟାରେଜ ଭିତରୁ ବାଇକ୍‌ ବାହାର କରିଦେବାକୁ କହିଥିଲେ। ଗ୍ୟାରେଜରୁ ବାଇକ୍‌ ବାହାର କରୁଥିବାବେଳେ ହରେକୃଷ୍ଣ ଓ ତାଙ୍କ ପତ୍ନୀ ଏକ କାଠ ଫାଳିଆରେ ପ୍ରକାଶକୁ ମରଣାନ୍ତକ ଆକ୍ରମଣ କରିଥିଲେ। ପ୍ରକାଶ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ହରେକୃଷ୍ଣ ଓ ତାଙ୍କ ପତ୍ନୀ ପ୍ରକାଶ ଘରେ ପଶି ନଗଦ ୨୦ ହଜାର ଟଙ୍କା, ସୁନା ଚେନ ଓ ମୁଦି ନେଇଯାଇଥିଲେ।

ପରେ ପ୍ରକାଶଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଆର୍‌ଜିଏଚ୍‌ରୁ ଆଇଜିଏଚ୍‌ ଓ ପରେ ଭୁବନେଶ୍ବର ଆପଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ସୁରେଶ ହସ୍ପିଟାଲରେ ପହଞ୍ଚିଥିଲେ। ଭାଇ ପ୍ରକାଶଠୁ ସମସ୍ତ କଥା ଜାଣିବା ପରେ ଗତ ୨୦୧୯ ଜାନୁଆରି ୧୯ରେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ପୁଲିସ ଦମ୍ପତିକୁ ଗିରଫ କୋର୍ଟ ଚାଲାଣ କରିଥିଲା। ସହକାରୀ ପିପି ନିରଞ୍ଜନ ମହାନ୍ତ ମାମଲା ପରିଚାଳନା କରୁଥିଲେ।