ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରାଣାନ୍ତକ ଆକ୍ରମଣ ଘଟଣା: ପାଲଟା ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ସମ୍ବଲପୁର : ଶାସନ ଥାନା ଅଧୀନ ଟାମ୍ପରକେଲା ଅଞ୍ଚଳରେ ଶୁକ୍ରବାର ସକାଳେ ମରଣାନ୍ତକ ଆକ୍ରମଣ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଦ୍ଧବ ରୋହିଦାସ ନାମକ ବ୍ୟକ୍ତି ନେପାଳ ଭୋଇଙ୍କୁ ଶୁକ୍ରବାର ସକାଳେ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏ ନେଇ ନେପାଳଙ୍କ ଭାଇ ଯୁଗଳ କିଶୋର ଭୋଇ ଶାସନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି। ଅନ୍ୟପଟେ ଶନିବାର ଅଭିଯୁକ୍ତ ଉଦ୍ଧବଙ୍କ ସ୍ତ୍ରୀ ଏକ ପାଲଟା ଅଭିଯୋଗ ଥାନାରେ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ କିଛି ଲୋକ ତାଙ୍କ ଘରକୁ ଆସି ପାୱାର ଟିଲର, ବାଇକ, ଟିଭି, ଘର ଆଜବେଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ନେପାଳ ଭୋଇ ଶୁକ୍ରବାର ସକାଳେ କାମକୁ ବାହାରିଥିଲେ। ସକାଳ ୮ଟା ସମୟରେ ତାଙ୍କୁ ଏକା ପାଇ ଉକ୍ତ ଗ୍ରାମର ଉଦ୍ଧବ ଏକ ଟାଙ୍ଗିଆ ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଉଦ୍ଧବ କିଛି ବାଟ ପରେ ନେପାଳଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ନେପାଳ ଚିତ୍କାର କରିବାରୁ ଉଦ୍ଧବ ସେଠାରୁ ଚାଲି ଯାଇଥିଲା। ତାକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ଏକ ଜମିରୁ ଏହି ବିବାଦ ଆମ୍ଭ ହୋଇଥିବା ଜଣାପଡ଼ିଛି।

ନେପାଳ ଏକ ଜମି କିଣିବା ପାଇଁ ଜମି ମାଲିକଙ୍କ ସହ କଥା ହୋଇଥିଲେ। ଜମି ମାଲିକ ନ ହୋଇଥିଲେ ମଧ୍ୟ ଉଦ୍ଧବ ସେହି ଜମିରେ ଚାଷ କରୁଥିବା ଅଭିଯୋଗ ହୋଇଛି। ସେହି ଜମି କିଣାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ସେହି ରାଗରେ ଉଦ୍ଧବ ପ୍ରାଣାନ୍ତକ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତେବେ ଉଦ୍ଧବ ଫେରାର୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର