ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍‌ପିଟାଲରେ ୪ଦିନ ପୂର୍ବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି। ଅଥଚ ପରିବାରବର୍ଗଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଛି। ପରେ ହସ୍‌ପିଟାଲରୁ ରୋଗୀଙ୍କ ପରିବାରବର୍ଗଙ୍କୁ ଖବର ଯାଉଛି, ୨୪ତାରିଖରୁ ରୋଗୀଙ୍କ ମୃତ୍ୟୁ ଘଟି ସାରିଲାଣି। ହସ୍‌ପିଟାଲକୁ ଆସି ଶବ ଚିହ୍ନଟ କରନ୍ତୁ। ଏଭଳି ଫୋନ୍‌ ପାଇବା ପରେ ମୃତ ରୋଗୀ ବସନ୍ତ କୁମାର ସାହୁ(୪୮)ଙ୍କ ପରିବାରବର୍ଗ ସ୍ତବ୍ଧ। ଏହି ଘଟଣା ପଦାକୁ ଆସିବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବଡ଼ବଜାର ଥାନା ଅନ୍ତର୍ଗତ ଗଣପତିନଗର ଦ୍ବିତୀୟ ଲାଇନ୍‌ ନିବାସୀ ବସନ୍ତଙ୍କୁ ଗତ ୧୯ ତାରିଖରେ ଟାଟା କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖ ପର୍ଯ୍ୟନ୍ତ ସେ ପରିବାରବର୍ଗଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। କିନ୍ତୁ ୨୪ ତାରିଖ ପରଠାରୁ ତାଙ୍କର ଫୋନ୍‌ ଲାଗି ନ ଥିଲା। ଫଳରେ ପରିବାର ଲୋକେ ହସ୍‌ପିଟାଲର ହେଲ୍‌ପଲାଇନ୍‌ ନମ୍ବରରେ ଯୋଗାଯୋଗ କରିଥିଲେ। 'ରୋଗୀ ଜଣକ ଗୁରୁତର ଅଛନ୍ତି, ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି, ଅକ୍ସିଜେନ୍‌ ଚାଲିଛି' ବୋଲି ହସ୍‌ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହିଥିଲେ। ୨୭ ତାରିଖ ପର୍ଯ୍ୟନ୍ତ ପରିବାର ଲୋକ ଫୋନ୍‌ କରି ବସନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଥିଲେ। କିନ୍ତୁ ଗତକାଲି ହଠାତ୍‌ ହସ୍‌ପିଟାଲରୁ ଫୋନ୍‌ ଆସିଲା ଯେ ଗତ ୨୪ ତାରିଖରୁ ବସନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ପରିବାରବର୍ଗ ସହଜରେ ଏହାକୁ ଗ୍ରହଣ କରି ପାରି ନଥିଲେ। ତେଣୁ ଗତକାଲି ରାତିରେ ବଡ଼ବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ସମ୍ପର୍କୀୟମାନେ ଏତଲା ଦେଇଛନ୍ତି। ଆଜି ଶୀତଳାପଲ୍ଲୀରେ ବସନ୍ତଙ୍କ ଶବ ଦାହ କରାଯାଇଥିବା ସମ୍ପର୍କୀୟ ଜଗନ୍ନାଥ ସାହୁ କହିଛନ୍ତି।