ଗଁଦିଆ: ସ୍ବାସ୍ଥ୍ୟ ସେବାରେ ଉନ୍ନତି ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି। ସମସ୍ତ ସରକାରୀ ଚିକିତ୍ସାଳୟକୁ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ରେ ସ୍ବାସ୍ଥ୍ୟସେବାରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଶଯ୍ୟା ଦେବା ପରିବର୍ତ୍ତେ ତଳେ ଦରିପାଲ ପକାଇ ଶୁଆଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ବ୍ଲକ୍‌ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ସୂଚନା ଅନୁଯାୟୀ, ଆଜି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିର ଆୟୋଜନ ହୋଇଥିଲା। ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ବିଭିନ୍ନ ଅଞ୍ଚଳରୁ ମହିଳାମାନେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ନିମନ୍ତେ ଆସିଥିଲେ। ଡାକ୍ତର ସେମାନଙ୍କର ଅସ୍ତ୍ରୋପଚାର କରିଥିଲେ। ତେବେ ଅସ୍ତ୍ରୋପଚାର ପରେ ସମ୍ପୃକ୍ତ ମହିଳାଙ୍କୁ ଶଯ୍ୟାରେ ରଖିବା ପରିବର୍ତ୍ତେ ଦରିପାଲ ପକାଇ ତଳେ ଗଡ଼ାଇ ଦିଆଯାଇଥିଲା। ମା’ମାନଙ୍କ ନିକଟରେ ସେମାନଙ୍କ କୁନି ପିଲାମାନେ ମଧ୍ୟ ଶୋଇଥିବା ଦେଖାଯାଇଥିଲା। ସଂକ୍ରମଣର ଆଶଙ୍କା ଥିବା ସତ୍ତ୍ବେ ମହିଳାମାନଙ୍କୁ ତଳେ ଶୁଆଇ ଦିଆଯାଇଥିବାରୁ ସମ୍ପର୍କୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ସମୁଦାୟ ୫୫ଜଣଙ୍କ ଅସ୍ତ୍ରୋପଚାର ହୋଇଥିବା ବେଳେ କିଛି ଘଣ୍ଟା ବିଶ୍ରାମ ପରେ ମହିଳାମାନେ ନିଜ ଘରକୁ ଚାଲିଯାଇଥିବା ଜଣାଯାଇଛି। ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏପରି ଶୋଚନୀୟ ଅବସ୍ଥା ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସ୍ଥିତପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଡାକ୍ତରଖାନାରେ ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ରହିଛି। ତେଣୁ ସମସ୍ତଙ୍କୁ ଶଯ୍ୟା ଯୋଗାଇ ଦେବା ସମ୍ଭବପର ନୁହେଁ। ଅସ୍ତ୍ରୋପଚାର ପରେ କିଛି ଘଣ୍ଟାର ବିଶ୍ରାମ ଉତ୍ତାରୁ ରୋଗୀମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଉଛି।