ପ୍ରସୂତିଙ୍କ ଚିକିତ୍ସାରେ ସାଂଘାତିକ ଅବହେଳା: ଅସ୍ତ୍ରୋପଚାରର ୪ ମାସ ପରେ ବାହାରିଲା ଗଜ୍‌ କପଡା

ଡାକ୍ତରଙ୍କ ବିରୋଧରେ ଏତଲା ଦେଲେ ପ୍ରସୂତିଙ୍କ ସ୍ବାମୀ, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ କାର୍ଯ୍ୟାନୁଷ୍ଠାନ ଦାବି

ରାୟଗଡ଼ା : ପ୍ରସୂତିଙ୍କ ଚିକିତ୍ସାରେ ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଅସ୍ତ୍ରୋପଚାରର ୪ ମାସ ପରେ ପେଟରୁ ବାହାରିଛି ଗଜ କପଡା। ବହୁଦିନ ଧରି ଯନ୍ତ୍ରଣାରେ ଛଟପଟ, ଦ୍ବିତୀୟ ଥର ଅସ୍ତ୍ରୋପଚାର ଏବଂ ଖର୍ଚ୍ଚାନ୍ତ ପାଇଁ ପ୍ରସୂତିଙ୍କ ସ୍ବାମୀ ସଂପୃକ୍ତ ଡାକ୍ତରଙ୍କ ବିରୋଧ ଥାନାରେ ଏତଲା ଦେଇଛନ୍ତି। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ରାୟଗଡ଼ା ଥାନା ପୁଲିସ୍ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ବିରିଗୁଡା କଲୋନିର କାଞ୍ଚନ ହାଲୁଆ ୨୦୨୧ ଅକ୍ଟୋବର ୩ ତାରିଖରେ ପ୍ରସବଜନତି ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ବାମୀ ଚେତନ ହାଲୁଆ ଚିକିତ୍ସା ପାଇଁ କାଞ୍ଚନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିଦିନ ହିଁ ଡା. ଲତିକା ବେହେରା ଅସ୍ତ୍ରୋପଚାର କରିବାପରେ କାଞ୍ଚନ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ପରେ ଷ୍ଟିଚ୍ ସମୟରେ ଡାକ୍ତରଙ୍କ ଅସାବଧାନତା କାରଣରୁ ଗଜ କପଡା କାଞ୍ଚନଙ୍କ ପେଟ ଭିତରେ ରହିଯାଇଥିଲା। ଅକ୍ଟୋବର ୮ ତାରିଖରେ କାଞ୍ଚନ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ଅସ୍ତ୍ରୋପଚାରର ୧୫ ଦିନ ପରେ କାଞ୍ଚନ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ରାୟଗଡ଼ା ଡାକ୍ତରଖାନାକୁ ଆସି ଡାକ୍ତର ପ୍ରଫୁଲ୍ଲ ପାଢ଼ୀଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଗ୍ୟାସ୍ ଯୋଗୁ ପେଟ ଯନ୍ତ୍ରଣା ହେଉଥିବା ସନ୍ଦେହ କରି ଡାକ୍ତର ଶ୍ରୀ ପାଢ଼ୀ ଔଷଧ ଦେଇ କାଞ୍ଚନଙ୍କୁ ଘରକୁ ପଠାଇ ଦେଇଥିଲେ। ୩ ମାସ ଧରି କାଞ୍ଚନ ଔଷଧ ଖାଇଥିଲେ ମଧ୍ୟ ପେଟ ଯନ୍ତ୍ରଣା କମିନଥିଲା। ୨୦୨୨ ଜାନୁଆରି ୩୧ ତାରିଖରେ କାଞ୍ଚନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଗଜ କପଡା ରହିଥିବା ଜଣାପଡିଥିଲା। ପୁଣି ଅସ୍ତ୍ରୋପଚାର କରି ଗଜ କପଡ଼ା ହାର କରିବାକୁ ଡାକ୍ତର ପରାମର୍ଶ ଦେବା ପରେ ସ୍ବାମୀ ଚେତନ ଚିନ୍ତାରେ ପଡ଼ିଲେ।

ସରକାରୀ ଡାକ୍ତରଖାନା ଉପରେ ଭରସା ନ କରି ୨୦୨୨ ଫେବ୍ରୁଆରି ୫ ତାରିଖରେ କାଞ୍ଚନ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ପେଟ ଭିତରେ ଥିବା ଗଜ କପଡା ବାହାରିଥିଲା। ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ କାଞ୍ଚନ ଘରକୁ ଫେରିବା ପରେ ସ୍ବାମୀ ଚେତନ ଡାକ୍ତରଙ୍କ ଅବହେଳାକୁ ନେଇ ରାୟଗଡ଼ା ଥାନାରେ ଏତଲା ଦେଇଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଚେତନ ଏତଲାରେ ଉଲ୍ଲେଖ କରିଛନ୍ତି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଏତଲା ଗ୍ରହଣ କରିଥିବା ବେଳେ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର