ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ କଲବଲ କରୁଛି। ଏପରି ସ୍ଥିତିରେ ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତବର୍ଷ ରାଜ୍ୟରେ ଅଂଶୁଘାତ ଯୋଗୁଁ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି। ଆଉ ୯୭ଟି ମୃତ୍ୟୁର ଯାଞ୍ଚ ଜାରି ରହିଥିବା ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତକାଲି ସୁଦ୍ଧା ରାଜ୍ୟରେ ୧୪୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଥିଲା। ଏଥିରେ ୨୬ଟି ମାମଲା ଅଂଶୁଘାତ ଜନିତ ରହିଥିଲା। ଆଜି ଆଉ ୪ଟି ମୃତ୍ୟୁ ଅଂଶୁଘାତ ଜନିତ ସ୍ପଷ୍ଟ ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ସମୁଦାୟ ଅସ୍ବାଭାବିକ ମୃତ୍ୟୁ ଭିତରୁ ୨୦ଟି ମୃତ୍ୟୁ ମାମଲା
ଅଂଶୁଘାତ ଜନିତ ନୁହେଁ। ଆଉ ୯୭ ଅସ୍ବାଭାବିକ ମୃତ୍ୟୁର ତଦନ୍ତ ଚାଲୁଥିବାରୁ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ସେହିପରି ରାଜ୍ୟରେ ୨୬ଟି ଅଂଶୁଘାତ ମୃତ୍ୟୁ ମଧ୍ୟରୁ କେବଳ ୨୦ଟି ମାମଲା ରାଉରକେଲାରୁ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର। ଡା.ମିଶ୍ର କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ଅଂଶୁଘାତ ମାମଲା ନଜରକୁ ଆସୁଛି। କିଛି ଲୋକ ରିସିଭ୍ ଡେଡ୍(ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ) ଥିବା ବେଳେ ଆଉ କିଛି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ସୂଚନା ମିଳିଛି। ତାତିକୁ ନଜରରେ ରଖି ଜିଲ୍ଲାପାଳ ଓ ସିଡିଏମ୍ଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅଂଶୁଘାତ ମୃତ୍ୟୁର ଯୁଗ୍ମ ତଦନ୍ତ କରାଯାଉଛି। ଖଣି ଅଞ୍ଚଳରୁ ଅଧିକ ଅଂଶୁଘାତ ମାମଲା ଆସୁଛି ବୋଲି ଡା.ମିଶ୍ର ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଗତବର୍ଷ ରାଜ୍ୟରେ ୨୫ଜଣ ଅଂଶୁଘାତରେ ପ୍ରାଣ ହରାଇଥିଲେ ବୋଲି ସରକାରୀ ଭାବେ କୁହାଯାଇଥିଲା।