ବ୍ରଜରାଜନଗର/ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ସଂପନ୍ନ ହୋଇଛି। ସକାଳ ୭ ଟାରେ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମଧ୍ୟରେ ସିଲ ହୋଇ ଯାଇଛି। ଶେଷ ରିପୋର୍ଟ ଲେଖାଯିବା ବେଳକୁ ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ୭୧.୯୦ ପ୍ରତିଶତ ମତଦାନ ହୋଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଣାଇଛନ୍ତି। ଏଥି ସହିତ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ ହୋଇଯାଇଛି। ଆସନ୍ତା ୩ ତାରିଖ ଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
/sambad/media/post_attachments/wp-content/uploads/2022/05/aa723055-aa0b-49b9-a028-28e7cd5a2499-e1654013628519.jpg)
ଆଜି ଭୋଟଦାନ ପାଇଁ ସର୍ବତ୍ର ଉତ୍ସାହ ଦେଖା ଯାଇଥିଲା। ଲୋକେ ସକାଳୁ ସକାଳୁ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ମୋଡେଲ ବୁଥ୍ ଓ ପିଙ୍କ୍ ବୁଥ ଗୁଡ଼ିକ ଭୋଟରଙ୍କୁ ଅଧିକ ଆକୃଷ୍ଟ କରିଥିଲା। ଏହି ବୁଥ ମାନଙ୍କରେ ଭୋଟରଙ୍କ ବସିବା ପାଇଁ ଚୌକି, ଗାଲିଚା, ଗୋଲାପ ସହିତ ସ୍ବାଗତ, ଥଣ୍ଡାପାନୀୟ ବିତରଣ, ମାକ୍ସ ଓ ସାନିଟାଇଜର ପ୍ରଦାନ ପ୍ରଭୃତି ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ଭାବରେ ସହାୟତା ଯୋଗାଇ ଦେଉଥିବା ଦେଖିବାକୁ ମିଳିଥିଲା। ବୁଥ ଗୁଡ଼ିକରେ ଦିବ୍ୟାଙ୍ଗ ଓ ପୌଢ଼ ଭୋଟର ମାନଙ୍କ ପାଇଁ ଏକାଧିକ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କୁ ଘରୁ ଅଣାଯିବା ଓ ନେଇ ଛାଡ଼ି ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
/sambad/media/post_attachments/wp-content/uploads/2022/05/673ef3de-e231-444c-a3b7-d8f02a998809-1024x461.jpg)
ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଭୋଟର ମାନେ ଅସହ୍ୟ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଇଥିଲା। ଅପରାହ୍ନରେ ବ୍ରଜରାଜନଗର, ବେଲପାହାଡ଼ ତଥା ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ସମାନ୍ୟ ବର୍ଷା ଓ ପବନ ହେବାପରେ ପାଗ ଅନୁକୂଳ ହୋଇଥିଲା। ଲଖନପୁର ବ୍ଲକର ୩୩ ଗୋଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ ଗୋଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨, ୧୪,୮୭୮ ଭୋଟରଙ୍କ ପାଇଁ ୨୭୯ ଗୋଟି ବୁଥର ବ୍ୟବସ୍ଥା କରାଯାଇଥିଲା। ଏହି ବୁଥ ମାନଙ୍କ ମଧ୍ୟରେ ୩୦ ଗୋଟି ଆଦର୍ଶ ବୁଥ ଓ ୫ ଗୋଟି ପିଙ୍କବୁଥ୍ କରାଯାଇଥିଲା। ଏହି ନିର୍ବାଚନ ମଣ୍ଡଳୀର ବିଧାୟକ କିଶୋର ମହାନ୍ତିଙ୍କ ଗତ ଡିସେମ୍ବର ୩୦ ତାରିଖ ଦିନ ଆକସ୍ମିକ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ, ବିଜେଡି , ବିଜେପି ଓ ସିପିଆଇ ସହିତ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରେ ଅବତୀର୍ଣ୍ଣ ହୋଇଥିଲେ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର କିଶୋର ଚନ୍ଦ୍ର ପଟେଲ, ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, ସିପିଆଇର ରମେଶ ତ୍ରିପାଠୀ ଅନ୍ୟତମ। ଏହା ବ୍ୟତୀତ ଆଉ ୭ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ।
/sambad/media/post_attachments/wp-content/uploads/2022/05/517c9fbb-0789-400c-a9ab-34c5ccb4c872.jpg)
Follow Us