ବାହାର ଲୋକଙ୍କ ହାତରେ ଓଡ଼ିଶା ହକିର ଭାଗ୍ୟ: ଦିଲୀପ, ପ୍ରବୋଧ ଥାଉଥାଉ ଭୋଳାନାଥ?

‘ବାହାରିଆ ‌ଲୋକଙ୍କୁ ନେତୃତ୍ବ ଭାର, ଓଡ଼ିଶା ପ୍ରତି ଅପମାନ’

ରାଉରକେଲା : ବିଶ୍ବହକିର ଜୀବନ୍ତ କିଂବଦନ୍ତି ଦିଲୀପ ତିର୍କି ଓଡ଼ିଶାର। ଲାଜରୁସ୍‌ ବାର୍ଲା ଓ ପ୍ରବୋଧ ତିର୍କିଙ୍କ ଭଳି ଅନ୍ତର୍ଜାତୀୟ ସ୍ତରରେ ଭାରତପାଇଁ ଦୀର୍ଘ ବର୍ଷ ଖେଳିଥିବା ପ୍ରସିଦ୍ଧ ଅଲିମ୍ପିୟାନ୍‌ ଖେଳାଳିମାନଙ୍କୁ ମଧ୍ୟ ଓଡ଼ିଶା ଜନ୍ମ ଦେଇଛି। ଅଥଚ ଓଡ଼ିଶା ହକି ପରିଚାଳନା ଦାୟିତ୍ବ ଦିଆଯାଇଛି ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ। ଅସ୍ଥାୟୀ ସମିତିର ଅଧ୍ୟକ୍ଷ ଭାବେ ହକି ଇଣ୍ଡିଆ ଶ୍ରୀ ସିଂହଙ୍କୁ ନିଯୁକ୍ତ କରିଛି। ଏହା କେବଳ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ନୁହେଁ, ବରଂ ସମଗ୍ର ରାଜ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଏହାକୁ ଜିଲ୍ଲାର ବହୁ ଜାତୀୟ, ଅନ୍ତର୍ଜାତୀୟ, ହକି ଅଲିମ୍ପିଆନ, କ୍ରୀଡ଼ା ସଂଗଠନ ବିରୋଧ କରିଛନ୍ତି। ଓଡ଼ିଶା ହକି ବିଷୟରେ ସାମାନ୍ୟ ଜ୍ଞାନ ନ ଥିବା ଜଣେ ବାହାରିଆ ବ୍ୟକ୍ତିଙ୍କୁ ଦାୟିତ୍ବ ଦିଆଯିବା; କେବଳ ଭାରତର ପ୍ରତିନିଧିତ୍ବ କରିଥିବା ସୁନ୍ଦରଗଡ଼ ମାଟିର ଖେଳାଳିଙ୍କ ପ୍ରତି ଅପମାନ ନୁହେଁ ବରଂ ଓଡ଼ିଶାର ଗୌରବମୟ ହକି ଇତିହାସକୁ କଳଙ୍କିତ କରିବାର ହୀନ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି। ଏଭଳି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଦାବି ଜୋର୍‌ ଧରିଛି।

ଭ‌ାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ହକି ଇଣ୍ଡିଆର ନିଷ୍ପତ୍ତିକୁ ବିରୋଧ କରି ପ୍ରଶ୍ନ କରିଛନ୍ତି, ଭୋଳାନାଥ ସିଂହ କିଏ? ସେ କ’ଣ କରନ୍ତି? ସେ ବିଷୟରେ ଓଡ଼ିଶାବାସୀ କିଛି ଜାଣିନାହାନ୍ତି। ସେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଓଡ଼ିଶା ହକି ସହ ଜଡ଼ିତ ନୁହନ୍ତି। ନିଜେ କେବେ ହକି ଖେଳି ନଥିବା ବେଳେ ସେ କେମିତି ଓଡ଼ିଶା ହକିର ବିକାଶ କରିବେ? ହକି ଇଣ୍ଡିଆର ଏଭଳି ନିଷ୍ପତ୍ତି ସଂପୂର୍ଣ୍ଣ ନିନ୍ଦନୀୟ, ଅଗ୍ରହଣୀୟ। ସେ କହିଛନ୍ତି ଯେ ହକି ଜଗତରେ ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଥିବା ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଭଳି ମହାନ ଖେଳାଳିଙ୍କୁ ଅଣଦେଖା କରି ଜଣେ ବାହାରିଆକୁ ହକି ପରିଚାଳନା ଦାୟିତ୍ବ ଭାର ଦିଆଯିବା ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇନପାରେ।

ହକି ଅଲିମ୍ପିଆନ ୱିଲିୟମ ଖାଲଖୋ କହିଛନ୍ତି ଯେ ରାଜ୍ୟରେ ହକିର ସୁପରିଚାଳନା ପାଇଁ ନେତୃତ୍ବ ନେବାକୁ ଯୋଗ୍ୟ ବ୍ୟକ୍ତିଙ୍କ ଅଭାବ ନାହିଁ। ସେମାନଙ୍କ ଭିତରୁ ଜଣଙ୍କୁ ଦାୟିତ୍ବ ଦିଆଯାଉ। ହକି ଇଣ୍ଡିଆର ଏହି ନିଷ୍ପତ୍ତି ଓଡ଼ିଶା ହକିକୁ କ୍ଷତି ପହଞ୍ଚାଇବ। ସଂପୂର୍ଣ୍ଣଭାବେ ବରବାଦ କରିଦେବ। ଯଦି ହକି ଓଡ଼ିଶା ଠିକ୍‌ଭାବେ ପରିଚାଳନା କରିପାରିଲାନି, ତା’ହେଲେ ହକି ଗାଙ୍ଗପୁରକୁ ଦାୟିତ୍ବ ଦିଆଯାଉ। ହକି ଇଣ୍ଡିଆର ମନମାନି ଚଳିବ ନାହିଁ।

ଓଡ଼ିଶା ହକି ଦଳ ପୂର୍ବତନ ଅଧିନାୟକ ଗ୍ରେଗୋରୀ ମିଞ୍ଜ କହିଛନ୍ତି ଯେ ହକି ବିଷୟରେ ଆଦୌ ଜ୍ଞାନ ନ ଥିବା ଜଣେ ଅନ୍ୟ ରାଜ୍ୟର ବ୍ୟକ୍ତିକୁ ନିଯୁକ୍ତ କରିବା, ଓଡ଼ିଶା ହକି ଖେଳାଳି, ହକି ପ୍ରେମୀଙ୍କ ପ୍ରତି ଅପମାନ। ହକି ଇଣ୍ଡିଆର ଏଭଳି ନିଷ୍ପତ୍ତିକୁ ଯେତିକି ନିନ୍ଦା କଲେ ବି କମ୍‌ ହେବ। ଭାରତୀୟ ମହିଳା ଦଳର ପୂର୍ବତନ ଖେଳାଳି ସରିତା ହନୁମାନ କହିଛନ୍ତି ଯେ ଓଡ଼ିଶାରେ ହକିର ବିକାଶ ପାଇଁ ଓଡ଼ିଶାର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିୟୋଜିତ କରିବା ଦରକାର। ହକି କୋଚ୍‌ ସିଲ୍‌ଭେଷ୍ଟର୍‌ ଟପ୍ପୋଙ୍କ ମତରେ ଓଡ଼ିଶାର ପୂର୍ବତନ ଖେଳାଳିଙ୍କ ବଦଳରେ କୁସ୍ତି ସହ ସଂପର୍କିତ ଜଣେ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ଦାୟିତ୍ବ ଦିଆଯିବା, ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ନିଦର୍ଶନ। ଦିଲୀପ ତିର୍କିଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଦାୟିତ୍ବ ଦିଦଆଗଲାନି କାହିଁକି? ଏଭଳି ନିଷ୍ପତ୍ତି ଓଡ଼ିଶା ହକି ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବାବେଗକୁ କୁଠାରାଘାତ କରିଛି। ହକି ସଂଗଠକ ଅଭୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଏହି ନିଷ୍ପତ୍ତି ଓଡ଼ିଶା ହକି ପ୍ରତି ଏକ ଧୋକା, ଯାହାକୁ କଦାପି ଗ୍ରହଣ କରାଯାଇନପାରେ। ଅଧ୍ୟକ୍ଷ ପଦ ପାଇଁ ରାଜ୍ୟରେ ଏକାଧିକ ଯୋଗ୍ୟ ପୂର୍ବତନ ହକି ଖେଳାଳି ଅଛନ୍ତି; ତେବେ ସେମାନଙ୍କୁ ଅଣଦେଖା କରିବା ଅନୁଚିତ।

ସମ୍ବନ୍ଧିତ ଖବର