କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳ ତରମାକାନ୍ତ ପଞ୍ଚାୟତ ଜଳଡିହା ଗାଁରେ ନାଳରୁ ଗାଧୋଇ ସାରି ସାଇକେଲରେ ଘରକୁ ଫେରୁଥିବା ରାସ୍ତାରେ ଦନ୍ତା ହାତୀ ଆକ୍ରମଣ କରିବାରୁ ବାପା ଆହତ ହେବା ସହିତ ୮ବର୍ଷ ର ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଗୁରୁତର କୁନି ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁସାରେ ତରମାକାନ୍ତ ପଞ୍ଚାୟତ ଜଳଡିହା ଗାଁ ମାଣିକସାହିର ପ୍ରଦୀପ ମୁଣ୍ଡା ତାଙ୍କ ୮ବର୍ଷର ଝିଅ ସସ୍ମିତାଙ୍କ ସହିତ ସାହି ପାଖ ରାଣୀମା ନାଳକୁ ଆଜି ଅପରାହ୍ନରେ ଗାଧୋଇ ଯାଇଥିଲେ। ଗାଧୋଇ ସାରି ଝିଅକୁ ସାଇକେଲ ପଛରେ ବସାଇ ପ୍ରଦୀପ ଘରକୁ ଫେରିବା ରାସ୍ତାରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା। ଫଳରେ ସାଇକେଲ ସହିତ ଉଭୟ ପଡିଯାଇଥିଲେ। ବାପା ପ୍ରଦୀପ ସାଇକେଲରୁ ଛିଟିକି ଦୁରକୁ ପଡିଯାଇଥିଲେ ଓ ଝିଅ ସସ୍ମିତା ସାଇକେଲ ସହିତ ପଡିଯାଇଥିଲେ। ଦନ୍ତା ହାତୀଟି ସାଇକେଲକୁ ଶୁଣ୍ଢରେ ଫୋପାଡ଼ି ଦେଇ ଝିଅ ସସ୍ମିତାକୁ ଆକ୍ରମଣ କରିଥିଲା। ଏହି ସମୟରେ ପ୍ରଦୀପ ଚିତ୍କାର କରିବାରୁ ହାତୀଟି ପଳାଇଥିଲା।
ତେବେ ସେତେବେଳକୁ ହାତୀ ଆକ୍ରମଣରେ ସସ୍ମିତା ଗୁରୁତର ଆହତ ହୋଇଥିଲା। ସସ୍ମିତାଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ସଙ୍ଗେ ସଙ୍ଗେ ଉଭୟ ଆହତଙ୍କୁ ବାଂଶପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/c1e41690-8f7a-4ec5-a944-45ca23089963.jpeg)