ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା-ମା’ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିିଲ୍ଲା ଦଶପଲ୍ଲା ଅଞ୍ଚଳରୁ ପ୍ରଶାନ୍ତ ନାୟକ ଓ ତାଙ୍କର ସ୍ତ୍ରୀ ମମତା ନାୟକ ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ବାପା-ମା। ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ ଟିମ୍ ଜାଣିବାକୁ ପାଇଲେ ଯେ, ପିଲାଟି ପାଖରେ କେହି ନାହାନ୍ତି। ବାପାମାଆଙ୍କୁ ମୋବାଇଲ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନଙ୍କର ସହିତ ଯୋଗାଯୋଗ ହୋଇପାରି ନଥିଲା। ବରଂ ଶିଶୁକନ୍ୟାର ବାପାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିଲା।
ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏବାବଦରେ ଜଣାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ଶିଶୁରୋଗ ବିଶେଷଜ୍ଞ ଲିଙ୍ଗରାଜ ପ୍ରଧାନ କହିଛନ୍ତି, ଶିଶୁକନ୍ୟାର ବାପା ପ୍ରଶାନ୍ତ ନାୟକ ଓ ମା ମମତା ନାୟକଙ୍କ ଘର ନୟାଗଡ଼ ଦଶପଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ। ନୟାଗଡ଼ରେ ପିଲାର ଜନ୍ମ ହୋଇଥିଲା ତାକୁ ୧୯ ଦିନ ଯେବେ ହେଲା ତା ବାପା ମା ଏଠାକୁ ନେଇ ଆସିଥିଲେ। ତାର ଓଜନ ୮୬୦ ଗ୍ରାମ ଥିଲା। ଏହା ସାଧାରଣ ଶିଶୁର ଓଜନ ୨କେଜି ୫୦୦ ଗ୍ରାମ ଠାରୁ ବହୁତ କମ। ତେଣୁ ସେ ଜଣେ ଅପରିପକ୍ୱ ଶିଶୁ। ତାର ଏଠାରେ ଚିକିତ୍ସା ଚାଲିଥିଲା। ଆମେ ଲଗାତାର ବାପା-ମା’ଙ୍କୁ ଶିଶୁର ଖବର ଦେଉଥିଲୁ। ହଠାତ ତାଙ୍କୁ ଆଜି ସକାଳୁ ତାଙ୍କୁ ପାଇଲୁ ନାହିଁ। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଓ ପୁଲିସରେ ସୂଚନା ଦେଇଛୁ। ପିଲାଟି ଅସୁସ୍ଥ ଥିବାରୁ ତକୁ ନେଇ ତା ବାପା ଓ ମା ଭୟଭୀତ ଥିଲେ। ପୂର୍ବରୁ ଗୋଟାଏ ବ୍ଲଡ଼ ଦିଆଯାଇଥିଲା ଏବଂ ଆଜି ମଧ୍ୟ ଗୋଟିଏ ବ୍ଲଡ଼ ଦିଆଯାଉଛି। ବର୍ତ୍ତମାନ ଶିଶୁଟି ଏସ୍ଏନ୍ସିୟୁ ଭିତରେ ତାର ଚିକିତ୍ସା ଚାଲିଛି। ଛାଡି ଯିବାର କାରଣ କ’ଣ ତାହା ପିଲାର ବାପା ହିଁ ଜାଣିଥିବେ। ଆଡ଼ମିଶନ ସମୟରେ ଦେଇଥିବା ପ୍ରମାଣପତ୍ର ସବୁ ଠିକ ଅଛି।
ଭୁବନେଶ୍ବରରେ ନବଜାତ ଶିଶୁ ଅଲୋଡ଼ା ହେବା ଘଟଣା ଏହା ପ୍ରଥମ ଥର ନୁହେଁ। ବରଂ ଏହା ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଗତ ୨୫ ତାରିଖରେ ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ କଣ୍ଟାବୁଦାରେ ଅଖାରେ ଭର୍ତ୍ତି ଥିବା ଶିଶୁକୁ ଏହି ରାସ୍ତାଦେଇ ଯାଉଥିବା ଜଣେ ଲୋକ ଦେଖିଥିଲେ। ଏବାଦରେ ସେ ଅନ୍ୟମାନଙ୍କୁ କହିବାରୁ ଘଟଣାସ୍ଥଳରେ ଲୋକଙ୍କର ଭିଡ଼ ଲାଗିଥିଲା। ଶେଷରେ ଅଖାବସ୍ତା ଭିତରୁ ମୃତ ଶିଶୁକୁ ଉଦ୍ଧାର କରାଯାଇଥିଲା।