ପୁଅ ପାଇଁ ଚିନ୍ତାରେ ଅଭାବୀ ବାପା-ମା: କହିଲେ- ଆମ ପୁଅର ଆଖି ଭଲ କରି ଦିଅ ସରକାର

ସୁନ୍ଦରଗଡ଼: ‘ଆଖିକୁ ଦିଶୁନି ବୋଲି ପୁଅର ମାଟ୍ରିକ ପାଠ ଅଧାରେ ରହିଗଲା। ତାର ପାଠରେ ବେଶୀ ଆଗ୍ରହ । ଆମ ପୁଅର ଆଖି ଭଲ କରି ଦିଅ ସରକାର। ଆମକୁ କିଛି ଦରକାର ନାଠହିଁ। ପୁଅ ଭଲ ହୋଇ ପାଠ ପଢ଼ିଲେ ଆମର ସବୁ ଅଭାବ ଦୂର ହୋଇଯିବ’। ଦୁଇ ଆଖି ହରାଇଥିବା ଏକମାତ୍ର ମାଟ୍ରିକ ପଢ଼ୁଆ ପୁଅ ପାଇଁ ସରକାରଙ୍କୁ ୟେ ଥିଲା ବାପାମା’ଙ୍କ ଆକୁଳ ଆବେଦନ। ଗରିବୀ ଯୋଗୁଁ ପୁଅର ଉନ୍ନତ ଚିକିତ୍ସା କରି ପାରୁ ନଥିବାରୁ ଏବେ ସେମାନେ ହାତଯୋଡ଼ି ସହାୟତା ମାଗୁଛନ୍ତି। ଦାରିଦ୍ର୍ୟ ଓ ରୋଗର ଏ ବିକଳ ଚିତ୍ରଟି ଆସିଛି ଲେଫ୍ରିପଡ଼ା ବ୍ଲକ୍ ହୁଟୁପଡ଼ାରୁ। କନ୍ଦର୍ପ କେର୍କେଟା, ସ୍ତ୍ରୀ ବିମଳା ଓ ତାଙ୍କ ଏକମାତ୍ର ଦୃଷ୍ଟିବାଧିତ ପୁଅ ଯୋହାନଙ୍କ ଦୁର୍ଦ୍ଦଶା ଆଖିରେ ନଦେଖିଲେ ବିଶ୍ବାସ କରି ହେବ ନାହିଁ। ବିବାହର ବହୁ ବର୍ଷ ପରେ ଆସିଥିଲେ ପୁଅ ଯୋହାନ। ଜମିବାଡ଼ି ବୋଲି କିଛି ନାହିଁ। ଜଙ୍ଗଲ ଜମିରେ କୁଡ଼ିଆ ଖଣ୍ଡେ କରି ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ। ପିଲାଟି ଦିନରୁ ଯୋହାନଙ୍କ ପାଠ ପ୍ରତି ବେଶୀ ଆଗ୍ରହ ଥିଲା।

ଗରିବୀ କେତେ କଲବଲ କରେ, ବାପାମାଙ୍କ କଷ୍ଟରୁ ବୁଝି ପାରୁ ଥିଲେ ସେ। ତେଣୁ ଭଲ ପଢ଼ି ଗରିବୀ ହଟାଇ ବାପାମାଙ୍କ ମୁହଁରେ ହସ ଭରିବ ବୋଲି ସେ ସ୍ବପ୍ନ ଦେଖୁଥିଲେ। ବାପାମା’ ବି ପୁଅ ଭଲ ପଢ଼ିଲେ ସେମାନଙ୍କ ଦୁଃଖ ଯିବ ବୋଲି ନିଜେ କୁଲି ମଜୁରିକୁ କରିବାକୁ ଯାଇ ପୁଅକୁ ସ୍କୁଲ ପଠାଉଥିଲେ। କିନ୍ତୁ ଯୋହାନ ଲେଫ୍ରିପଡ଼ା ଜୟରାମ ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ତାଙ୍କ ପାଖକୁ ମାଡ଼ି ଆସିଥିଲା ଦୁର୍ଭାଗ୍ୟ । ସେ ସମୟରେ ତାଙ୍କ ଆଖିକୁ ଝାପସା ଦିଶିବା ଆରମ୍ଭ କରିଥିଲା। ବାପାମା’ ଚିନ୍ତାରେ ପଡ଼ିଲେ। ଏସ୍ଥିତିରେ ମଧ୍ୟ ଯୋହାନ ଦିନେ ବି ସ୍କୁଲ ବନ୍ଦ କରୁ ନଥିଲେ। ହେଲେ ମାଟ୍ରିକ ପରୀକ୍ଷା ସମୟରେ ସମସ୍ୟା ବଢ଼ି ଯାଇଥିଲା।

ପରୀକ୍ଷା ମଝିରେ ଭଲ କରି ଦେଖିପାରିଲେ ନାହିଁ ସେ । କୌଣସି ମତେ ପରୀକ୍ଷା ଶେଷ କରିଥିଲେ ମଧ୍ୟ ଆଖିକୁ ନଦିଶିବାର ଫଳ ସ୍ବରୂପ ସେ ଫେଲ୍ ହୋଇଯାଇଥିଲେ। ଏହା ମଧ୍ୟରେ ଯୋହାନ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ସାରିଥିଲେ। ବାପାମା ଆଶାକର୍ମୀଙ୍କ ସାହାଯ୍ୟରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରୁ ରାଜଗାଙ୍ଗପୁର, ଛତିଶଗଡ଼ର ରାଏଗଡ଼, ରାଉରକେଲା ଏପରିକି ଭୁବନେଶ୍ବର ବଡ଼ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ଏପଟେ ଯୋହାନଙ୍କ ପାଠ ପଢ଼ିବାର ବେଶୀ ଇଚ୍ଛା। ହେଲେ ଆଖିକୁ ଦିଶୁ ନଥିବାରୁ ତାଙ୍କ ମନ ମରି ଯାଇଛି। ଭେଣ୍ଡିଆ ପୁଅର ଏ ଦୁରାବସ୍ଥାରେ ଭାଙ୍ଗି ପଡ଼ିଛନ୍ତି ବାପାମା’। ସେମାନଙ୍କ ଶେଷ ଆଶା, ଚିକିତ୍ସା ପାଇଁ ସରକାର ହାତ ବଢ଼ାଇବେ ଓ ପୁଅ ଦୃଷ୍ଟି ଶକ୍ତି ଫେରି ପାଇ ପୁଣି ସ୍କୁଲ ଯିବ। ଗରିବ ଦମ୍ପତିଙ୍କ ଗୁହାରି ସରକାର ଶୁଣିବେ କି !

ସମ୍ବନ୍ଧିତ ଖବର