ପାଠକ ବାପ-ପୁଅଙ୍କୁ ୧୦ ଘଣ୍ଟା ମାରାଥନ୍ ଜେରା

ସମ୍ପତ୍ତି ଉତ୍ସ, ଆର୍ଥିକ କାରବାରକୁ ନେଇ ଖୋଳତାଡ଼

୭ ଜଣିଆ ଟିମ୍‌ର ବାପ-ପୁଅଙ୍କୁ ଅଲଗା ଅଲଗା ଜେରା
ପୁନେ, ଭୁବନେଶ୍ବର, ବ୍ରହ୍ମପୁରରୁ ମିଳିଲା ଆହୁରି ବ୍ୟାଙ୍କ ଆକାଉଣ୍ଟ
ଏଯାଏ ୧୬.୦୫ କୋଟି ଟଙ୍କାର ଜମାରାଶି ଠାବ

କଟକ : ଭିଜିଲାନ୍ସ ଅଧିକାରୀଙ୍କ ମାରାଥନ ଜେରାରେ ଆଜି ନୟାନ୍ତ ‌ହୋଇଛନ୍ତି ଗିରଫ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ। କଟକର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ବାପ-ପୁଅଙ୍କୁ ଅଲଗା ଅଲଗା ଭାବେ ବିଭିନ୍ନ ପର୍ଯ୍ୟାୟରେ ୭ ଜଣିଆ ଟିମ୍ ପାଖାପାଖି ୧୦ ଘଣ୍ଟା କାଳ ଜେରା କରିଛନ୍ତି।

ଦିନ ୧୦ଟାରୁ ଜେରା ଆରମ୍ଭ ହୋଇ ରାତି ପ୍ରାୟ ୯ଟା ପାଖାପାଖି ଯାଏ ଚାଲିଥିଲା। ଭିଜିଲାନ୍ସର ଏଏସ୍‌ପି, ଡିଏସପି ଓ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ‌ ନେଇ ଗଠିତ ଏହି ଟିମ୍ ପାଠକ ବାପ-ପୁଅଙ୍କୁ ମୁଖ୍ୟତଃ କେଉଁଠି ଏତେ ଟଙ୍କା ଆଣିଲେ, ଆଉ କେଉଁଠି ଟଙ୍କା ଅଛି, କେଉଁଠି କେଉଁଠି ଟଙ୍କା ବିନିଯୋଗ ହୋଇଛି, ସେ ସଂପର୍କରେ ଜେରା କରିଛନ୍ତି। ଆସନ୍ତାକାଲି ବି ଏଭଳି ମାରାଥନ ଜେରା କରାଯିବା ସହିତ ପରେ ବାପ-ପୁଅଙ୍କୁ ମୁହାଁମୁହିଁ ଜେରା କରାଯିବାର ଯୋଜନା ରହିଛି। ବାପ-ପୁଅ ଯେଉଁ ତଥ୍ୟ ଦେଉଛନ୍ତି, ତାହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ମଧ୍ୟ ବ୍ୟାଙ୍କ, ଆର୍ଥିକ ସଂସ୍ଥା ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ତଥ୍ୟ ଲୋଡା ଯାଉଛି। ବାପ-ପୁଅଙ୍କୁ ଭିଜିଲାନ୍ସ ତିନି ଦିନିଆ ରିମାଣ୍ତରେ ଆଣିଥିବା ବେଳେ ଆଜି ପ୍ରଥମ ଦିନର ଜେରା ସରିଛି। ଭିଜିଲାନ୍ସ ଏବେ ମୁଖ୍ୟତଃ ଆୟବର୍ହିଭୂତ ସଂପତ୍ତିର ଛାନଭିନ୍ କରୁଥିବା ବେଳେ ବାପ-ପୁଅଙ୍କ ଠକେଇ, ଆର୍ଥିକ ଅପରାଧ ଦିଗର ତଦନ୍ତ ଇଡି, ଆୟକର ବିଭାଗ ଓ କ୍ରାଇମବ୍ରାଞ୍ଚ ଆରମ୍ଭ କରି ଦେଇଛନ୍ତି। ଆଜିର ଜେରାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲାବେଳେ ଭିଜିଲାନ୍ସ ଅଧିକାରୀମାନେ ତାହାର ସତ୍ୟତାକୁ ମଧ୍ୟ ଯାଞ୍ଚ କରିଥିବା ସୂଚନା ମିଳିଛି।

ପାଠକ ବାପ-ପୁଅଙ୍କ ଅଧିକ ଜମା ରାଶି ସଂପର୍କରେ ମଧ୍ୟ ଭିଜିଲାନ୍ସକୁ ତଥ୍ୟ ମିଳିଛି। ବ୍ରହ୍ମୁପୁର, ଭୁବନେଶ୍ବର ଓ ପୁନେରେ ତାଙ୍କର ଜମାରାଶି ବିଷୟରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଏହି ଉଭୟ ସ୍ଥାନରେ ୧.୨୮ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ଯାହାଫଳରେ ତାଙ୍କର ମୋଟ ବ୍ୟାଙ୍କ ଜମାରାଶି ୧୬.୦୫ କୋଟିରେ ପହଞ୍ଚିଛି। ଏଥିମଧ୍ୟରୁ ୧୦.୭୬ କୋଟି ଟଙ୍କା ନଗଦ ଆକାରରେ ଜମା ହୋଇଥିଲାବେଳେ ଅନ୍ୟଗୁଡ଼ିକ ଅନ୍ୟ ଆକାଉଣ୍ଟରୁ ଆସିଛି। ସେହିପରି ବ୍ରହ୍ମପୁର ଓ ବଲାଙ୍ଗୀରରେ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ବୀମା ପଲିସିର ସନ୍ଧାନ ମିଳିଛି। ଅନ୍ୟପକ୍ଷରେ ବ୍ରହ୍ମପୁରରେ ଅଭୟକାନ୍ତ ଓ ତାଙ୍କ ଅନ୍ୟ ସମ୍ପର୍କୀୟଙ୍କ ଆକାଉଣ୍ଟ ବିଷୟରେ ଭିଜିଲାନ୍ସକୁ ତଥ୍ୟ ମିଳିଥିଲାବେଳେ ସେଗୁଡ଼ିକର କାରବାର ଉପରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ହାତରେ ଅଳ୍ପ ଦିନ ସମୟ ଥିବାରୁ ଭିଜିଲାନ୍ସ ଅଧିକାରୀମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରଥମ ଦିନ ପାଖାପାଖି ୧୦ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିବା ଜଣାପଡ଼ିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ସତ୍ୟତା ଓ କାରବାର ସ˚ପର୍କରେ ଯାଞ୍ଚ କରାଯିବ। ଏଥିସହ ଯେଉଁ ଉତ୍ସରୁ ତାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଛି ସେସବୁ ସହିତ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କୁ ସମନ୍‌ କରାଯାଇପାରେ। କୋଟି କୋଟି ଟଙ୍କାର ସାମ୍ରାଜ୍ୟ ବିଛାଇଥିବା ପାଠକ ପରିବାରର ଯାଞ୍ଚ ପାଇଁ ତିନି ଦିନ ରିମାଣ୍ତ ଯଥେଷ୍ଟ ନୁହେଁ ବୋଲି ଜଣେ ଅଧିକାରୀ କହିବା ସହ ଅବଧି ଶେଷ ହେବା ପରେ ଅଧିକ ଦିନ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ଯୋଜନା କରାଯାଉଛି।

ସମ୍ବନ୍ଧିତ ଖବର