ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ବିଭିନ୍ନ ଗାଁର ଯୁବକମାନଙ୍କୁ ସୁରକ୍ଷାକର୍ମୀ ଚାକିରି କରାଇ ଦେବା ନାଁରେ ୮ଲକ୍ଷ ୬୦ ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କରଙ୍ଗାମାଲ ଗାଁର ବେଣୁଧର ଜଗତ (୪୭ବର୍ଷ) ଓ ତାଙ୍କ ପୁଅ ହେମନ୍ତ ଜଗତ (୨୧ବର୍ଷ)ଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଦ୍ବୟ ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ସନସାଇନ ରେଷ୍ଟୁରାଣ୍ଟକୁ ଲିଜ୍ ଆକାରରେ ନେଇ ଚଳାଉଥିଲେ। ସେଠାରେ ପାଟଣାଗଡ଼ ବ୍ଲକ୍ ବନକାବିଅର ଗାଁର ଘନଶ୍ୟାମ ସାହୁ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ପରେ ବେଣୁଧର ଏକ ସୁରକ୍ଷା ଏଜେନ୍ସିରେ ନିଯୁକ୍ତି ପାଇଁ ତାଙ୍କୁ ଦାୟିତ୍ବ ମିଳିଥିବା କହି ଏ ଅଞ୍ଚଳର ପିଲାମାନଙ୍କୁ ପ୍ରଲୋଭିତ କରିଥିଲେ। ଏହା ସହିତ ଘନଶ୍ୟାମଙ୍କୁ ଏହାର ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଜିଲ୍ଲାର ମୁଖ୍ୟ କରିଦେବା ପାଇଁ କହି ତାଙ୍କଠାରୁ ୫୦ ହଜାର ଟଙ୍କା ନେଇଥିଲେ। ଫଳରେ ଘନଶ୍ୟାମ ୨୫ରୁ ଅଧିକ ପିଲା ଯୋଗାଡ଼ କରିଥିଲେ। ସେମାନଙ୍କଠାରୁ ଇନ୍ଚାର୍ଜ ପାଇଁ ୪୦ ହଜାର, ସୁପରଭାଇଜର ପାଇଁ ୩୦ ହଜାର ଓ ସୁରକ୍ଷାକର୍ମୀ ପାଇଁ ୨୦ ହଜାର ଟଙ୍କା ଲେଖାଏଁ ଅସୁଲ କରି ବେଣୁଧରଙ୍କୁ ଦେଇଥିଲେ। ଗତ ଜୁନ ମାସରୁ ଏମାନଙ୍କୁ ତାଲିମ ବାହାନାରେ କାମ କରାଇଥିଲେ। ହେଲେ କୌଣସି ପାରିଶ୍ରମିକ ନମିଳିବାରୁ ଏମାନେ ଏଜେନ୍ସି ନକଲି ବୋଲି ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତହସିଲଦାର ଲକ୍ଷ୍ମଣ ମାଝୀଙ୍କ ନେତୃତ୍ବରେ ଗଙ୍ଗାନଗରରେ କରିଥିବା ତାଲିମ କେନ୍ଦ୍ର ଓ ରାମପୁରସ୍ଥିତ ସନସାଇନ ରେଷ୍ଟୁରାଣ୍ଟରେ ଚଢ଼ଉ କରି ବିଭିନ୍ନ ସାମଗ୍ରୀ ଜବତ କରିଛି। ଅପରପକ୍ଷରେ ରେଷ୍ଟୁରାଣ୍ଟରେ ଯୁବତୀମାନଙ୍କୁ ରଖି ଅନୈତିକ କାର୍ଯ୍ୟ କରାଯାଉଥିବା ମଧ୍ୟ ଅଭିଯୋଗକାରୀମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। କେସ ନଂ ୨୧୦/୨୩ରେ ପୁଲିସ ବେଣୁଧର ଓ ହେମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ଆଇ ବି. କେ. ପଣ୍ଡା କହିଛନ୍ତି।