ଅପହରଣ, ହତ୍ୟା ମାମଲାରେ ବାପ ପୁଅ ଗିରଫ

ବକେୟା ଟଙ୍କା ପାଇଁ ମାରିଦେଲେ, ସାନପୁଅ ସମେତ ୬ ଫେରାର୍‌

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକଙ୍କୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ବାପ, ପୁଅଙ୍କୁ ଗିରଫ କରିଛି। ସେମାନେ ବ୍ରହ୍ମପୁର ଅଶୋକନଗର ସପ୍ତମ ଲାଇନ୍‌ର ଯୋଗେନ୍ଦ୍ର ଦଳାଇ(୫୩) ଓ ପୁଅ ପ୍ରଭାକର ଦଳାଇ(୨୮) ଓରଫ୍‌ ବାନା ବୋଲି ପୁଲିସ କହିଛି। କବିସୂର୍ଯ୍ୟନଗର ଥାନା କେସ୍ ନମ୍ବର ୨୯୪/୨୨ରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ବକେୟା ଟଙ୍କାକୁ ନେଇ ‌ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ଗୋବିନ୍ଦପୁର ଗ୍ରାମର ଟୁଟୁଙ୍କୁ ଗତ ୧୬ତାରିଖରେ ଅପହରଣ କରା ଯାଇଥିଲା। ବ୍ରହ୍ମପୁର ଅଶୋକନଗରର ବାପ, ପୁଅ ସମେତ ପ୍ରାୟ ୬ଜଣ ଲୋକ ତାଙ୍କୁ ଅପହରଣ କରିଥିବା ନେଇ ପତ୍ନୀ ରୋଜି ଥାନାରେ ଏତଲା ଦେଇଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିଦିନ ସଂଧ୍ୟାରେ ପାଟପୁର ଥାନା ଅନ୍ତର୍ଗତ ଝରଣ ଗାଁ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ପୁଲିସ ଟୁଟୁଙ୍କ ଶବ ଜବତ କରିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଥିଲା। ଏଣୁ କବିସୂର୍ଯ୍ୟନଗର ଥାନାରେ ରୁଜୁ ହୋଇଥିବା ନିଖୋଜ ମାମଲା ହତ୍ୟା ମାମଲାରେ ପରିବର୍ତ୍ତନ ହୋଇଥିଲା। ଟୁଟୁଙ୍କ ପତ୍ନୀଙ୍କ ଏତଲା କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏ ସଂକ୍ରାନ୍ତରେ କବିସୂର୍ଯ୍ୟନଗର ଥାନା ପୁଲିସ ଯୋଗେନ୍ଦ୍ର ଓ ପୁଅ ପ୍ରଭାକରଙ୍କୁ ଧରିଥିଲା। ସେମାନଙ୍କୁ ଜେରା ପରେ ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିଲା।

ପୁଲିସର ସୂଚନା ଅନୁସାରେ, ଟୁଟୁଙ୍କ ଆଉ ଦୁଇଜଣ ଭାଇ ସନ୍ତୋଷ ଏବଂ ସୀମାଞ୍ଚଳ ଅଛନ୍ତି। ଟୁଟୁଙ୍କ ଭାଇ ସୀମାଞ୍ଚଳ ବ୍ରହ୍ମପୁର ଅଶୋକନଗରରେ ରହୁଥିବା ଯୋଗେନ୍ଦ୍ରଙ୍କ ଝିଅ ସୁମିତ୍ରାଙ୍କୁ ବାହା ହୋଇଥିଲେ। ୨୦୧୪ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ୨୦୨୦ରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁମିତ୍ରାଙ୍କ ମୃତ୍ୟୁ ଘଟିଥିଲା। ଉଭୟ ପରିବାରର ସହମତି କ୍ରମେ ଝିଅର ଭବିଷ୍ୟତ ପାଇଁ ବାପା ସୀମାଞ୍ଚଳ ୪ଲକ୍ଷ ଟଙ୍କା ବ୍ୟାଙ୍କ ଜମା କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସହିତ ଝିଅ ତା’ର ମାମୁଘରେ ରହିବ ବୋଲି ସ୍ଥିର ହୋଇଥିଲା। ବାପା ସୀମାଞ୍ଚଳ ଝିଅ ଓ ତାଙ୍କ ନାମରେ ଏକ ଜଏଣ୍ଟ୍‌ ବ୍ୟାଙ୍କ ଆକାଉଣ୍ଟ୍‌ କରି ୨ଲକ୍ଷ ୫୦ହଜାର ଟଙ୍କା ଜମା କରିଥିଲେ। ୬ ମାସ‌ ପରେ ବକେୟା ଦେଢ଼ଲକ୍ଷ ଟଙ୍କା ଜମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସୀମାଞ୍ଚଳ ଟଙ୍କା ଜମା କରି ନଥିଲେ। ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା। ବଡ଼ଭାଇ ଟୁଟୁ ଏଥିରେ ହସ୍ତକ୍ଷେପ କରି ନିଜେ ବଳକା ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ମଧ୍ୟ ଟଙ୍କା ଦେଇପାରି ନଥିଲେ।

ଏଥିପାଇଁ ଟୁଟୁ ଓ ଯୋଗେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ଏଥିପାଇଁ ଟୁଟୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଗେନ୍ଦ୍ର ଓ ଦୁଇପୁଅ ପ୍ରଭାକର ଏବଂ ସିଲୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ଯୋଜନା ଅନୁସାରେ ଗତ ୧୬ତାରିଖରେ କିଛି ସହଯୋଗୀଙ୍କ ସହିତ ଏ.ଗୋବିନ୍ଦପୁର ଗ୍ରାମରେ ପହଞ୍ଚି ଟୁଟୁଙ୍କୁ ଅପହରଣ କରି ଝରଣ ଗାଁ ଜଙ୍ଗଲରେ ପଥର ଛେଚି ହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଯୋଗେନ୍ଦ୍ର ଓ ପୁଅ ପ୍ରଭାକରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର