ବାପା-ପୁଅଙ୍କୁ ମାଡ଼ ଘଟଣା: ମାନବବାଦୀ ସଂଗଠନର ମୁଖିଆକୁ ସୁରକ୍ଷା!

କାହା ଚାପରେ ପୁଲିସ? ପୁଣି ମୂଳ ଏତଲା ବଦଳାଇଲା

ଖୋର୍ଦ୍ଧା/ ବେଗୁନିଆ : ସଅର ସମ୍ପ୍ରଦାୟର ୬୫ ବର୍ଷର ବୃଦ୍ଧ ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ‘ମାନବବାଦୀ ସଙ୍ଗଠନ’ର ଅମାନବୀୟ କାର୍ଯ୍ୟ ସମ୍ପର୍କରେ ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏକ ପୁଲିସ ଟିମ୍‌କୁ ନେଇ ଖୋର୍ଦ୍ଧା ଏସ୍‌ପି ରାଜ କିଶୋର ଦୋରା ଓ ଏସ୍‌ଡିପିଓ ଆଜି କଡ଼ବ ଗାଁ ଯାଇ କେତେକ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି। ମାଗୁଣୀଙ୍କୁ ବେଗୁନିଆ ଥାନା ଅଣାଯାଇ ପ୍ରାୟ ଘଣ୍ଟାଏ କାଳ ପଚରାଉଚରା‌ କରାଯାଇଛି। ସେହିପରି ବେଗୁନିଆ ଥାନାର ଏକ ପୁଲିସ ଟିମ୍‌ ମଧ୍ୟ କଡ଼ବ ଯାଇଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଅଭିଯୋଗ ଆଧାରରେ ପୁଲିସ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମାନସ ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଖସାଇ ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି। ଏତଲାରୁ ମାନସଙ୍କ ନାମ ବାଦ୍‌ ଦେବା ପାଇଁ ପୁଲିସ ମାଗୁଣିଙ୍କ ଉପରେ ଚାପ ପକାଇ ଏତଲା ପରିବର୍ତ୍ତନ କରିଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ହୋଇଛି।

ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ଗତକାଲି ରାତିରେ ମାଗୁଣୀ ନାୟକ ବେଗୁନିଆ ଥାନାରେ ନଅ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି। ମାନସଙ୍କ ନେତୃତ୍ବରେ ସଙ୍ଗଠନର କର୍ମକର୍ତ୍ତମାନେ ତାଙ୍କୁ କିଭଳି ନିର୍ଯାତନା ଦେଇଥିଲେ ସେ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଦେଇଥିଲେ। ଗ୍ରାମର ଅନେକ ଲୋକ ମାନସଙ୍କ ବିରୋଧରେ ପୁଲିସ ଆଗରେ ମୁହଁ ଖୋଲିଛନ୍ତି। ମାଗୁଣୀ କହିଛନ୍ତି ଯେ ସେ ପ୍ରଥମେ ଯେଉଁ ଏତଲା ଦେଇଥିଲେ ସେଥିରେ ସେ ମାନସ ଦାସଙ୍କ ନିର୍ଦ୍ଦେଶରେ ତାଙ୍କୁ ଓ ତାଙ୍କ ପୁଅକୁ ମାଡ଼ ମରାଯାଇଛି ବୋଲି ଲେଖିଥିଲେ। କିନ୍ତୁ ବେଗୁନିଆ ପୁଲିସ ଏହି ଏତଲାକୁ ଚିରି ଦେଇ ନିକଟରେ ଥିବା ଏକ ଚାହା ଦୋକାନୀ ହାତରେ ଏକ ନୂଆ ଏତଲା ଲେଖାଇଥିଲେ।

ସେଥିରେ ମାନସଙ୍କ ନାମକୁ ବାଦ୍‌ ଦିଆଯାଇଥିଲା। ପଚରାଉଚୁରା ବେଳେ ମଧ୍ୟ ଏସ୍‌ପି ରାଜ କିଶୋର ଦୋରାଙ୍କୁ ସେ ଏହି କଥା କହିଛନ୍ତି।

ଏକଦା ମାନସ ଦାସଙ୍କୁ ଗୁରୁଜୀ କହି ଗୋଡ଼ ଛୁଉଁଥିବା ମାଗୁଣୀଙ୍କ ପତ୍ନୀ ମଧ୍ୟ ବର୍ତ୍ତମାନ ମାନସ ଦାସଙ୍କ ସମ୍ପୃକ୍ତି ସମ୍ପର୍କରେ ମୁହଁ ଖୋଲିଛନ୍ତି। ଆଜି ବେଗୁନିଆ ପୁଲିସ ଯେତେବେଳେ ଗାଁରେ ପହଞ୍ଚିଥିଲା ସେତେବେଳେ ମାନସ ଦାସଙ୍କ ବିରୋଧରେ ବାରମ୍ବାର ଦିଆଯାଉଥିବା ଲିଖିତ ଅଭିଯୋଗରୁ କାହିଁକି ଓ କାହା ଚାପରେ ତାଙ୍କ ନାମ କଟାଯାଉଛି ବୋଲି ଲୋକେ ପ୍ରଶ୍ନ କରିଥିଲେ।

ଗତ ୨ ତାରିଖରେ କଡ଼ବ ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ି ଦେଇଥିବା ନେଇ ମାନବବାଦୀ ସଙ୍ଗଠନ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସତ୍ୟବ୍ରତଙ୍କ ଶଳା ବେଲେଶ୍ବର ପରିଡ଼ା କହିଛନ୍ତି, ସେ ନିଜେ ଘଟଣାରେ ମାନସ ଦାସଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ହତ୍ୟା ହୋଇଥିବା ଏତଲାରେ ଦର୍ଶାଇଥିଲେ। ଘଟଣା ଦିନ ମାନସ ଦାସ ଗାଁରେ କଙ୍ଗାରୁ କୋର୍ଟ କରି ସତ୍ୟବ୍ରତଙ୍କୁ ବସାଉଠା କରିବା ସହ ଗାଳିଗୁଲଜ କରିଥିଲେ ବୋଲି ଦର୍ଶାଇଥିଲେ। ମାନସ ଦାସ ଓ ତାଙ୍କ ସଙ୍ଗଠନ ସମ୍ପର୍କରେ ସ୍ପଷ୍ଟ ଭାବେ ସୂଚାଇ ସମସ୍ତ ପ୍ରମାଣ ଦେଇଥିଲେ। କିନ୍ତୁ ଏତଲାର କପି ଆସିବା ବେଳେ ମାନସ ଦାସଙ୍କ କୌଣସି ଠିକଣା ନଥିଲା ଓ ସେ ଜଣେ ବେଗୁନିଆ ଅଞ୍ଚଳର ‘ଅଜଣା ବ୍ୟକ୍ତି’ ବୋଲି ଦର୍ଶାଯାଇଥିଲା। ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରିବା ପରେ ପୋଡ଼ି ଦେବା ଘଟଣା ହେଉ କିମ୍ବା ବର୍ତ୍ତମାନ ମାଗୁଣୀ ଓ ତାଙ୍କୁ ପୁଅଙ୍କୁ ନିର୍ଯାତନା ହେଉ ପ୍ରତି ଘଟଣାରେ ପୀଡ଼ିତଙ୍କ ପକ୍ଷରୁ ଦିଆଯାଉଥିବା ଏତଲାକୁ ବଦଳାଯାଇଥିବା ଅଭିଯୋଗ ହେଉଛି। ମାନସକୁ ପୁଲିସ ସୁରକ୍ଷା ଦେବା ପଛରେ ରାଜନୈତିକ ଚାପ ଓ ସୁରକ୍ଷା ପ୍ରମୁଖ କାରଣ ବୋଲି ଗ୍ରାମବାସୀ କହୁଛନ୍ତି। ମାନସ ରାଜନୈତିକ ଦଳରେ ଯୋଗ ନେଦଇ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ପୁଲିସ ଡରୁଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ମାନବବାଦୀ ସଙ୍ଗଠନର ମୁଖିଆ ହେଉଛନ୍ତି ମାନସ ଦାସ। ତାଙ୍କ ପୁଅ ମନୋରଂଜନ ଦାସ ଏହାକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରନ୍ତି। ସଙ୍ଗଠନର କାର୍ଯ୍ୟ ଏହି ବେଗୁନିଆ ଅଞ୍ଚଳରେ ୨୦୦୭-୦୮ ବେଳକୁ ଆରମ୍ଭ ହୋଇଥିଲା। ସଅର ସମ୍ପ୍ରଦାୟର ଅଧିକାଂଶ ଲୋକ ଗରିବ ଓ ଦିନମଜୁରିଆ। ଅନେକ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟି ଥାନା, କଚେରୀ ମାମଲାରେ ପଡ଼ିଥାନ୍ତି। ସେମାନଙ୍କୁ ସହାୟତା ଦେବେ ବୋଲି ମାନସ ଦାସ ସ୍ଥାନୀୟ ଲୋକଙ୍କୁ କହି ଏହି ସଙ୍ଗଠନ ଗଢିଥିଲେ। ୨୦୦୮ ମସିହାରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ନାମରେ ମାନସ ଦାସ ସଙ୍ଗଠନ ତିଆରି କରି କେତେକ ଯୁବକଙ୍କୁ ସାମିଲ କରିଥିଲେ। ଏହାପରେ ମାନବବାଦୀ ସଙ୍ଗଠନ ବୋଲି ଏକ ଛାମୁଆ ସଙ୍ଗଠନ ମଧ୍ୟ ଗଢ଼ାଯାଇଥିଲା। ୨୦୧୦ରେ ଗାଁରେ ଏହି ସଙ୍ଗଠନର ସଦସ୍ୟମାନେ ଚୁଡ଼ିପାଳଙ୍ଗ ଗାଁରେ ସଅର ସମ୍ପ୍ରଦାୟ ଗଣେଶ ପୂଜା କରୁଥିବା ବେଳେ ମୂର୍ତ୍ତି ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗିରଫ ହୋଇଥିବା ଲୋକଙ୍କୁ ମାନସ ଦାସ ଆଇନଗତ ସହାୟତା ଦେଇଥିଲେ। ପରେ ଗୋଟିଏ ପରେ ଗୋଟିଏ ବେଆଇନ ଓ ଜନବି‌ରୋଧୀ କାମରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର