ବାକିରେ ଜିନିଷ ନ ଦେବାରୁ ଦୋକାନୀଙ୍କୁ ୮ ଯୁବକ ଗୋଡ଼ାଇ ପିଟିଲେ, ଏତଲା ପ୍ରତ୍ୟାହାର ନକଲେ ଗୁଳି ଧମକ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବୃଦ୍ଧି ପାଉଥିବା ଗୁଳି କାଣ୍ଡ, ଚୋରି, ଲୁଟ୍ ପରି ଘଟଣାକୁ ନେଇ ସହର ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି। ଗତ ୧୩ ତାରିଖରେ ବାକିରେ ଜିନିଷ ନଦେବାକୁ କେନ୍ଦ୍ର କରି ୮ ଜଣ ଯୁବକ ସଂଘବଦ୍ଧ ଭାବେ ସୁନ୍ଦରଗଡ଼ କଲେଜରୋଡସ୍ଥିତ ଲୁହା ଦୋକାନରେ ପଶି ଦୋକାନୀଙ୍କ ସହ ତାଙ୍କ ବାପା ଓ ଭାଇଙ୍କୁ ଠେଙ୍ଗା ଓ ଲୁହାଛଡ଼ରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଆହତ ବ୍ୟବସାୟୀ ଥାନାରେ ଏତଲା ଦେବା ପରେ ତାକୁ ପ୍ରତ୍ୟାହାର ନକଲେ ଗୁଳି ଖାଇବାର ଧମକ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।

ରଙ୍ଗାଢିପାର ବ୍ୟବସାୟୀ ବିକାଶ କୁମାର ରାୟଙ୍କ ଏତଲା ଅନୁସାରେ, ୧୩ ତାରିଖ ଅପରାହ୍ନ ସାଢ଼େ ୧୨ଟାରେ ମୁଣ୍ଡାପଡ଼ାର ଜଣେ ଯୁବକ ଦୁଃଖ ସୁନାନୀ କଲେଜରୋଡସ୍ଥିତ ସମଲେଇ ଇଣ୍ଟରପ୍ରାଇଜେସକୁ ଆସି କିଛି ଜିନିଷ ଉଧାର ମାଗିଥିଲେ। ସେତେବେଳେ ଦୋକାନରେ ଉପସ୍ଥିତ ବିକାଶଙ୍କ ସାନ ଭାଇ ଚନ୍ଦ୍ରକାନ୍ତମଣି ମନା କରି ଦେଇଥିଲେ। ଏହା ପରେ ଦୁଃଖୁ ପଡ଼ାକୁ ଫେରି ଯାଇଥିଲେ। ମାତ୍ର କିଛି ସମୟ ପରେ ୮ ଜଣ ଯୁବକ ତାଙ୍କ ଦୋକାନକୁ ଠେଙ୍ଗା ଓ ଲୁହା ଛଡ଼ ଧରି ଆସି ଚନ୍ଦ୍ରକାନ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଦୋକାନକୁ ପହଞ୍ଚିଥିବା ବିକାଶଙ୍କ ବାପା ରାମକରଣ ଓ ଭାଇ ଦେବକାନ୍ତଙ୍କ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାପପୁଅ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ବାପା ରାମକରଣଙ୍କ ଚିକିତ୍ସା ଆୟୁସିୟୁରେ ଚାଲିଛି।

ତେବେ ଏ ସମ୍ପର୍କରେ ବିକାଶ କୁମାର ରାୟଙ୍କ ଏତଲାକ୍ରମେ ଟାଉନଥାନା ପୁଲିସ ୩୪୧, ୩୨୩, ୩୦୭, ୫୦୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ତେବେ ଏଯାଏ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନଥିବା ବିକାଶ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତମାନେ ବିକାଶଙ୍କ ଭାଇକୁ କଲ୍ କରି ଏତଲା ପ୍ରତ୍ୟାହାର ନକଲେ ଗୁଳି କରି ଜୀବନ ନେବେ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି। ଭୟରେ ଦିନ ବିତାଉଥିବା ବ୍ୟବସାୟୀ ପରିବାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର