ଦରମା ଟଙ୍କାକୁ ନେଇ ବିବାଦରୁ ଡବଲ ମର୍ଡର : ବାପପୁଅ ମୃତ, ୪ ଗୁରୁତର

ପାଟଣାଗଡ଼:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଦର୍ଲିମୁଣ୍ଡା ଗ୍ରାମରେ ପାରବାରିକ ବିବାଦ ଉଗ୍ର ରୂପ ନେଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ମୃତ ହୋଇଥିବା ଦୁଇ ଜଣ ବାପା ପୁଅ ହୋଇଥିବା ବେଳେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ୪ ଜଣ ମଧ୍ୟ ଗୋଟିଏ ପରିବାରର ବୋଲି ଜଣାପଡିଛି।

ପୁଲିସର ସୂଚନା ଅନୁଯାୟୀ, ବେଲପଡା ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦର୍ଲିମୁଣ୍ଡା ଗ୍ରାମରେ ବନଛୋର ପରିବାର (ଟ୍ରାକ୍ଟର ମାଲିକ) ଓ ରାଉତ ପରିବାର (ଡ୍ରାଇଭର)  ମଧ୍ୟରେ ଉପୁଜିଥିବା ବିବାଦ ଉଗ୍ର ରୂପ ନେଇଥିଲାା ମୋତିଲାଲ ବନଛୋରର ଟ୍ରାକ୍ଟର ଡ୍ରାଇଭର ଭାବେ ମଙ୍ଗଲ ରାଉତ କାମ କରୁଥିଲାା ତେବେ ମଙ୍ଗଲ ନିଜ ଦରମା ଟଙ୍କା ମାଗିବାରୁ ବିବାଦ ଉପୁଜିଥିଲାା  ଫଳରେ ବନଛୋର ଓ ରାଉତ ପରିବାର ମଧ୍ୟରେ କଥା କଟାକଟି ହେବା ସହ ମାଡପିଟ ହୋଇଥିଲା । ଏହି ମାଡପିଟ ସମୟରେ ବନଛୋର ପରିବାରର ମୋତିଲାଲ ବନଛୋର(୫୦), ହେମନ୍ତ ବନଛୋର(୩୦), କୈଳାଶ ବନଛୋର(୨୬), ଚନ୍ଦାମଣି ବନଛୋର(୨୩) ଓ ବୈକୁଣ୍ଠ ବନଛୋର(୨୦) ଏବଂ ରାଉତ ପରିବାରର ବାଲ୍ମିକି ରାଉତ(୬୫), ମଙ୍ଗଲ ରାଉତ, ଗୌର ରାଉତ, ବିପିନ ରାଉତ, ଫକିର ରାଉତ ଥିବା ଜଣାପଡିଛି ।

ଉଭୟ ପରିବାରଙ୍କ ମଧ୍ୟରେ ଦର୍ଲିମୁଣ୍ଡା ଗ୍ରାମର ମୁଣ୍ଡାପଲା ବନ୍ଧ ନିକଟରେ ଧାରୁଆ ଅସ୍ତ୍ରରେ ସଂଘର୍ଷ ହୋଇଥିଲାା ଏଥିରେ ବନଛୋର ପରିବାରର ମୋତିଲାଲ ବନଛୋରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଚନ୍ଦାମଣି ବନଛୋରଙ୍କର ବେଲପଡା ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅପର ପକ୍ଷରେ ବନଛୋର ପରିବାରର ହେମନ୍ତ ବନଛୋର ଏବଂ ରାଉତ ପରିବାରର ବାଲ୍ମିକି ରାଉତ, ମଙ୍ଗଳ ରାଉତ, ଗୌର ରାଉତ ଓ ଫକିର ରାଉତ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକଙ୍କ ସହିତ ବେଲପଡା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ପାଟଣାଗଡ଼ ଏସଡିପିଓ ସୁରେଶ ନାଏକଙ୍କୁ ପଚାରିବାରୁ ୧୦ ରୁ ୧୫ ହଜାର ଦରମା ଟଙ୍କା ମାଗିବାରୁ ଉଭୟ ପରିବାର ମଧ୍ୟରେ ଏହି ଘଟଣା ଘଟିଛି ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର