ସାବିତ୍ରୀ ଭାର ବଦଳରେ ପହଞ୍ଚିଲା ମୃତ୍ୟ ଖବର : ଦୁର୍ଘଟଣାରେ ବାପ, ପୁଅଙ୍କ ମୃତ୍ୟୁ

ଭୁବନେଶ୍ବର : ଆଉ ମାତ୍ର ୧୦ ମନିଟ୍‌ର ବାଟ ଅତିକ୍ରମ କରିଥିଲେ ଝିଅ ଘରେ ପହଞ୍ଚି ଥାଆନ୍ତେ। ଝିଅ ପାଇଁ ସଜେଇ ଆଣିଥିବା ସାବିତ୍ରୀ ଭାର ଦେଇଥାଆନ୍ତେ। ହେଲେ ଭାର ବଦଳରେ ଝିଅ ଘରେ ପହଞ୍ଚିଲା ବାପା ଭାଇଙ୍କ ମୃତ୍ୟୁ ଖବର। ଆଜି ଏପରି ଏକ ଏକ ହୃଦୟ ବିଦାରକ ଘଟଣା ଘଟିଛି ଆଚାର୍ଯ୍ୟ ବିହାରରେ। ନୂଆପଲ୍ଲୀସ୍ଥିତ ଘରୁ ରସୁଲଗଡ଼ ଝିଅ ଘରକୁ ଯିବା ବାଟରେ ଏକ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ନୟାଗଡ଼ ଦଶପଲ୍ଲା ଥାନା ମଦନପୁର ଅଞ୍ଚଳର ଗଙ୍ଗାଧର ମହାରଣା(୫୫) ଏବଂ ପୁଅ ଲକ୍ଷ୍ମଣ ମହାରଣା।

ମିଳିଥିବା ସୂଚନା ମୁତାବକ, ଗତକାଲି ରବିବାର ଛୁଟିଦିନ ଥିବାରୁ ବାପ ପୁଅ ଦିହେଁ ଦଶପଲ୍ଲାସ୍ଥିତ ଗାଁ ଘରକୁ ପଳାଇଥିଲେ। ଆଜି ଭୋରୁ ନୂଆପଲ୍ଲୀସ୍ଥିତ ଘରକୁ ଫେରିଆସି ସେଠାରୁ ରସୁଲଗଡ଼କୁ ଝିଅ ଘର ଅଭିମୁଖେ ସାବିତ୍ରୀ ଭାର ଦେବାକୁ ବାହାରିଥିଲେ। ଭଉଣୀ ଘରେ ଭାର ପହଞ୍ଚାଇ ଦେଇ ସେଠାରୁ ବାପାଙ୍କ ହୃଦ୍‌ରୋଗ ସମ୍ପର୍କରେ ଚେକ ଅପ୍ ପାଇଁ କଟକ ମେଡିକାଲ୍‌ ଯିବାକୁ ମନସ୍ଥ କରିଥିଲେ। ସକାଳ ସାଢ଼େ ୭ଟାରେ ଘରୁ ବାହାରି ଓଭରବ୍ରିଜ୍‌ ଦେଇ ରସୁଲଗଡ଼ ଅଭି‌ମୁଖେ ଯାଉଥିଲେ। ଠିକ୍‌ ଆଚାର୍ଯ୍ୟ ବିହାର ଛକ ଅତିକ୍ରମ କରୁଥିବା ବ‌େଳେ ପଛପଟୁ ଦ୍ରୁତ ଗତିରେ ଆସୁଥବା ଏକ ଅଜଣାଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ବାପପୁଅ ସ୍କୁଟିରୁ ପାଖାପାଖି ୧୦ଫୁଟ ଉପରକୁ ଉଠି ଓଭରବ୍ରିଜ୍‌ରୁ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି କ’ଣ ଘଟିଲା ବୋଲି ଆଖପାଖରେ ଥିବା ଲୋକମାନେ ଧାଇଁ ଆସିଥିଲେ। ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଧରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଲକ୍ଷ୍ମଣଙ୍କୁ ସାମ୍‌ପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ସକାଳୁ ସକାଳୁ ରାସ୍ତା ଫାଙ୍କା ଥିଲେ ମଧ୍ୟ ସ୍କୁଟି ପଛରେ ଗାଡ଼ି କିପରି ଧକ୍କା ଦେଲା ସେନେଇ ପୁଲିସ ‌ସ‌ନ୍ଦେହ କରିଛି। କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। କେଉଁ ଗାଡ଼ି ସ୍କୁଟିକୁ ଧକ୍କା ଦେଲା? ନା ଏହା ଏକ ପ୍ରାୟୋଜିତ ଯୋଜନା? ଏଭଳି ବିଭିନ୍ନ ଦିଗ ଉପରେ ପୁଲିସ୍‌ ତଦନ୍ତ କରୁଛି। ଓଭରବ୍ରିଜ୍‌ ସମେତ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ପୁଲିସ୍‌ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର