ଟ୍ରକ୍‌-କାର ଧକ୍କା: ଚାଲିଗଲା ବାପ, ପୁଅଙ୍କ ଜୀବନ

ବଇଣ୍ଡା : ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି ଫେରୁଥିବା ବେଲପାହାଡ଼ ଅଞ୍ଚଳର ଏକ ପରିବାର ଉପରେ ଘୋଟି ଆସିଛି ଦାରୁଣ ବିପତ୍ତି। ସେମାନେ ବସିଥିବା ଏକ କାର୍‌କୁ ଗୋଟିଏ କୋଇଲା ଟ୍ରକ୍‌ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପ, ପୁଅଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମାଆ, ଝିଅ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ସର୍ଗିପାଲି ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବେଲପାହାଡ଼ ଅଞ୍ଚଳର ପ୍ରଭାସ ବୋଷ, ପତ୍ନୀ ସଂଗୀତା ବୋଷ, ଝିଅ ସ୍ବସ୍ତିକା ଓ ୨୨ ବ‌ର୍ଷର ପୁଅ ପ୍ରତ୍ୟୁଷ ପୁରୀ‌ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି ଏକ କାର୍‌ (ଓଡି-୨୩ଏମ୍‌-୩୬୩୬)ରେ ଘରକୁ ଫେରୁଥିଲେ। ସମ୍ବଲପୁର ଆଡ଼ୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ (ସିଜି-୨୨ଡବ୍‌ଲ୍ୟୁବି- ୮୭୧୧) ସର୍ଗିପାଲି ଛକ ନିକଟରେ ତାଙ୍କ କାର୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ପ୍ରଭାସ, ତାଙ୍କ ପୁଅ ପ୍ରତ୍ୟୁଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଗୁରୁତର ମାଆ-ଝିଅଙ୍କୁ ରେଢ଼ାଖୋଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ହଣ୍ଡପା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରିଛି। ଉକ୍ତ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର